ଚମକିବ ଶ୍ରୀବଳଦେବ ଜୀଉଙ୍କ ବଡ଼ଦାଣ୍ଡ
କେନ୍ଦୁଝର (ଆପ୍ର): କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀଶ୍ରୀ ବଳଦେବ ଜୀଉଙ୍କ ପୀଠ ପାଲଟିବ ଐତିହ୍ୟ ସ୍ଥଳୀ । ଏଥିପାଇଁ ବଳଦେବ ଜୀଉଙ୍କ ମନ୍ଦିର, ବଡ଼ଦାଣ୍ଡ ଓ ପାରିପାଶ୍ୱର୍ିକ ଉନ୍ନୟନ ପାଇଁ ଉନ୍ନତୀକରଣ ଓ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ଆରମ୍ଭ କରାଯାଇଛି ବୋଲି ଜିଲ୍ଲାପାଳ ଆଶିଷ ଠାକ୍ରେ କହିଛନ୍ତି । ଚଳିତ ମଇ ୬ ତାରିଖ ଶୁକ୍ରବାର ସନ୍ଧ୍ୟାରେ କେନ୍ଦୁଝରଗଡ଼ ପୁରୁଣା ସହର ବଡ଼ଦାଣ୍ଡରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଠାକ୍ରେ ଉନ୍ନତୀକରଣ, ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ସମ୍ପର୍କରେ ସବିଶେଷ ସୂଚନା ଦେଇଥିଲେ । ବଡ଼ଦାଣ୍ଡ ନୂଆ ରୂପରେ ଝଲସିବ ବୋଲି କହିଥିଲେ । ଶ୍ରୀବଳଦେବ ଜୀଉଙ୍କ କାଷ୍ଟ ନିର୍ମିତ ରଥ ସମଗ୍ର ପୃଥିବୀରେ ସର୍ବୋଚ୍ଚ ରଥର ମାନ୍ୟତା ଲାଭ କରିଛି । ଯାହାର ସ୍ୱୀକୃତି ସ୍ୱରୂପ ଗିନିଜ୍ ବୁକ୍ ଅଫ୍ ୱାଲର୍ଡ ରେକର୍ଡରେ ସ୍ଥାନ ପାଇଛି ବୋଲି ଜିଲ୍ଲାପାଳ ଘୋଷଣା କରିଥିଲେ । ଏସ୍ପି ମିତ୍ରଭାନୁ ମହାପାତ୍ର ଏବଂ ଡିଏଫ୍ଓ କେନ୍ଦୁଝର ଧନରାଜ ଏଚ୍ଡି, ରାସ୍ତା ଓ ଗୃହ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସନ୍ତୋଷ ବେହେରା, ଉପ-ଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀ ସମସ୍ତଙ୍କ ସହଯୋଗରେ ଏହା ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇପାରିବ ବୋଲି କହିଥିଲେ ।
ଏହି ପରିପ୍ରେକ୍ଷୀରେ ବଡ଼ଦାଣ୍ଡ ଓ ପାରିପାଶ୍ୱର୍ିକ ଉନ୍ନୟନ ଓ ସୌନ୍ଦର୍ଯ୍ୟକରଣ ପାଇଁ ଯୋଜନାବଦ୍ଧ ଭାବେ ପ୍ରକଳ୍ପ ପ୍ରସ୍ତୁତ କରାଯାଇଛି । ଏହି କାର୍ଯ୍ୟ ଆଗାମୀ ରଥଯାତ୍ରା ପୂର୍ବରୁ ଶେଷ କରାଯିବ । ବଡ଼ଦାଣ୍ଡର ଉନ୍ନତିୀକରଣ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକ୍ରମ ସ୍ୱରୂପ ବିଭିନ୍ନ ପ୍ରକାର ଫୁଳର ଚିତ୍ର, ପାରମ୍ପରିକ କଳା, ବଡ଼ଦାଣ୍ଡ ପାଶ୍ୱର୍ରେ ଲାଇଟ୍ ପୋଷ୍ଟରେ ଶ୍ରୀ ବଳଦେବ ଜୀଉଙ୍କର ବିଭିନ୍ନ ବେଶର ପଟ୍ଟଚିତ୍ର ପ୍ରଦର୍ଶନ, ଆଲୋକୀକରଣ ବ୍ୟବସ୍ଥା ତଥା ଆନୁଷଙ୍ଗିକ ବିକାଶ କରାଯିବ ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ଶ୍ରୀ ବଳଦେବ ଜୀଉଙ୍କ ରଥ ନନ୍ଦିଘୋଷ ନେସନାଲ୍ ରେକର୍ଡସ୍, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ, ଏସିଆ ପାସିଫିକ୍ ଆଇକନ, ଗ୍ଲୋବାଲ ରେକର୍ଡସ, ୱଣ୍ଡର ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇ ସାରିଥିଲା । ଏହି ଅବସରରେ ଶ୍ରୀ ବଳଦେବ ଜୀଉଙ୍କର ସେବାରେ ନିଜକୁ ନିୟୋଜିତ ରଖି ନିଷ୍ଠା ଓ ଆନ୍ତରିକତାର ସହ ପରମ୍ପରାକୁ ବଜାୟ ରଖିଥିବା ଚାରିପୀଢ଼ ଭୂୟାଁ ସର୍ଦ୍ଦାର କୁଞ୍ଜ ଦେହୁରୀ ଏବଂ ବଡ଼ପଣ୍ଡା ଭାବେ ଶ୍ରୀ ବଳଦେବ ଜୀଉଙ୍କ ମନ୍ଦିରରେ ଦୀର୍ଘଦିନ ଧରି ନିରବଛିନ୍ନ ଭାବରେ ନିଷ୍ଠାର ସହ ରୀତିନୀତି ପାଳନରେ ମହନୀୟ କାର୍ଯ୍ୟ କରିଥିବା ବଡ଼ପଣ୍ଡା ରାଜ କିଶୋର ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉପନିଦେ୍ର୍ଦଶକ ସୂଚନା ଓ ଲୋକ ସମ୍ପର୍କ ସଂଜୀବ ବାରିକ ପ୍ରାରମ୍ଭରେ ସ୍ୱାଗତ ଭାଷଣ ସହ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ।