ପରଲୋକରେ ବାଗ୍ମୀ ରଜତ କର

ଭୁବନେଶ୍ୱର,୮ା୫(ବୁ୍ୟରୋ): ବିଶିଷ୍ଟ ଶିକ୍ଷାବିତ୍, ଜଗନ୍ନାଥ ସଂସ୍କୃତିର ପ୍ରବକ୍ତା, ସୁସାହିତି୍ୟକ, ସୁବକ୍ତା, ଭଞ୍ଜ ସାହିତ୍ୟର ବିଶିଷ୍ଟ ବ୍ୟାଖାକାର ବାଗ୍ମୀ ରଜତ କରଙ୍କ ପରଲୋକ ହୋଇଯାଇଛି । ରାଜଧାନୀର ଗୋଟିଏ ଘରୋଇ ହସ୍ପିଟାଲରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତୁ୍ୟ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା । ସ୍ୱର୍ଗତ କରଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନର ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।
ହୃଦଘାତରେ ତାଙ୍କର ପରଲୋକ ହୋଇଥିବା ବଡ଼ ପୁଅ ରଞ୍ଜିତ କର ସୂଚନା ଦେଇଛନ୍ତି । ୨୦୨୧ରେ ଶ୍ରୀ କର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଥିଲେ ।
୧୯୩୪ ମସିହା ଅକ୍ଟୋବର ୨ ତାରିଖରେ କଟକ ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ରଜତ କୁମାର କର ଜଣେ ଶିକ୍ଷାବିତ୍ ନାଟ୍ୟକାର ଓ ଜଗନ୍ନାଥ ସଂସ୍କୃତିର ପ୍ରବକ୍ତା ଭାବେ ବେଶ୍ ପରିଚିତ । ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ଶ୍ରୀ କର ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗରେ ଦୀର୍ଘ ଦିନ ଧରି କାର୍ଯ୍ୟ କରି ଏସ୍ସିିଇଆର୍ଟିର ନିଦେ୍ର୍ଦଶକ ଭାବେ ଚାକିରିରୁ ଅବସର ଗ୍ରହଣ କରିଥିଲେ । ଭଞ୍ଜ ସାହିତ୍ୟକୁ ଲୋକପ୍ରିୟ କରିବା ପାଇଁ ସେ ନିରନ୍ତର ଭାବେ କାର୍ଯ୍ୟରତ ଥିଲେ । ସେ ବହୁ ନାଟକ, କବିତା ଓ ପ୍ରବନ୍ଧ ପୁସ୍ତକ ରଚନା କରିଯାଇଛନ୍ତି ।
ସେ ପ୍ରାୟ ୭ଟି ନନ୍ ଫିକ୍ସନ ବହି ଓ ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ଅନେକ ପୁସ୍ତକ ରଚନା କରିଥିଲେ । ଦୀର୍ଘ ୬୦ ବର୍ଷ ଧରି ସେ ବିଭିନ୍ନ ଟିଭି ଓ ରେଡିଓରେ ଜଗନ୍ନାଥ ସଂସ୍କୃତି ବିଷୟରେ ସମସ୍ତଙ୍କୁ ଅବଗତ କରାଉଥିଲେ । ସେ ରଥଯାତ୍ରାର ଧାରା ବିବରଣୀ ପ୍ରଦାନ କରି ଓଡ଼ିଶାର ଜନମାନସରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିବାକୁ ସକ୍ଷମ ହୋଇଥିଲେ । ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ସୁବକ୍ତା ଭାବେ ତାଙ୍କର ଖ୍ୟାତି ରହିଛି । ରଜତ କରଙ୍କ ବାପାଙ୍କ ନାମ କୁଳମଣି କର ଓ ମାତାଙ୍କ ନାମ ଇନ୍ଦୁମତୀ ଦେବୀ ।
ସେ ରେଭେନ୍ସା କଲିଜେଟ ସ୍କୁଲର ଛାତ୍ର ଥିଲେ । ଜଗନ୍ନାଥ ଧର୍ମ ଓ ରୀତିନୀତିକୁ ନେଇ ସେ ଅନେକ ସାହିତ୍ୟ ରଚନା କରିଥିଲେ । ୨୦୦୬ରେ ଜନ ଜୀବନରେ ଜଗନ୍ନାଥ, ୨୦୦୮ରେ ଅନନ୍ୟ ଜଗନ୍ନାଥ ଅନୁଭୂତିରେ, ୧୯୭୧ରେ ଅନ୍ଧପୁଟୁଳି, ୧୯୬୭ରେ ଚନ୍ଦନ ହଜୁର, ୧୯୯୯ରେ ଜଣାଣ ଜଣାଉଛି ଜଗନ୍ନାଥଙ୍କୁ, ୧୯୯୯ରେ ବାଇଶି ପାବଚ୍ଛ ଓ ୨୦୦୭ରେ ଜନମାନସରେ ଭଞ୍ଜ ତାଙ୍କ ଦ୍ୱାରା ରଚିତ ପୁସ୍ତକ ବେଶ୍ ଲୋକପ୍ରିୟ ହୋଇପାରିଥିଲା । ସେ ଆକାଶବାଣୀର ବିଭିନ୍ନ କାର୍ଯ୍ୟକ୍ରମରେ ଅଭିନୟ କରିବା ସହିତ ଅନେକ ନାଟକ ମଧ୍ୟ ରଚନା କରିଛନ୍ତି । ତାଙ୍କୁ ୨୦୨୧ରେ ପଦ୍ମଶ୍ରୀ ପୁରସ୍କାର ମିଳିଥିବା ବେଳେ ୨୦୦୯ରେ ରାମଚନ୍ଦ୍ର ମିଶ୍ର ନାଟକ ସମ୍ମାନ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଓ ୨୦୧୧ରେ ଗୋଦାବରୀଶ ମିଶ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା ।
ରଜତ କରଙ୍କ ପରଲୋକରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି । ସ୍ୱର୍ଗତ କର ନିଜର ଅନନ୍ୟ ବାଗ୍ମୀତା, ପାଣ୍ଡିତ୍ୟ ଓ ସୃଜନ କୃତି ପାଇଁ ଚିରସ୍ମରଣୀୟ ରହିବେ ବୋଲି ରାଜ୍ୟପାଳ କହିଛନ୍ତି । ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଶୋକ ପ୍ରକାଶ କରି କହିଛନ୍ତି, ସାହିତ୍ୟ ଓ ସଂସ୍କୃତିକୁ ରଜତ କରଙ୍କ ବହୁମୁଖୀ ଅବଦାନ ପାଇଁ ସେ ଚିରସ୍ମରଣୀୟ ହୋଇ ରହିବେ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତତି, ସ୍ୱର୍ଗତ ରଜତ କର ଓଡ଼ିଆ ସାରସ୍ୱତ ଜଗତକୁ ବହୁ ଭାବରେ ସମୃଦ୍ଧ କରିଯାଇଛନ୍ତି । ଭଞ୍ଜ ସାହିତ୍ୟରେ ତାଙ୍କର ଅଗାଧ ପାଣ୍ଡିତ୍ୟ ଥିଲା । ଓଡ଼ିଆ ସଂସ୍କୃତି ଓ ପରମ୍ପରା ବିଶେଷ କରି ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାରରେ ତାଙ୍କର ଅବଦାନ ପାଇଁ ସେ ସବୁବେଳେ ସ୍ମରଣୀୟ ରହିବେ । ତାଙ୍କ ବିୟୋଗରେ ଓଡ଼ିଶା ଜଣେ ସୁଯୋଗ୍ୟ ସନ୍ତାନକୁ ହରାଇଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଶୋକସନ୍ତପ୍ତ ପରିବାରକୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିବା ସହ ଓଡ଼ିଶା ଜଗନ୍ନାଥ ସଂସ୍କୃତିର ଜଣେ ଉଚ୍ଚକୋଟୀର ଗବେଷକ ଓ ସୁବକ୍ତାଙ୍କୁ ହରାଇଲା ବୋଲି କହିଛନ୍ତି । ପଞ୍ଚାୟତିରାଜ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା, ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଏବଂ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ହୃଷୀକେଶ ମଲ୍ଲିକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ ସହ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *