ବିଜୟରୁ ମିଳେ ଉକ୍ରର୍ଷ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ବୁ୍ୟରୋ): ବିଜୟ ଏକ ଅଭ୍ୟାସ । ଏଥିରୁ ମିଳେ ଉକ୍ରର୍ଷତା । ଆମ ପିଲାମାନେ ଉକ୍ରର୍ଷତାକୁ ଏକ ଅଭ୍ୟାସରେ ପରିଣତ କରିଛନ୍ତି । ବିଶ୍ୱରେ ଶ୍ରେଷ୍ଠ ସହ ପ୍ରତିଯୋଗିତା କରିବା ଏବଂ ବିଜୟ ହାସଲ କରିବା ଏବେ ଓଡ଼ିଆ ପିଲାଙ୍କ ଅଭ୍ୟାସ ହୋଇଛି । ଭାରତ ଦକ୍ଷତା ପ୍ରତିଯୋଗିତାର ବିଜେତାଙ୍କୁ ସମ୍ବର୍ଦ୍ଧିତ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ପ୍ରକାଶ କରିଛନ୍ତି । ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଭାରତ ଦକ୍ଷତା ପ୍ରତିଯୋଗିତା ୨ଠ୨୧ରେ ଓଡ଼ିଶାର ଛାତ୍ରଛାତ୍ରୀ ୫୯ଟି ମେଡାଲ ହାତେଇଛନ୍ତି ।
ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟର ଠାରେ ବିଜେତାଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଛନ୍ତି । ଚଳିତବର୍ଷ ଅକ୍ଟୋବରରେ ଚୀନ୍ର ସାଂଘାଇ ଠାରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ଦକ୍ଷତା ପ୍ରତିଯୋଗିତାର ବିଜେତାଙ୍କ ପାଇଁ ବିଜୁ ପଟ୍ଟନାୟକ ଦକ୍ଷତା ପୁରସ୍କାର ବାବଦ ଅର୍ଥରାଶି ବୃଦ୍ଧି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏହି ସଂସ୍କରଣ ଠାରୁ ବିଶ୍ୱ ଦକ୍ଷତା ପ୍ରତିଯୋଗିତାର ସ୍ୱର୍ଣ୍ଣ ବିଜେତାଙ୍କୁ ୧ କୋଟି, ରୌପ୍ୟ ବିଜେତାଙ୍କୁ ୫ଠ ଲକ୍ଷ ଏବଂ ବ୍ରୋଞ୍ଜ ଜିତିଲେ ୨୫ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯିବ ବୋଲି ସେ ଘୋଷଣା କରିଛନ୍ତି ।
ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ଭାଗ ନେବାକୁ ଯାଉଥିବା ବିଜେତାଙ୍କ ଆବଶ୍ୟକ ପ୍ରଶିକ୍ଷଣ ଦିଗରେ ଓଡ଼ିଶା ଶ୍ରେଷ୍ଠ ସମ୍ବଳର ବିନିଯୋଗ କରିବ । ସେମାନେ ୨ଠ୨୨ ଅକ୍ଟୋବରରେ ହେବାକୁ ଥିବା ବିଶ୍ୱ ଦକ୍ଷତା ପ୍ରତିଯୋଗିତା ପାଇଁ ଜୋରଦାର ପ୍ରସ୍ତୁତି କରିବେ । ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ ପ୍ରତିପୋଷଣ କରୁଥିବା ଅନୁଷ୍ଠାନକୁ ବିଜୁ ପଟ୍ଟନାୟକ ଉକ୍ରର୍ଷ କେନ୍ଦ୍ର ସ୍ଥାପନ ପାଇଁ ୫ କୋଟି ଟଙ୍କା ପ୍ରଦାନ କରାଯିବ । ତେବେ ସାଂଘାଇରେ ହେବାକୁ ଥିବା ବିଶ୍ୱ ପ୍ରତିଯୋଗିତା ପାଇଁ ସେ ୨-୩-୪ ଟାର୍ଗେଟ୍ ଧାର୍ଯ୍ୟ କରିଛନ୍ତି । ଦେଶ ପାଇଁ ୨ଟି ସ୍ୱର୍ଣ୍ଣ, ୩ଟି ରୌପ୍ୟ ଏବଂ ୪ଟି ବ୍ରୋଞ୍ଜ ମେଡାଲ ଓଡ଼ିଶାର ପିଲା ଆଣିବା ପାଇଁ ଲକ୍ଷ୍ୟ ରହିଛି ।
ବିଶ୍ୱ ଦକ୍ଷତା ପ୍ରତିଯୋଗିତାର ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏବେଠାରୁ ତୁମେମାନେ ‘ମନରେ ସାଂଘାଇ, ହୃଦୟରେ ଭାରତ’ ଚିନ୍ତା ନେଇ ସ୍ୱପ୍ନକୁ ବାସ୍ତବ ରୂପ ଦେବାକୁ ଆଗକୁ ବଢ଼ । ପ୍ରତିଯୋଗୀଙ୍କୁ ଅଭିନନ୍ଦନ ଜଣା ମୁଖ୍ୟମନ୍ତ୍ରୀ କହିଲେ, ଭାରତ ଦକ୍ଷତା ପ୍ରତିଯୋଗିତାରେ ମୋଟ୍ ୫୯ ମେଡାଲ ହାତେଇ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିଛି । ସମସ୍ତ ବିଜେତା, ସେମାନଙ୍କ ପିତା-ମାତା, କୋଚ୍, ଅନୁଷ୍ଠାନ, ଶିଳ୍ପ ସହଯୋଗୀଙ୍କୁ ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ । ଏହାସହ ସହାୟତା ପାଇଁ ଜାତୀୟ ଦକ୍ଷତା ବିକାଶ ନିଗମକୁ ମଧ୍ୟ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ସୁବ୍ରତ ବାଗ୍ଚୀ, ବିଭାଗୀୟ ସଚିବ ହେମନ୍ତ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *