ବାତ୍ୟା ବିପଦ ଟଳିଲା

ଭୁବନେଶ୍ୱର,୭ା୫(ବୁ୍ୟରୋ): ଓଡ଼ିଶା ଉପରୁ ଟଳିଯାଇଛି ବାତ୍ୟା ବିପଦ । ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ପାଶ୍ୱର୍ବର୍ତ୍ତୀ ଆଣ୍ଡାମାନ ସାଗର ଅଞ୍ଚଳରେ ସକ୍ରିୟ ଅବପାତ ଶନିବାର ସନ୍ଧ୍ୟାରେ ଗଭୀର ଅବପାତ ବା ଡିପ୍ ଡିପ୍ରେସନ୍ରେ ପରିଣତ ହୋଇଛି । ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବାସହ ରବିବାର ସନ୍ଧ୍ୟା ସୁଦ୍ଧା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବ । ହେଲେ ଏହି ସମ୍ଭାବ୍ୟ ବାତ୍ୟା ଓଡ଼ିଶା କିମ୍ବା ଆନ୍ଧ୍ର ପ୍ରଦେଶ ଉପକୂଳ ଛୁଇଁବନି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଡିଜି ମୃତୁ୍ୟଞ୍ଜୟ ମହାପାତ୍ର କହିଛନ୍ତି ।
ସମ୍ଭାବ୍ୟ ବାତ୍ୟା ଉତ୍ତର ପଶ୍ଚିମ ଦିଗରେ ଗତି କରି ୧ଠ ତାରିଖ ସନ୍ଧ୍ୟା ସୁଦ୍ଧା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଉପକୂଳରେ ପହଞ୍ଚିବ । ତା’ ପରେ ଦିଗ ପରିବର୍ତ୍ତନ କରିବ । ସମ୍ଭାବ୍ୟ ବାତ୍ୟା ଏଠାରୁ ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରିବ । ଆଇଏମ୍ଡି ଡିଜି କହିଛନ୍ତି, ସମ୍ଭାବ୍ୟ ବାତ୍ୟା ଲ୍ୟାଣ୍ଡଫଲ କରିବନି । ଦିଗ ବଦଳାଇବା ପରେ ଏହା ଆଉ ସ୍ଥଳଭାଗ ଛୁଇଁବନି । ତେବେ ସ୍ଥଳଭାଗ ନଛୁଇଁଲେ ବି ଏହାର ପ୍ରଭାବରେ ୧ଠ ତାରିଖ ସନ୍ଧ୍ୟାରୁ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକର ଅନେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା (୭ରୁ୧୧ ସେଣ୍ଟିମିଟର) ହେବାର ସମ୍ଭାବନା ରହିଛି । ସେହିପରି ୧୧ ତାରିଖରେ ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଓ କଟକ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ।
ଆକଳନ କରାଯାଉଛି ଯେ ଓଡ଼ିଶା ଉପକୂଳରୁ ସମାନ୍ତରାଳ ଭାବେ ବାତ୍ୟା ବାଂଲାଦେଶ କିମ୍ବା ମିଆଁମାର ଆଡ଼କୁ ମୁହାଁଇବ । ଉପକୂଳରୁ ପ୍ରାୟ ୧୦୦ରୁ ୨୦୦ କିମି ଦୂରରେ ଗତି କରିବ ଏହି ବାତ୍ୟା । ଫଳରେ ରାଜ୍ୟ ପ୍ରତି ବିପଦ ଟଳିଯିବ । ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ କେବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ପବନ ହେବ ନାହିଁ । ପାଣିପାଗ ବିଭାଗର କହିବା ଅନୁସାରେ, ଶନିବାର ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତୀ ଆଣ୍ଡାମାନ ସାଗରରେ ଗଭୀର ଅବପାତ କେନ୍ଦ୍ରୀଭୂତ ରହିଥିଲା । ଘଣ୍ଟାପ୍ରତି ୨ଠ କିମି ବେଗରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରୁଥିଲା । ଏହା ନିକୋବର ଦ୍ୱୀପପୁଞ୍ଜ ଠାରୁ ପଶ୍ଚିମ ଦିଗରେ ୨୮ଠ କିମି, ଆଣ୍ଡାମନ ଦ୍ୱୀପପୁଞ୍ଜ ଠାରୁ ଦକ୍ଷିଣ ଦକ୍ଷିଣ ପଶ୍ଚିମ ଦିଗରେ ୨୯ଠ କିମି, ବିଶାଖାପଟଣା(ଆନ୍ଧ୍ର ପ୍ରଦେଶ) ଠାରୁ ଦକ୍ଷିଣ ପୂର୍ବ ଦିଗରେ ୧୧୪ଠ କିମି ଏବଂ ଦକ୍ଷିଣ ଦକ୍ଷିଣ-ପୂର୍ବ ଦିଗରେ ପୁରୀ ଠାରୁ ୧୧୮ଠ କିମି ଦୂରରେ କେନ୍ଦ୍ରୀଭୂତ ଥିଲା ।
ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ରବିବାର ସନ୍ଧ୍ୟା ସୁଦ୍ଧା ଅଧିକ ଘନୀଭୂତ ହୋଇ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ବାତ୍ୟାରେ ପରିଣତ ହେବ । ବାତ୍ୟା ରୂପ ନେବା ପରେ ପରବର୍ତ୍ତୀ ସମୟରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ତଥା ସମୁଦ୍ର ମଧ୍ୟରେ ପାଶ୍ୱର୍ବର୍ତ୍ତୀ ଉତ୍ତର ଆନ୍ଧ୍ର ଏବଂ ଓଡ଼ିଶା ଉପକୂଳ ପହଞ୍ଚିବାର ସମ୍ଭାବନା ରହିଛି । ୧୦ ତାରିଖରେ ଏହା ଗତିପଥ ବଦଳାଇ ଉତ୍ତର ଉତ୍ତର-ପୂର୍ବ ଦିଗରେ ଗତି କରିବ ସହ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସମୁଦ୍ର ମଧ୍ୟରେ ଓଡ଼ିଶା ଉପକୂଳ ମୁହାଁଇବ । ହେଲେ ସ୍ଥଳାଭାଗ ଛୁଇଁନପାରେ । ଏହା ଉପକୂଳରୁ ସମାନ୍ତରାଳ ଭାବେ ଗତି କରି ମିଆଁମାର ଆଡ଼କୁ ମୁହାଁଇବ ।
ଆସନ୍ତା ୯ ତାରିଖରୁ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ସମୁଦ୍ରରେ ଥିବା ମତ୍ସ୍ୟଜୀବୀ ୮ ସୁଦ୍ଧା ଫେରି ଆସିବାକୁ ପରାମର୍ଶ ଦିଆଯାଇଛି । ତେବେ ବାତ୍ୟା ପ୍ରଭାବରେ କେବଳ ମଧ୍ୟମ ଧରଣର ବର୍ଷା ହୋଇପାରେ । ସମୁଦ୍ରରେ ପବନ ଘଣ୍ଟାପ୍ରତି ସର୍ବାଧିକ ୫୦ରୁ ୬୦ କିଲୋମିଟର ବେଗରେ ବହିବ । ୧୦ ତାରିଖରେ ଗଞ୍ଜାମ, ଗଜପତି ଓ ପୁରୀରେ ବର୍ଷା ହେବାର ସମ୍ଭାବନା ଅଛି । ସେହିପରି ୧୧ତାରିଖରେ ଗଞ୍ଜାମ, ପୁରୀ, ଜଗତସିଂହପୁର ଖୋର୍ଦ୍ଧା ଓ କଟକରେ ବର୍ଷା ହେବାର ସମ୍ଭାବନା ରହିଛି । କିଛି ସ୍ଥାନରେ ୭୦ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ । ଓଡ଼ିଶାର ସମସ୍ତ ସାମୁଦ୍ରିକ ବନ୍ଦ ପାଇଁ ୧ ନମ୍ବର ବିପଦ ସଂକେତ ଜାରି କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *