ମହିଳା ହିଁ ବିଶ୍ୱର ସୃଷ୍ଟିକର୍ତ୍ତା
ଉଦ୍ୟାପିତ ହେଲା ପ୍ରଥମ ମହିଳା ବିଜ୍ନେସ ମେଳା
ଭୁବନେଶ୍ୱର (ବୁ୍ୟରୋ): ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ ଏଣ୍ଟରପ୍ରିନୁ୍ୟରସିପ୍ କାଉନସିଲ୍ ଦ୍ୱାରା ଜନତା ମଇଦାନରେ ଚାଲିଥିବା ଭାରତର ପ୍ରଥମ ମହିଳା ବିଜ୍ନେସ ମେଳା-୨୦୨୨ ଉଦ୍ୟାପିତ ହୋଇଯାଇଛି । ଉଦ୍ୟାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଯୋଗଦେଇ କହିଥିଲେ ଯେ ମେଳାର ଅର୍ଥ ହେଉଛି ଦକ୍ଷତା, କ୍ଷମତା, ସମତା ଓ ମମତା । ଏହି ସବୁର ମିଳନରେ ହିଁ ମେଳାର ସୃଷ୍ଟି । କାର୍ଯ୍ୟକ୍ରମରେ ରାଜ୍ୟପାଳ ମହିଳାଙ୍କର କାର୍ଯ୍ୟଦକ୍ଷତାକୁ ଭୂୟସୀ ପ୍ରଶଂସା କରିବା ସହ ଆହୁରି କହିଲେ ଯେ ମହିଳାମାନେ ହିଁ ବିଶ୍ୱର ସୃଷ୍ଟିକର୍ତ୍ତା ଓ ମହିଳା ସଶକ୍ତହେଲେ ସମାଜ ଆଗକୁ ବଢି ପାରିବ ।
ଶେଷ ଦିବସରେ ମିନାକ୍ଷୀ ଦତ୍ତ, ବିକ୍ରମ ବାୱା, ଶାଶ୍ୱତ ଯୋଶୀ, ସୋନିକା ପ୍ରଧାନ, ବବି ପଟ୍ଟନାୟକ, କାନ୍ତା ସିଂହ, ସାଇକ୍ରିଷ୍ଣ ମହାନ୍ତି, ମହିଳା ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ, ବିଦ୍ୟା କ୍ରିଷ୍ଣନ, ଓଡ଼ିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ଜେ.ବି. ପାଣି, ସହ-ଅଧ୍ୟକ୍ଷ ଏମ୍.କେ. ଗୁପ୍ତା, ମହିଳା ଉଦ୍ୟୋଗୀ ପରିଷଦର ଆବାହକ ସୁକିର୍ତ୍ତୀ ପଟ୍ଟନାୟକ, ସହ-ଆବାହକ ତନୟା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ମହିଳାଙ୍କ ଉପରେ ବିଭିନ୍ନ ଅଧିବେଶନରେ ଆଲୋଚନା କରିଥିଲେ । ସେହିପରି ମହିଳାଙ୍କ ସ୍ୱାସ୍ଥ୍ୟକୁ ନେଇ ସମ୍ ଅଲ୍ଟିମେଟ୍ ମେଡ଼ିକେୟାର ସହ ସ୍ୱତନ୍ତ୍ର ଅଧିବେଶନ କରାଯାଇଥିଲା ।
ଏହି ପାଞ୍ଚ ଦିନିଆ ମହିଳା ବିଜ୍ନେସ୍ ମେଳାରେ ମହିଳା ଉଦ୍ୟୋଗୀଙ୍କ ପ୍ରାୟ ୧୦୦ରୁ ଊଦ୍ଧ୍ୱର୍ ଷ୍ଟଲ ରହିଥିଲା । ଏହା ସହ ପ୍ରାୟ ୩୪ଟି ଖାଇବା ଷ୍ଟଲ ସହ ପିଲାଙ୍କ ଗେମିଂ ଏବଂ ସେଲ୍ଫି ଜୋନ୍ ରଖାଯାଇଥିଲା । ଏହି ଅବସରରେ ମହିଳା ଉଦ୍ୟୋଗୀ ପରିଷଦର ଆବାହକ ସୁକିର୍ତ୍ତୀ ପଟ୍ଟନାୟକ କହିଛନ୍ତି ମହିଳାଙ୍କ ପାଇଁ ଆୟୋଜିତ ମେଳା ସଫଳ ହୋଇଛି । ଲକ୍ଷାଧିକ ଦର୍ଶକ ମେଳା ବୁଲି ନୂଆ ଅନୁଭୂତି ସାଉଁଟିଛନ୍ତି । ଅନ୍ୟ ରାଜ୍ୟରେ ମେଳା ଆୟୋଜନ ପାଇଁ ପ୍ରସ୍ତାବ ଆସିଛି । ଆଗାମୀ ବର୍ଷରେ ଏହି ଭଳି ମେଳା ଆୟୋଜନ କରାଯିବ ବୋଲି ସେ କହିଥିଲେ ।