ବାଙ୍ଗାଲୋରର ବିପୁଳ ବିଜୟ

ମୁମ୍ବାଇ, ୮ା୫ (ଏଜେନ୍ସି): ଅଧିନାୟକ ଫାଫ୍ ଡୁ ପ୍ଲେସିସ୍ଙ୍କ ପ୍ରଭାବଶାଳୀ ଅର୍ଦ୍ଧଶତକ ପରେ ସ୍ପିନର୍ ୱାନିନ୍ଦୁ ହସରଙ୍ଗାଙ୍କ ଯାଦୁକରୀ ବୋଲିଂ ବଳରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର ରବିବାର ଚଳିତ ଆଇପିଏଲ୍ର ୫୪ତମ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦରାବାଦକୁ ୬୭ ରନ୍ରେ ହରାଇ ବିପୁଳ ବିଜୟ ହାସଲ କରିଛି । ହସରଙ୍ଗା ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି ।
ବାଙ୍ଗାଲୋରର ଏହା ଦ୍ୱାଦଶ ମ୍ୟାଚ୍ରୁ ସପ୍ତମ ବିଜୟ ଏବଂ ଟିମ୍ ୧୪ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛି । ଅନ୍ୟପଟେ, ହାଇଦରାବାଦର ଏହା ଏକାଦଶ ମ୍ୟାଚ୍ରୁ ଷଷ୍ଠ ପରାଜୟ ଏବଂ ଟିମ୍ ୧୦ ପଏଣ୍ଟ ସହ ଷଷ୍ଠ ସ୍ଥାନରେ ଅଛି ।
ଧୀମା ୱିକେଟ୍ରେ ପ୍ରଥମେ ବ୍ୟାଟିଂ ନେଇଥିବା ଡୁ ପ୍ଲେସିସ୍ ସମ୍ମୁଖରୁ ନେତୃତ୍ୱ ନେଇ ୭୩ (୫୦ ବଲ୍ରୁ ୮ ଚୌକା ଓ ୨ ଛକା ସହାୟତାରେ) ରନ୍ର ଅପରାଜିତ ଇନିଂସ୍ ଖେଳିଥିବା ବେଳେ ଦିନେଶ କାର୍ତ୍ତିକ (୮ ବଲ୍ରୁ ୧ ଚୌକା ଓ ୪ ଛକା ସହାୟତାରେ ଅପରାଜିତ ୩୦) ଶେଷ ବେଳକୁ ଉପଯୋଗୀ ବ୍ୟାଟିଂ କରିଥିଲେ । ଏହା ଫଳରେ ବାଙ୍ଗାଲୋର ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୩ ୱିକେଟ୍ ହରାଇ ୧୯୨ ରନ୍ ସଂଗ୍ରହ କରିଥିଲା ।
ମ୍ୟାଚ୍ର ପ୍ରଥମ ବଲ୍ରେ ବାଙ୍ଗାଲୋର ଟିମ୍ର ଓପନିଂ ଯୋଡ଼ି ଭାଙ୍ଗିଥିଲା । କୋହଲି (୦) ଜଗଦୀଶ ସୂଚିତଙ୍କ ଶିକାର ହୋଇଥିଲେ । ଚଳିତ ସିଜନ୍ରେ ସେ ତୃତୀୟ ଥର ଜିରୋରେ ଆଉଟ୍ ହୋଇଛନ୍ତି ।
ଏହାପରେ ଡୁ ପ୍ଲେସିସ୍ ନୂଆ ବ୍ୟାଟର୍ ରଜତ ପଟିଦାରଙ୍କ ସହ ମିଶି ଇନିଂସ୍ ସମ୍ଭାଳିଥିଲେ । ଡୁ ପ୍ଲେସିସ୍ ୩୪ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ଦ୍ୱିତୀୟ ୱିକେଟ୍ ପାଇଁ ୧୦୫ ରନ୍ର ଭାଗୀଦାରୀ ହୋଇଥିଲା । ରଜତ ୪୮ ରନ୍ କରି ସୁଚିତଙ୍କ ଶିକାର କରିଥିଲେ । ଏହାପରେ ଡୁ ପ୍ଲେସିସ୍ ଓ ଗ୍ଲେନ୍ ମ୍ୟାକ୍ସୱେଲ୍ଙ୍କ ମଧ୍ୟରେ ୫୪ ରନ୍ର ଭାଗୀଦାରୀ ହୋଇଥିଲା । ମ୍ୟାକ୍ସୱେଲ୍ (୩୩)ଙ୍କ ୱିକେଟ୍ କାର୍ତ୍ତିକ ତ୍ୟାଗୀଙ୍କ ଖାତାକୁ ଯାଇଥିଲା । ଡୁ ପ୍ଲେସିସ୍ ଏହାପରେ ଦିନେଶ କାର୍ତ୍ତିକଙ୍କ ସହ ଅପରାଜିତ ୩୩ ରନ୍ ଯୋଗ କରିଥିଲେ ।
ଜବାବରେ ହାଇଦରାବାଦ ଟିମ୍ ୧୯.୨ ଓଭର୍ରେ ମାତ୍ର ୧୨୫ ରନ୍ କରିବାକୁ ସମର୍ଥ ହୋଇଥିଲା । ଟିମ୍ର ଏହା କ୍ରମାଗତ ଚତୁର୍ଥ ପରାଜୟ । ହସରଙ୍ଗ ୧୮ ରନ୍ରେ ୫ ୱିକେଟ୍ ନେଇ ହାଇଦରାବାଦକୁ ଆତ୍ମସମର୍ପଣ କରିବାକୁ ବାଧ୍ୟ କରିଥିଲେ । ପ୍ରଥମ ଲେଗ୍ରେ ହାଇଦରାବାଦଠାରୁ ୯ ୱିକେଟ୍ରେ ପରାଜୟର ପ୍ରତିଶୋଧ ବି ନେଇଥିଲା ଫାଫ୍ଙ୍କ ଟିମ୍ ।
୧୯୩ ରନ୍ର ବିଜୟଲକ୍ଷ୍ୟ ନେଇ ଖେଳିଥିବା ହାଇଦରାବାଦ ଇନିଂସ୍ର ମଧ୍ୟ ପ୍ରଥମ ବଲ୍ରେହିଁ ଓପନିଂ ଯୋଡ଼ି ଭାଙ୍ଗିଥିଲା । ଅଧିନାୟକ କେନ୍ ୱିଲିଅମ୍ସନ୍ (୦) ରନ୍ଆଉଟ୍ ହୋଇଯାଇଥିଲେ । ଗ୍ଲେନ୍ ମ୍ୟାକ୍ସୱେଲ୍ଙ୍କ ଏହି ଓଭର୍ରେ ଅନ୍ୟତମ ଓପନର୍ ଅଭିଷେକ ଶର୍ମା ବି ଖାତା ଖୋଲି ନ ପାରି ପାଭିଲିଅନ୍ ଫେରିଥିଲେ ।
ଏହାପରେ ରାହୁଲ ତ୍ରିପାଠୀ ଓ ଏଡେନ୍ ମାର୍କରାମ ସ୍ଥିତି ସମ୍ଭାଳିବାକୁ ପ୍ରୟାସ କରିଥିଲେ । ତୃତୀୟ ୱିକେଟ୍ ପାଇଁ ୫୦ ରନ୍ ଯୋଗ ହୋଇଥିଲା । ମାର୍କରାମ (୨୧)ଙ୍କୁ ଆଉଟ୍ କରି ହସରଙ୍ଗା ଏହି ଯୋଡ଼ି ଭାଙ୍ଗିଥିଲେ । ନୂଆ ବ୍ୟାଟର୍ ନିକୋଲାସ୍ ପୂରନ୍ (୧୯) ରାହୁଲଙ୍କ ସହ କିଛି ବାଟ ସାଥ୍ ଦେଇଥିଲେ । ତେବେ ପୂରନ୍ଙ୍କୁ ଆଉଟ୍ କରି ହସରଙ୍ଗା ଆଉ ଏକ ଯୋଡ଼ିକୁ ଅଟକାଇଥିଲେ ।
୮୯ ରନ୍ରେ ଚତୁର୍ଥ ୱିକେଟ୍ ପଡ଼ିଥିଲା । ଏଠାରୁ ଟିମ୍ର ସଙ୍କଟ ଆହୁରି ବଢ଼ି ଯାଇଥିଲା । ରାହୁଲ ଏକାକୀ ସଂଘର୍ଷ କରୁଥିଲେ । ଇତ୍ୟବସରେ ଜଗଦୀଶ ସୂଚିତ (୨) ହସରଙ୍ଗାଙ୍କ ତୃତୀୟ ଶିକାର ହୋଇଥିଲେ । ୧୬ତମ ଓଭର୍ରେ ରାହୁଲଙ୍କ ଅର୍ଦ୍ଧଶତକୀୟ ଇନିଂସ୍ର ଯବନିକା ପକାଇଥିଲେ ଜୋଶ୍ ହାଜଲ୍ଉଡ୍ । ଏହା ପର ବଲ୍ରେ ତ୍ୟାଗୀଙ୍କୁ ହାଜଲ୍ଉଡ୍ ବିନା ସ୍କୋର୍ରେ ପାଭିଲିଅନ୍ ପଠାଇଥିଲେ । ସମାନ ସ୍କୋର୍ (୧୧୪)ରେ ଆଉ ଦୁଇ ୱିକେଟ୍ ବି ପଡ଼ିଥିଲା । ଶଶାଙ୍କ ସିଂହ (୮) ଓ ଉମରାନ୍ ମଲିକ (୦) ଉଭୟ ଡି ସିଲ୍ଭାଙ୍କ ଶିକାର ହୋଇଥିଲେ । ଭୁବନେଶ୍ୱର କୁମାର ୮ ରନ୍ କରି ଶେଷ ବ୍ୟାଟର୍ ଭାବେ ହର୍ଷଲ ପଟେଲ୍ଙ୍କ ବଲ୍ରେ ଆଉଟ୍ ହୋଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *