ହାଣ୍ଡିଶାଳରେ ମହଙ୍ଗା ମାଡ଼
ନୂଆଦିଲ୍ଲୀ/ଭୁବନେଶ୍ୱର, ୭ା୫: ରନ୍ଧନ ଗ୍ୟାସ୍ ଦର ପୁଣି ବଢ଼ିଛି । ୧୪.୨ କେଜିର ଏଲ୍ପିଜି ସିଲିଣ୍ଡର ମୂଲ୍ୟ ଶନିବାର ୫୦ ଟଙ୍କା ବଢ଼ାଇ ଦିଆଯିବା ଫଳରେ ଭୁବନେଶ୍ୱରରେ ଏହାର ଦାମ୍ ୧୦୨୬ ଟଙ୍କା ହୋଇଛି । ଏହା ପୂର୍ବରୁ ମାର୍ଚ୍ଚରେ ଏଲ୍ପିଜି ଦର ବୃଦ୍ଧି କରାଯାଇଥିଲା । ମାତ୍ର ଦେଢ଼ ମାସ ପରେ ଏଲ୍ପିଜି ସିଲିଣ୍ଡର ଏକାଥରକେ ୫୦ ଟଙ୍କା ମହଙ୍ଗା ହେବାରୁ ଖାଉଟିଙ୍କ ଚିନ୍ତା ବଢ଼ିଛି ।
୨୦୨୧ ଏପ୍ରିଲ୍ ପରଠାରୁ ଏଲ୍ପିଜି ସିଲିଣ୍ଡର ମୂଲ୍ୟରେ ଏପର୍ଯ୍ୟନ୍ତ ୧୯୦ ଟଙ୍କା ବୃଦ୍ଧି କରାଗଲାଣି । ଗତ ସପ୍ତାହରେ ୧୯ କେଜିର ବ୍ୟବସାୟିକ ଏଲ୍ପିଜି ସିଲିଣ୍ଡର ମୂଲ୍ୟ ୧୦୨ ଟଙ୍କା ବୃଦ୍ଧି କରାଯାଇଥିଲା । ଫଳତଃ ଏହାର ମୂଲ୍ୟ ୨୩୫୫ ଟଙ୍କା ୫୦ ପଇସା ହୋଇଛି । ଏବେ ୫ କେଜି ସିଲିଣ୍ଡରର ମୂଲ୍ୟ ୬୫୫ ଟଙ୍କା ରହିଛି ।
ଗ୍ୟାସ୍ ଦର ଏତେ କମ୍ ବ୍ୟବଧାନରେ ଏତେ ଅଧିକ ବୃଦ୍ଧି କରାଯାଇଥିବାରୁ ବିରୋଧୀ ରାଜନୈତିକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ, ସାଧାରଣ ଜନତାଙ୍କ ସୁରକ୍ଷା ପାଇଁ କଂଗ୍ରେସ ସରକାର ଦ୍ୱାରା କରାଯାଇଥିବା ସବୁ ବ୍ୟବସ୍ଥାକୁ ନରେନ୍ଦ୍ର ମୋଦି ସରକାର ଇତିମଧ୍ୟରେ ହଠାଇ ଦେଇଛନ୍ତି । ତାଙ୍କ ଫେସ୍ବୁକ୍ ପୋଷ୍ଟରେ ରାହୁଲ ଲେଖିଛନ୍ତି, ଆଜି ଲକ୍ଷ ଲକ୍ଷ ଭାରତୀୟ ପରିବାର ଅତ୍ୟଧିକ ମୁଦ୍ରାସ୍ପୀତି ବେକାରୀ ଓ ଖରାପ ଶାସନ ବିରୋଧରେ ଲଢ଼ୁଛନ୍ତିି । ‘ମହଙ୍ଗା ମୁକ୍ତ ଭାରତ’ ଓ ବିଜେପି ଫେଲ୍ସ ଇଣ୍ଡିଆ’ ହାଷ୍ଟ୍ରାକ୍ଟ ସହିତ ସେ ଲେଖିଛନ୍ତି କଂଗ୍ରେସ ଦଳ କେବେ ବି ଏପରି ହେବାକୁ ଦେବ ନାହିଁ ।
କଂଗ୍ରେସ ଦଳ ପକ୍ଷରୁ କୁହାଯାଇଛି ଯେ, ମୋଦି ସରକାର ଗତ ୮ ବର୍ଷରେ ସବ୍ସିଡ୍ୟୁକ୍ତ ରୋଷେଇ ଗ୍ୟାସ୍ର ମୂଲ୍ୟ ୫୮୫ ଟଙ୍କାରୁ ଅଧିକ ବଢ଼ାଇଛନ୍ତି ଏବଂ ଦିଆଯାଇ ଆସୁଥିବା ସବ୍ସିଡିକୁ ମଧ୍ୟ ସମାପ୍ତ କରିଦେଇଛନ୍ତି । କଂଗ୍ରେସର ମୁଖ୍ୟ ପ୍ରବକ୍ତା ରଣଦୀପ ସୁରଜେୱାଲା ଟ୍ୱିଟ୍ କରି ଲେଖିଛନ୍ତି, ବିଜେପି ମାଲାମାଲ୍ ହେଉଥିବା ବେଳେ ଲୋକେ ବେହାଲ । ବିଜେପି ଶାସନରେ ସବ୍ସିଡିଯୁକ୍ତ ଏଲ୍ପିଜି ସିଲିଣ୍ଡର ଦାମ୍ ଅଢ଼େଇଗୁଣ ବଢ଼ିଛି । ଏବେ ମଧ୍ୟବିତ ଓ ଗରିବ ଲୋକ ଏଲ୍ପିଜି ସିଲିଣ୍ଡର କିଣିବାକୁ ଅସମର୍ଥ ।
କଂଗ୍ରେସ ନେତା ସଚିନ ପାଇଲଟ୍ କହିଛନ୍ତି, କେନ୍ଦ୍ର ସରକାରଙ୍କ କୁଶାସନରେ ପ୍ରତ୍ୟେକ ସକାଳ ଲୋକଙ୍କ ପାଇଁ ଦୁଃସମ୍ବାଦ ଆଣୁଛି । ସାଧାରଣ ଲୋକଙ୍କ ସଞ୍ଚୟରେ ଗ୍ରହଣ ଲଗାଇ ବିଜେପି ଦେଶବାସୀଙ୍କୁ ଠକି ଚାଲିଛି ।