ରୋହିଣୀକୁଣ୍ଡ ଖୋଲିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର
ପୁରୀ (ବୁ୍ୟରୋ): ଶ୍ରୀକ୍ଷେତ୍ରକୁ ଦୂରଦୂରାନ୍ତରୁ ଭକ୍ତ ଧାଇଁ ଆସନ୍ତି ପଞ୍ଚତୀର୍ଥରେ ପାଣି ସିଞ୍ଚନ ହୋଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ । ପଞ୍ଚତୀର୍ଥରୁ ଅନ୍ୟତମ ଶ୍ରୀମନ୍ଦିର ଭିତରେ ଥିବା ରୋହିଣୀ ତୀର୍ଥ କୁଣ୍ଡ, ହେଲେ ଏବେ ଏହା ଅପୂଜା ଅବସ୍ଥାରେ । ଏପରିକି କୁଣ୍ଡ ଉପରେ ପଟା ପଡ଼ିଛି । ଭକ୍ତମାନେ ରୋହିଣୀ କୁଣ୍ଡର ପବିତ୍ର ଜଳ ସିଞ୍ଚନରୁ ବଞ୍ଚିତ ହେଉଛନ୍ତି, ଯାହାଫଳରେ ଭକ୍ତଙ୍କ ଧାର୍ମିକ ଭାବନା ପ୍ରତି କୁଠାରଘାତ ହେଉଛି । ଶ୍ରୀମନ୍ଦିର ଭିତର ବେଢ଼ାରେ ମୁକ୍ତିମଣ୍ଡପ ନିକଟରେ ରହିଛି ଏହି ରୋହିଣୀ ତୀର୍ଥ କୁଣ୍ଡ । ଭକ୍ତମାନେ ବେଢ଼ା ପରିକ୍ରମା କରିବା ବେଳେ ଏହି କୁଣ୍ଡରୁ ପବିତ୍ର ଜଳକୁ ସିଞ୍ଚନ କରିଥାନ୍ତି । ସେବାୟତ ରୋହିଣୀ କୁଣ୍ଡର ଜଳ ସିଞ୍ଚନ ହେଲେ ପାପ ଖଣ୍ଡନ ସହ ଗୋ-ହତ୍ୟା କରିଥିବା ଲୋକେ ମୋକ୍ଷ ହେବାର ବିଶ୍ୱାସ ରହିଛି । ହେଲେ ଏବେ ରୋହିଣୀ କୁଣ୍ଡଟି ଅପୂଜା ଅବସ୍ଥାରେ ପଡ଼ି ରହିଛି । ଏପରିକି କୁଣ୍ଡ ଉପରେ କାଠ ପଟା ପକାଯାଇଛି ।
ଶ୍ରୀମନ୍ଦିର ବିଧିବିଧାନ ଓ ପରମ୍ପରା ଅନୁସାରେ ପ୍ରାଚୀନ କାଳରୁ ଚାଲିଆସୁଥିବା ରୋହିଣୀ ତୀର୍ଥ କୁଣ୍ଡକୁ ଭକ୍ତଙ୍କ ଲାଗି ଖୋଲାଯିବାକୁ ଦାବି କରିଛି ପୁରୀ ଜିଲ୍ଲା ଯୁବ ଅଧିବକ୍ତା ସଂଘ । ଏନେଇ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛି ସଂଘ । ଏଥିସହିତ ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରିବା ପାଇଁ ସଂଘ ମତ ଦେଇଛି । ଉକ୍ତ ଦାବି ପ୍ରଦାନ ସମୟରେ ସଂଘର ଆବାହକ ଅନିଲ୍ କୁମାର ସାହୁ, ସଭାପତି ବିଶ୍ୱଜିତ ପ୍ରଧାନ, ସୁଭାଶିଷ ମହାନ୍ତି, ପ୍ରଶାନ୍ତ କୁମାର ରଣା, ସୁରେଶ ମହାପାତ୍ର, ବିଜୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।