ଶେଷ ଓଭର୍ରେ ଜିତିଲା ରାଜସ୍ଥାନ
ମୁମ୍ବାଇ, ୭ା୫ (ଏଜେନ୍ସି): ରାଜସ୍ଥାନ ରୟାଲ୍ସ ଶନିବାର ଚଳିତ ଆଇପିଏଲ୍ର ୫୨ତମ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସକୁ ୬ ୱିକେଟ୍ରେ ପରାସ୍ତ କରିଛି । ୧୯୦ ରନ୍ର ବିଜୟଲକ୍ଷ୍ୟ ନେଇ ଖେଳିଥିବା ରାଜସ୍ଥାନ ଟିମ୍ ଶେଷ ଓଭର୍ରେ ଦୁଇଟି ବଲ୍ ବାକି ଥାଇ ବିଜୟୀ ହୋଇଛି । ଧୂଆଁଦାର ଅର୍ଦ୍ଧଶତକୀୟ ଇନିଂସ୍ ଖେଳିଥିବା ଯଶସ୍ୱୀ ଜୈସୱାଲ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି ।
ରାଜସ୍ଥାନର ଏହା ୧୧ ମ୍ୟାଚ୍ରୁ ସପ୍ତମ ବିଜୟ ଏବଂ ଟିମ୍ ୧୪ ପଏଣ୍ଟ ପାଇ ଟେବୁଲ୍ରେ ତୃତୀୟ ସ୍ଥାନରେ ରହିଛି । ଅନ୍ୟପଟେ, ୧୦ ପଏଣ୍ଟ ସହ ସପ୍ତମ ସ୍ଥାନରେ ଥିବା ପଞ୍ଜାବର ଏହା ୧୧ ମ୍ୟାଚ୍ରୁ ଷଷ୍ଠ ପରାଜୟ ।
ଯଶସ୍ୱୀ ଓ ଜୋସ୍ ବଟ୍ଲର୍ ରାଜସ୍ଥାନ ଇନିଂସ୍ ଓପନ୍ କରିଥିଲେ । ଉଭୟ ପ୍ରଥମ ୱିକେଟ୍ ପାଇଁ ଦ୍ରୁତ ୪୬ (୨୪ ବଲ୍ରୁ) ରନ୍ ଯୋଗ କରିଥିଲେ । ବଟ୍ଲର୍ ୩୦ ରନ୍ କରି କାଗିସୋ ରାବାଡ଼ାଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଏହାପରେ କ୍ରିଜ୍ରେ ଯୋଗ ଦେଇଥିଲେ ଅଧିନାୟକ ସଞ୍ଜୁ ସାମ୍ସନ୍ । ଦ୍ୱିତୀୟ ୱିକେଟ୍ ପାଇଁ ୩୯ ରନ୍ର ଭାଗୀଦାରୀ ହୋଇଥିଲା । ସଞ୍ଜୁ (୨୩) ପୁଣି ଥରେ ବଡ଼ ଇନିଂସ୍ ଖେଳି ପାରି ନ ଥିଲେ । ତାଙ୍କ ୱିକେଟ୍ ରିଷି ଧାବନ୍ଙ୍କ ଖାତାକୁ ଯାଇଥିଲା ।
ଦୃଢ଼ତାର ସହ ଖେଳୁଥିବା ଯଶସ୍ୱୀ ଏହାପରେ ନୂଆ ବ୍ୟାଟର୍ ଦେବଦତ୍ତ ପଡ୍ଡିକଲଙ୍କ ସହ ମିଶି ଇନିଂସ୍କୁ ଆଗେଇ ନେଇଥିଲେ । ଇତ୍ୟବସରେ ଯଶସ୍ୱୀ ୩୩ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ଆଇପିଏଲ୍ରେ ଏହା ତାଙ୍କର ଦ୍ୱିତୀୟ ଅର୍ଦ୍ଧଶତକ ଥିଲା । ଉଭୟ ୫୬ ରନ୍ ଯୋଗ କରିଥିଲେ । ଟିମ୍ର ସ୍କୋର୍ ୧୪୧ ହୋଇଥିବା ବେଳେ ଯଶସ୍ୱୀ ବ୍ୟକ୍ତିଗତ ୬୮ (୪୧ ବଲ୍ରୁ ୯ ଚୌକା ଓ ୨ ଛକା ସହାୟତାରେ) ରନ୍ରେ ଅର୍ଶଦୀପ ସିଂହଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଦେବଦତ୍ତ ୩୧ ରନ୍ର ଇନିଂସ୍ ଖେଳି ଅର୍ଶଦୀପଙ୍କ ଦ୍ୱିତୀୟ ଶିକାର ହୋଇଥିଲେ । ଏହାପରେ ଶିମରନ୍ ହେଟମାୟର ବିସ୍ଫୋରକ ବ୍ୟାଟିଂ କରି ଟିମ୍କୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇଥିଲେ । ରାଜସ୍ଥାନ ଟିମ୍ ୧୯.୪ ଓଭର୍ରେ ୪ ୱିକେଟ୍ ହରାଇ ୧୯୦ ରନ୍ ସଂଗ୍ରହ କରିଥିଲା ।
ହେଟମାୟର ୧୬ ବଲ୍ରୁ ୩୧ ରନ୍ କରି ରିୟାନ ପରାଗ (୦)ଙ୍କ ସହ ଅପରାଜିତ ଥିଲେ । ବିପକ୍ଷ ବୋଲର୍ ଅର୍ଶଦୀପ ୨ଟି ୱିକେଟ୍ ନେଇଥିବା ବେଳେ ରାବାଡ଼ା ଓ ରିଷି ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
ଏଥି ପୂର୍ବରୁ ପଞ୍ଜାବ ଟିମ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଧାର୍ଯ୍ୟ ୨୦ ଓଭର୍ରେ ୫ ୱିକେଟ୍ ହରାଇ ୧୮୯ ରନ୍ ସଂଗ୍ରହ କରିଥିଲା । ଜନି ବେଆରଷ୍ଟୋ ଓ ଶିଖର ଧାବନ୍ ଓପନିଂ ୱିକେଟ୍ ଯୋଡ଼ିରେ ୪୭ ରନ୍ ଯୋଗ କରିଥିଲେ । ଧାବନ୍ ମାତ୍ର ୧୨ ରନ୍ କରି ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଏହାପରେ ବେଆରଷ୍ଟୋ ନୂଆ ବ୍ୟାଟର୍ ଭାନୁକା ରାଜପାକ୍ଷଙ୍କ ସହ ମିଶି ୪୨ ରନ୍ ଯୋଗ କରିଥିଲେ । ରାଜପାକ୍ଷ (୨୭)ଙ୍କୁ ଆଉଟ୍ କରି ଯୁଜବେନ୍ଦ୍ର ଚହଲ ଏହି ଯୋଡ଼ି ଭାଙ୍ଗିଥିଲେ ।
୧୫ତମ ଓଭର୍ରେ ଚହଲ ପ୍ରଥମେ ଅଧିନାୟକ ମୟଙ୍କ (୧୫) ଓ ଏହାପରେ ବେଆରଷ୍ଟୋ (୪୦ ବଲ୍ରୁ ୫୬)ଙ୍କୁ ପାଭିଲିଅନ୍ ପଠାଇଥିଲେ । ବେଆରଷ୍ଟୋ ଚଳିତ ସିଜନ୍ରେ ପ୍ରଥମ ଅର୍ଦ୍ଧଶତକ ଲଗାଇଥିଲେ । ଲିଆମ୍ ଲିଭିଙ୍ଗ୍ଷ୍ଟୋନ୍ ୨୨ ରନ୍ କରି ପ୍ରସିଦ୍ଧ କ୍ରିଷ୍ଣଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଜିତେଶ ଶର୍ମା ୧୮ ବଲ୍ରୁ ୩୮ ଓ ରିଷି ୫ ରନ୍ କରି ଅପରାଜିତ ଥିଲେ । ବିପକ୍ଷ ବୋଲର ଚହଲ ୨୮ ରନ୍ ଦେଇ ୩ଟି ଏବଂ ପ୍ରସିଦ୍ଧ ଓ ଅଶ୍ୱିନ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।