୧୪ବର୍ଷ ଜେଲ୍ରେ ରହିବାକୁ ପ୍ରସ୍ତୁୂତ

ହନୁମାନ ଚାଳିଶା ବିବାଦ
ମୁମ୍ବାଇ (ଏଜେନ୍ସି): ‘ହନୁମାନ ଚାଳିଶା ପାଇଁ ୧୪ଦିନ ନୁହେଁ, ଆବଶ୍ୟକ ହେଲେ ୧୪ବର୍ଷ ମଧ୍ୟ ଜେଲ୍ରେ ରହିବାକୁ ପ୍ରସ୍ତୁତ ଅଛି । ତେବେ ଯଦି ମୁୂଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ସତ୍ସାହସ ଅଛି, ତେବେ ମୋ’ ବିରୋଧରେ ନିର୍ବାଚନ ଲଢ଼ି ଦେଖାନ୍ତୁ । ଆଗାମୀ ଦିନରେ ମହାରାଷ୍ଟ୍ରବାସୀ ଉଦ୍ଧବ ଠାକ୍ରେଙ୍କୁ ଉଚିତ୍ ଶିକ୍ଷା ଦେବେ । ଅଲଦାଲତଙ୍କ ରାୟକୁ ମୁଁ ସମ୍ମାନ ଜଣାଉଛି । କିନ୍ତୁ ରାଜ୍ୟ ସରକାର ମୋ ବିରୋଧରେ ଯାହା ଅତ୍ୟାଚାର କରିଛନ୍ତି ତା’ ବିରୋଧରେ ମୁଁ ସ୍ୱର ଉତ୍ତୋଳନ ଜାରି ରଖିବି ।’ ଅମରାବତୀରୁ ନିର୍ଦ୍ଦଳୀୟ ସାଂସଦ ଥିବା ନବନୀତ୍ ରାଣା ରବିବାର ମୁମ୍ବାଇର ଲୀଳାବତୀ ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଛନ୍ତି । ହସ୍ପିଟାଲରୁ ବାହାରକୁ ଆସିବା ସମୟରେ ନବନୀତ୍ଙ୍କ ହାତରେ ହନୁମାନ ଚାଳିଶା ରହିଥିବା ଦେଖିବାକୁ ମିଳିଥିଲା । ଏହି ସମୟରେ କିଛି ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ନବନୀତ୍ ରାଣା ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି ।
ପ୍ରକାଶ ଉଦ୍ଧବଙ୍କ ଘର ସମ୍ମୁଖରେ ହନୁମାନ ଚାଳିଶା ପାଠ କରିବାକୁ ଧମକ ଦେବା ଅଭିଯୋଗରେ ଉଭୟ ନବନୀତ୍ ଏବଂ ତାଙ୍କ ସ୍ୱାମୀ ରବି ରାଣାଙ୍କୁ ଗତ ୨୩ରେ ଗିରଫ କରାଯାଇଥିଲା । ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟ ଉଭୟଙ୍କୁ ୫ତାରିଖ ଦିନ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଥିଲେ । ଅନ୍ୟପକ୍ଷେ ରାଣା ଦମ୍ପତିଙ୍କୁ ମିଳିଥିବା ଜାମିନ୍କୁ ଖାରଜ କରିବା ପାଇଁ ମହାରାଷ୍ଟ୍ର ସରକାର ଏବେ ପୁନର୍ବାର କୋର୍ଟର ଦ୍ୱାରସ୍ଥ ହେବ ବୋଲି ସୂଚନା ମିଳିଛି । ହସ୍ପିଟାଲ ବାହାରକୁ ଆସିବା ପରେ ନବନୀତ୍ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟା କୋର୍ଟଙ୍କ ଜାମିନ୍ ସର୍ତ୍ତର ଅବମାନନା କରାଯାଇଥିବା ଦର୍ଶାଇ ରାଜ୍ୟ ସରକାର ରାଣା ଦମ୍ପତିଙ୍କ ଜାମିନ୍ ଖାରଜ କରିବାକୁ ପିଟିସନ୍ ଦାୟର କରିବେ । ସୋମବାର ପିଟିସନ୍ ଦାୟର କରାଯିବ ବୋଲି ଶିବସେନା ପକ୍ଷରୁ କୁହାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *