ଭାରତର ବିଜୟ ଅଭିଯାନ
୦-୫ରେ ହାରିଲା ଜର୍ମାନୀ
ବ୍ୟାଙ୍କକ୍, ୮ା୫ (ଏଜେନ୍ସି): ଭାରତୀୟ ପୁରୁଷ ବ୍ୟାଡ୍ମିଣ୍ଟନ ଟିମ୍ ରବିବାର ଜର୍ମାନୀକୁ ୫-୦ରେ ହରାଇ ଥୋମାସ କପ୍ରେ ଦମ୍ଦାର ଢଙ୍ଗରେ ଅଭିଯାନ ଆରମ୍ଭ କରିଛି । ଲକ୍ଷ୍ୟ ସେନ୍ଙ୍କ ସହଜ ବିଜୟରୁ ଏହି ସକାରାତ୍ମକ ଅଭିଯାନ ଆରମ୍ଭ ହୋଇଥିଲା ।
ବିଶ୍ୱ ଚାମ୍ପିଅନ୍ସିପ୍ସ କାଂସ୍ୟ ପଦକଧାରୀ ଲକ୍ଷ୍ୟ ବିଶ୍ୱର ୬୪ତମ ଖେଳାଳି ମାକ୍ସ ୱିସ୍କିର୍ଚେନ୍ଙ୍କୁ ୨୧-୧୬, ୨୧-୧୩ରେ ସହଜରେ ପରାସ୍ତ କରିଥିଲେ । ତେବେ ଯୁଗଳ ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀଙ୍କ ଯୁଗଳ ଯୋଡ଼ିକୁ ଜନ୍ସ ରାଲଫି ଜାନ୍ସେନ୍ ଓ ମାର୍ଭିନ ସିଡେଲ୍ଙ୍କ ବିପକ୍ଷରେ କଡ଼ା ସଂଘର୍ଷ କରିବାକୁ ପଡ଼ିଥିଲା । ତେବେ ଭାରତୀୟ ଯୋଡ଼ି ଶେଷରେ ୨୧-୧୫, ୧୦-୨୧, ୨୧-୧୩ରେ ବିଜୟ ହାସଲ କରିଥିଲେ । ଏହି ମୁକାବିଲା ପ୍ରାୟ ଏକ ଘଣ୍ଟା ଧରି ଚାଲିଥିଲା ।
ଏହାପରେ ବିଶ୍ୱର ୧୧ତମ ଖେଳାଳି କିଦାମ୍ବୀ ଶ୍ରୀକାନ୍ତ ପ୍ରଥମ ଗେମ୍ରେ ପଛୁଆ ରହିବା ସତ୍ତ୍ୱେ ଜୋର୍ଦାର ପ୍ରତ୍ୟାବର୍ତ୍ତନ କରି କାଇ ସଫେରଙ୍କୁ ୧୮-୨୧, ୨୧-୯, ୨୧-୧୧ରେ ମାତ୍ ଦେଇଥିଲେ । ଏହା ଫଳରେ ଭାରତ ଗ୍ରୁପ୍-ସି ଟାଇରେ ୩-୦ରେ ଅପରାଜେୟ ଅଗ୍ରଣୀ ହାସଲ କରିଥିଲା ।
ଦ୍ୱିତୀୟ ଯୁଗଳ ଟାଇରେ ମଧ୍ୟ ଭାରତୀୟଙ୍କ ଆଧିପତ୍ୟ ବଳବତ୍ତର ରହିଥିଲା । ଏମ୍ଆର୍ ଅର୍ଜୁନ ଓ ଧ୍ରୁବ କପିଳା ୨୫-୨୩, ୨୧-୧୫ରେ ବିଜର୍ନ ଗିସ୍ ଓ ଜାନ୍ କୋଲିନ୍ ଭୋଲ୍କରଙ୍କୁ ହରାଇଥିଲେ ।
ବିଶ୍ୱର ୨୩ତମ ଖେଳାଳି ଏଚ୍ଏସ୍ ପ୍ରଣୟଙ୍କୁ ମାଥିଆସ୍ କିକ୍ଲିଜ୍ଙ୍କୁ ହରାଇବା ପାଇଁ ବେଶୀ ଝାଳ ବୁହାଇବାକୁ ପଡ଼ି ନ ଥିଲା । ସେ ୨୧-୯, ୨୧-୯ରେ ମ୍ୟାଚ୍ ଉପରେ କବ୍ଜା କରିଥିଲେ । ଏଥିସହ ଭାରତ ୫-୦ରେ ବିଜୟୀ ହୋଇଥିଲା ।
ଥୋମାସ୍ କପ୍ ଇତିହାସରେ ପ୍ର୍ରଥମ ପଦକ ସନ୍ଧାନରେ ଥିବା ଭାରତ ସଠିକ୍ ଆରମ୍ଭ ଥିଲା । କୌଣସି ଭାରତୀୟ ପୁରୁଷ ଟିମ୍ ଏ ଯାବତ୍ ଟୁର୍ଣ୍ଣାମେଣ୍ଟରେ ସେମିଫାଇନାଲ୍ରେ ବି ସ୍ଥାନ ପାଇ ପାରି ନାହିଁ । ଶେଷ ଥର ଭାରତର ଅଭିଯାନ କ୍ୱାର୍ଟର୍-ଫାଇନାଲ୍ରେ ଶେଷ ହୋଇଥିଲା ।