ହୋଟେଲ ଶିଳ୍ପ ପାଇଁ ଇଡ୍କୋକୁ ହସ୍ତାନ୍ତର ହେବ ୬ ଏକର ଜମି

ମାପଚୁପ ପ୍ରକ୍ରିୟା ଆରମ୍ଭ, ଚିନ୍ତାରେ ପରିବେଶବିତ୍
କୋଣାର୍କ (ଆପ୍ର): ପର୍ଯ୍ୟଟନସ୍ଥଳୀ କୋଣାର୍କକୁ ବିଶ୍ୱସ୍ତରୀୟ ରୂପରେଖ ଦେବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ ଆରମ୍ଭ କରିଥିବା ଦେଖାଯାଇଛି । ଓଡ଼ିଶାର ପର୍ଯ୍ୟଟନ ଶିଳ୍ପକୁ ଆଉପାଦେ ଆଗକୁ ନେବାକୁ ଏବଂ ବିଶ୍ୱ ପ୍ରସିଦ୍ଧ କୋଣାର୍କକୁ ଦେଶ ବିଦେଶ ପର୍ଯ୍ୟଟକଙ୍କ ଆଗମନକୁ ନେଇ ସରକାର ସମୁଦ୍ର ନିକଟସ୍ଥ ୩୦୦ ଏକର ଜଙ୍ଗଲ ଜମି ଇଡ୍କୋକୁ ହସ୍ତାନ୍ତର କରି ଅନ୍ତର୍ଜାତୀୟସ୍ତରୀୟ ପର୍ଯ୍ୟଟନ ପ୍ରକଳ୍ପ ପାଇଁ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ଚନ୍ଦ୍ରଭାଗା ବେଳାମାର୍ଗରେ ୭୦ ଏକରରୁ ଊଦ୍ଧ୍ୱର୍ ଜମି ଇଡ୍କୋକୁ ଦେବା ପ୍ରକ୍ରିୟା ଚାଲିଥିବା ବେଳେ ଏବେ ପୁଣି ରାମଚଣ୍ଡୀ ମୁହାଁଣ ନିକଟ ଲୋଟସ ରିସର୍ଟ ନିକଟ ସାହୁଖଣତାରେ ଥିବା ଜଙ୍ଗଲ ଜମିକୁ ଇଡ୍କୋକୁ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ ପୁରୀ-କୋଣାର୍କ ବେଳମାର୍ଗ ରାମଚଣ୍ଡୀ ମୁହାଁଣ ନିକଟରେ ଥିବା ସାହୁଖଣତା ମୌଜାର ଖାତା ନଂ-୨ ପ୍ଲଟ୍ ନଂ-୧/୫ରେ ଥିବା ସମୁଦାୟ ୫.୬୫ ଏକର କିସମ-ଝାଉଁ ଜଙ୍ଗଲ (ରଖିତ ଅନାବାଦୀ) ଜମିକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ହୋଟେଲ ଶିଳ୍ପ ପ୍ରତିଷ୍ଠା ପାଇଁ ଇଡ୍କୋକୁ ହସ୍ତାନ୍ତର କରିବା ନିମନ୍ତେ ତୃତୀୟ ପର୍ଯ୍ୟାୟରେ ଶନିବାର ରାମଚଣ୍ଡୀ ନିକଟସ୍ଥ ଉକ୍ତ ଜମିକୁ ଇଡ୍କୋର ଏକ ପ୍ରତିନିଧି ଦଳୀ ଅନୁଧ୍ୟାନ କରୁଥିଲେ । ଏହି ସମୟରେ ପୁରୀ ପିକେଡିଏର ଅଧିକାରୀ, ଗୋପ ତହସିଲ୍ଦାର ଏସ୍କେ ସାଗିର, ଗୋପ ତହସିଲ୍ ଅମିନ ଜ୍ଞାନରଞ୍ଜନ ଭୋଇ, ସୁତନ ରାଜସ୍ୱ ନିରୀକ୍ଷକ ଯଶୋବନ୍ତ ନାୟକ, କୋଣାର୍କ ରାଜସ୍ୱ ନିରୀକ୍ଷକ ବିଚିତ୍ର ମୋହନ ମିଶ୍ର, ଅତିରିକ୍ତ ତହସିଲ୍ଦାର ଶରତ କୁମାର ପରିଡ଼ା ପ୍ରମୁଖ ଉପସ୍ଥିଥିଲେ । ଖୁବ୍ଶୀଘ୍ର ଏହା ଇଡ୍କୋକୁ ହସ୍ତାନ୍ତର କରାଯିବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି ।
ସୂଚନାଥାଉକି ସରକାରଙ୍କ ଏହି ଭୁଲ ନିଷ୍ପତ୍ତି ଯୋଗୁଁ ଏବେ ବିପଦ ମୁହଁରେ କୋଣାର୍କ । ପ୍ରାଥମିକ ପର୍ଯ୍ୟାୟରେରେ ଚନ୍ଦ୍ରଭାଗା ନିକଟସ୍ଥ ଅଭୟାରଣ୍ୟ ଜଙ୍ଗଲକୁ ଲାଗି ରହିଥିବା ୭୦ ଏକର ୪୭ ଡିସିମିଲ ଜମିକୁ ଏବେ ହସ୍ତାନ୍ତର କରାଯିବାକୁ ସମସ୍ତ ପ୍ରସ୍ତୁତି ପ୍ରଶାସନ ପକ୍ଷରୁ ଚୂଡ଼ାନ୍ତ ହୋଇସାରିଛି । ଏହା ଜଙ୍ଗଲ ଜମି ହୋଇଥିବାରୁ ଗଛ କଟଯିବା ପାଇଁ ଗଛ ଗଣତି କାର୍ଯ୍ୟ ସହିତ ନମ୍ବରିଂ କରାଯାଉଥିବା ଦେଖାଯାଇଛି । ବାତ୍ୟା, ବନ୍ୟା, ଭୂକମ୍ପ ତଥା ସୁନାମିର ଭୟ ନିତିଦିନିଆ କୋଣାର୍କ ଅଞ୍ଚଳବାସୀଙ୍କ ମନରେ ଲାଗି ରହୁଥିବା ବେଳେ ବିଶେଷ ଭାବେ ଏହା ଏକ ବାତ୍ୟା ପ୍ରବଣ ଅଞ୍ଚଳ ହୋଇଥିଲାବେଳେ ବୈଜ୍ଞାନିକଙ୍କ ପରାମର୍ଶକ୍ରମେ ଏହି ବାଲୁଖଣ୍ଡ ଅଭୟାରଣ୍ୟ ଓ ଏହା ଭିତରେ ଥିବା ଏହି ଝାଉଁ ଗଛ ଲତା ସବୁ ସାମୁଦ୍ରିକ ଝଡ଼ ଝଞ୍ଜା ଠାରୁ ଦୀର୍ଘ ଦିନ ହେବ ରକ୍ଷା କରି ଆସୁଥିଲେ ସମଗ୍ର କୋଣାର୍କ ଅଞ୍ଚଳକୁ । ଆଗାମୀ ଭବିଷ୍ୟତରେ କୌଣସି ପ୍ରାକୃତିକ ବିପର୍ଯ୍ୟୟ ପରି ସୁନାମି ଆସି ସମୁଦ୍ର ଗର୍ଭରେ କୋଣାର୍କ ବିଲୀନ ହେବାର ଆଶଙ୍କା ସୃଷ୍ଟି ହୋଇଛି । ସରକାର ଏହି ନିଷ୍ପତ୍ତିକୁ ରଦ୍ଦ ନ କରନ୍ତି ତେବେ କୋଣାର୍କ ଅଞ୍ଚଳବାସୀଙ୍କ ପକ୍ଷରୁ ଜୋର୍ଦାର ଆନେ୍ଦାଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *