ମମତାଙ୍କ ପୁତୁରାବୋହୂ ନାଁରେ ଗିରଫ ପରୱାନା
ପଶ୍ଚିମବଙ୍ଗ କୋଇଲା ଦୁର୍ନୀତି ମାମଲା
କୋଲକତା (ଏଜେନ୍ସି): ପଶ୍ଚିମବଙ୍ଗ କୋଇଲା ଦୁର୍ନୀତି ମାମଲାରେ ଶାସକ ଦଳ ତୃଣମୂଳ କଂଗ୍ରେସ (ଟିଏମ୍ସି) ନେତା ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ପତ୍ନୀ ରୁଜିରା ବାନାର୍ଜୀ (ମମତା ବାନାର୍ଜୀଙ୍କ ପୁତୁରା ବୋହୂ) ନାମରେ ଗିରଫ ପରୱାନା ଜାରି ହୋଇଛି । ଶନିବାର ଦିଲ୍ଲୀ ମେଟ୍ରୋପଲିଟାନ୍ କୋର୍ଟ, ଏହି ଗିରଫ ପରୱାନା ଜାରି କରିଛନ୍ତି । ତେବେ ଏଥିରେ ରୁଜିରା ଜାମିନ୍ ଆବେଦନ କରିପାରିବେ ବୋଲି ଜଣାପଡିଛି । ପ୍ରକାଶ, କୋଇଲା ଦୁର୍ନୀତି ଅଭିଯୋଗରେ ଛନ୍ଦି ହୋଇପଡିଥିବା ରୁଜିରା ବାନାର୍ଜୀଙ୍କୁ ଇଡି ପକ୍ଷରୁ ବାରମ୍ବାର ତଦନ୍ତରେ ସହଯୋଗ କରିବାକୁ ସମନ୍ ଜାରି କରାଯିବା ସତ୍ତ୍ୱେ ରୁଜିରା ଏହାକୁ ଅଗ୍ରାହ୍ୟ କରି ଚାଲିଥିଲେ । ଏନେଇ ଇଡି ପକ୍ଷରୁ କୋର୍ଟରେ ପିଟିସନ୍ ଦାଖଲ କରାଯିବା ପରେ କୋର୍ଟ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି । ଅନ୍ୟପକ୍ଷେ ଏହି ମାମଲାରେ ଶୁଣାଣି କରିବା ପାଇଁ କୋର୍ଟ ଅଗଷ୍ଟ ୨ଠକୁ ଦିନ ଧାର୍ଯ୍ୟ କରିଛନ୍ତି ।
ସୂଚନାଯୋଗ୍ୟ, ପଶ୍ଚିମବଙ୍ଗର ଆସାନସୋଲ୍ ଅନ୍ତର୍ଗତ କୁନୁସ୍ତୋରିଅ । ଏବଂ କାଜୋରା ଅଞ୍ଚଳରେ ଥିବା କୋଇଲା ଖଣିରୁ କୋଟି କୋଟି ଟଙ୍କାର କୋଇଲା ଚୋରା ଚାଲାଣ ହୋଇଥିବା ଅଭିଯୋଗ କରି ୨ଠ୨ଠ ନଭେମ୍ବରରେ ଇଡି ପକ୍ଷରୁ ମନି ଲଣ୍ଡରିଙ୍ଗ୍ ଆକ୍ଟ୍ ଅନ୍ତର୍ଗତ ମାମଲା ରୁଜୁ କରାଯାଇଥିଲା । ତେବେ ସେତେବେଳେ ଏସମ୍ପର୍କରେ ସେପରି ବିଶେଷକିଛି କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିନଥିଲ । ଅନ୍ୟପକ୍ଷେ, ଏହି ମାମଲାରେ ସ୍ଥାନୀୟ କୋଇଲା ବ୍ୟବସାୟୀ ଅନୁପ ମାଝୀ ଓରଫ ଲାଲା ମୁଖ୍ୟ ଅଭିଯୁକ୍ତ ଥିବା ଜାଣିବାକୁ ମିଳିଛି । କୋଇଲା ଖଣିରୁ ଚୋରା ଚାଲାଣ ହେଉଥିବା କୋଇଲା ପାଇଁ ଟିଏମ୍ସି ନେତା ଅଭିଷେକ ଏବଂ ତାଙ୍କ ପତ୍ନୀ ରୁଜିରାଙ୍କୁ ବିପୁଳ ଅର୍ଥ ମିଳୁଥିବା ଇଡି ସନେ୍ଦହ କରିଆସୁଛି । ତେବେ ଇଡି ଅଭିଯୋଗକୁ ଅଭିଷେକ ପୂର୍ବରୁ ଖାରଜ କରିସାରିଥିବା ବେଳେ ଏବେ ରୁଜିରାଙ୍କ ପଛରେ ଇଡି ପଡ଼ିଯାଇଛି ।