ଖୋଲିବ ତାଜ୍ ରହସ୍ୟ
ଆହ୍ଲାବାଦ୍ (ଏଜେନ୍ସି): ଶତାବ୍ଦୀ ଶତାବ୍ଦୀ ଧରି ତାଜ୍ମହଲର ବନ୍ଦ ପଡ଼ିଥିବା ୨ଠ ବଖରା ଖୋଲିବ । ସାମ୍ନାକୁ ଆସିବ ବହୁ ରହସ୍ୟମୟ ତଥ୍ୟ । ବାସ୍ତବରେ ଏସବୁ ବଖରାରେ କ’ଣ ରହିଛି? ଏଠାରେ ହିନ୍ଦୁ ଦେବାଦେବୀଙ୍କ ପ୍ରତିମୂର୍ତ୍ତି କିମ୍ବା ପୁରାଣ ଶାସ୍ତ୍ର ଆଲେଖ୍ୟଗୁଡ଼ିକୁ ଲୁଚାଇ ରଖାଯାଇନାହିଁ ତ? ଆହ୍ଲାବାଦ୍ ହାଇକୋର୍ଟଙ୍କ ଲକ୍ଷ୍ନୌ ବେଞ୍ଚ୍ଙ୍କ ନିକଟରେ ଏନେଇ ଦାଖଲ ହୋଇଛି ଏକ ପିଟିସନ୍ । ଅଯୋଧ୍ୟା ଜିଲ୍ଲା ବିଜେପି ନେତା (ଗଣମାଧ୍ୟମ ପ୍ରଭାରୀ) ଡ. ରଜନୀଶ ସିଂହଙ୍କ ପକ୍ଷରୁ ଏହି ପିଟିସନ୍ ଦାଖଲ କରାଯାଇଛି । ଏଥିରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସ୍ଆଇ)ଙ୍କୁ ଆଗ୍ରା ସ୍ଥିତ ତାଜମହଲ ଭିତରେ ଥିବା ୨ଠ ବଖରାକୁ ଖୋଲିବାକୁ ନିଦେ୍ର୍ଦଶ ଦେବା ପାଇଁ ଦାବି କରିଛନ୍ତି ଡ.ରଜନୀଶ ସିଂହ । ଏସବୁ ବଖରାଗୁଡ଼ିକୁ ଖୋଲିବା ଦ୍ୱାରା ଏଠାରେ ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତୀ ତଥା ଶିଳାଲେଖ (ଧର୍ମ ଗ୍ରନ୍ଥ ଆଦି) ରହିଛି କି ନାହିଁ ସେସମ୍ପର୍କରେ ବାସ୍ତବ ସୂଚନା ମିଳିପାରିବ ବୋଲି ରଜନୀଶ ଯୁକ୍ତି ବାଢ଼ିଛନ୍ତି । ଏହି ମାମଲା ଉପରେ ଆସନ୍ତା ୧ଠ ତାରିଖରେ ଶୁଣାଣି ହେବ ବୋଲି ଖଣ୍ଡପୀଠ ତାରିଖ ନିର୍ଘଣ୍ଟ କରିଛନ୍ତି ।
ଅନେକ ଧାର୍ମିକ ପଣ୍ଡିତ ତଥା ବିଦ୍ୱାନ ତଥା ଐତିହାସିକଙ୍କ ମତାମତକୁ ଆଧାର କରି ନିଜ ପିଟିସନ୍ରେ ତାଜମହଲକୁ ତେଜୋ ମହାଳୟ (ଶିବାଳୟ ବା ଶିବ ମନ୍ଦିର) ଭାବେ ରଜନୀଶ ଦର୍ଶାଇଛନ୍ତି । ଏଥିସହ ଏସମ୍ପର୍କୀତ ତଥ୍ୟ ଖୋଜିବା ପାଇଁ ସରକାରଙ୍କୁ ଏକ କମିଟି ଗଠନ କରିବାକୁ ନିଦେ୍ର୍ଦଶ ଦେବାକୁ ମଧ୍ୟ ଡ. ରଜନୀଶ ଦାବି କରିଛନ୍ତି । ଏତଦ୍ବ୍ୟତୀତ ତାଜମହଲ ପରିସରରେ ସର୍ଭେ କରାଇବା ଦ୍ୱାରା ଏହା ବାସ୍ତବରେ ଏକ ଶୈବ ମନ୍ଦିର କିମ୍ବା ତାଜମହଲ ସେସମ୍ପର୍କରେ ସଠିକ୍ ସୂଚନା ମିଳିପାରିବ ବୋଲି ରଜନୀଶ କହିଛନ୍ତି । ସୁତରାଂ ସରକାରଙ୍କ ଦ୍ୱାରା ଏକ ଅନୁସନ୍ଧାନକାରୀ ଦଳ ଗଠନ କରାଯିବା ସହ ବନ୍ଦ ପଡ଼ିଥିବା ୨ଠ ବଖରାକୁ ଖୋଲି ସେଠାରେ ଯାଞ୍ଚ କରାଯିବା ଜରୁରି ହୋଇପଡିଛି ବୋଲି ସେ କହିଛନ୍ତି । ବନ୍ଦ ପଡ଼ିଥିବା ବଖରାଗୁଡ଼ିକୁ ଖୋଲିବା ଦ୍ୱାରା ହିଁ ସତ୍ୟାସତ୍ୟ ସାମ୍ନାକୁ ଆସିପାରିବ ବୋଲି ଡ.ରଜନୀଶ ନିଜ ପିଟିସନ୍ରେ ଯୁକ୍ତି ବାଢ଼ିଛନ୍ତି ।
ଆବେଦନରେ ଦେଶର କେତେଜଣ ପ୍ରଖ୍ୟାତ ଐତିହାସିକଙ୍କ ମତାମତ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରାଯାଇଛି । ତାଜମହଲର ୪ ମହଲାର ଉପର ଏବଂ ନିମ୍ନ ଭାଗରେ ଥିବା ୨ଠଟି ବଖରା ଯାହାକି ସ୍ଥାୟୀ ଭାବେ ବନ୍ଦ ରହିଛି । ଐତିହାସିକଙ୍କ ମତାମତ ଅନୁସାରେ ଏସବୁ ବଖରା ଭିତରେ ଶିବ ମନ୍ଦିର ରହିଥିବା ସେମାନେ ଅନୁମାନ କରୁଛନ୍ତି । ତେବେ ପୂର୍ବରୁ କେବେ ଏସବୁ ବଖରାଗୁଡ଼ିକୁ ଖୋଲାଯାଇଛି କି ନାହିଁ ସେସମ୍ପର୍କରେ କୌଣସି ସଠିକ୍ ସୂଚନା କାହା ପାଖରେ ନାହିଁ । ସୂଚନାଯୋଗ୍ୟ, ଅନେକ ବର୍ଷ ଧରି ଏକାଧିକ ହିନ୍ଦୁବାଦୀ ସଂଗଠନ ପକ୍ଷରୁ ତାଜମହଲକୁ ତେଜୋମହଲ ଭାବେ ଦର୍ଶାଯାଇଆସୁଛି । ଶ୍ରାବଣ ମାସରେ ଅନେକ ହିନ୍ଦୁ ସଂଗଠନ ପକ୍ଷରୁ ତାଜମହଲରେ ଶିବ ଆରତୀ (ପୂଜାର୍ଚ୍ଚନା) କରାଯିବା ପାଇଁ ମଧ୍ୟ ପ୍ରୟାସ ହୋଇଆସୁଛି । ନିକଟ ଅତୀତରେ ଜଗଦ୍ଗୁରୁ ପରମହଂସାଚାର୍ଯ୍ୟ ମଧ୍ୟ ତାଜମହଲକୁ ତେଜୋମହଲ’ଦର୍ଶାଇବା ସହ ତାଜମହଲ ମଧ୍ୟରେ ଶିବ ପୂଜା କରାଯିବା ଦାବିରେ ଅଡି ବସିଥିଲେ । ପରେ ଏହାକୁ ନେଇ ଅନେକ ବିବାଦ ମଧ୍ୟ ସୃଷ୍ଟି ହୋଇଥିଲା ।