ରୁଷ୍ର ବିଜୟ ଦିବସ ଉପରେ ସମସ୍ତଙ୍କ ନଜର

ମସ୍କୋ, ୭ା୫: ମେ’୯ ତାରିଖ ସୋମବାର ରୁଷିଆ ପାଳିବ ବିଜୟ ଦିବସ । ୟୁକ୍ରେନ୍ରେ ଘୋର ଯୁଦ୍ଧ ଲାଗି ରହିଥିବାବେଳେ ମସ୍କୋରେ ଶନିବାର ବିଜୟ ଦିବସ ପରେଡ୍ର ଡ୍ରେସ୍ ରିହର୍ସଲ ସମ୍ପନ୍ନ ହୋଇଛି । ମସ୍କୋ ରେଡ୍ ସ୍କୋୟାରରେ ଡ୍ରେସ୍ ରିହର୍ସଲ୍ରେ ମଧ୍ୟ ରୁଷ୍ ତା’ର ପରମାଣୁ ଅସ୍ତ୍ର ପ୍ରଦର୍ଶନ କରିଛି । ଏହା ସହିତ ୮ଟି ରୁଷୀୟ ଯୁଦ୍ଧ ବିମାନ ‘ଜେଡ୍’ ସଙ୍କେତ ଆକାରରେ ଉଡାଣ ଭରିବା ଦେଖିବାକୁ ମିଳିଥିଲା । ଡ୍ରେସ୍ ରିହର୍ସଲ୍ରେ ୧୧ ହଜାର ସୈନିକ ଅଂଶ ଗ୍ରହଣ କରିଥିଲେ ।
୯ ତାରିଖରେ କିଭଳି କେଉଁଠି ବିଜୟ ଦିବସ ପାଳିତ ହେବ ଏବଂ ସେ ଦିନ ୟୁକ୍ରେନ୍ ଉପରେ ରୁଷ୍ ବିଜୟ ଘୋଷଣା କରିବ କି ନାହିଁ, ଏ ସବୁ ଉପରେ ସାରା ଦୁନିଆର ନଜର ରହିଛି ।
୧୯୪୧ ଜୁନ୍ ୨୨ରୁ ଆରମ୍ଭ ହୋଇ ୧୯୪୫ରେ ଶେଷ ହୋଇଥିବା ଦ୍ୱିତୀୟ ବିଶ୍ୱଯୁଦ୍ଧରେ ନାଜୀ ବାହିନୀକୁ ପରାସ୍ତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା ରୁଷ୍ ସେନା । ତାରି ସ୍ମୃତିରେ ରୁଷିଆ ପ୍ରତିବର୍ଷ ମେ’ ୯ରେ ବିଜୟ ଦିବସ ପାଳନ କରିଥାଏ । ଏ ବର୍ଷ ଏହି ଦିବସର ଭବ୍ୟ ପରେଡ୍ ୟୁକ୍ରେନ୍ର ମାରିପୋଲ୍ ସହରରେ ମଧ୍ୟ ଆୟୋଜିତ ହେବାର ଥିଲା । କିନ୍ତୁ ମସ୍କୋ ପକ୍ଷରୁ କୁହାଯାଇଛି ଯେ, ଯୁଦ୍ଧବିଧ୍ୱସ୍ତ ବନ୍ଦର ନଗରୀ ମାରିପୋଲ୍ରେ ବିଜୟ ଦିବସ ଆୟୋଜନ କରାଯିବ ନାହିଁ । ରୁଷ୍ ରାଷ୍ଟ୍ରପତି ବ୍ଲାଦିମିର୍ ପୁତିନ୍ଙ୍କ ପ୍ରେସ୍ ସଚିବ ଦିମିତ୍ରୀ ପେସକୋବ କହିଛନ୍ତି ଏକ ଉଚିତ୍ ସମୟ ଆସିବ ଯେତେବେଳେ ବ୍ୟାପକ ତରିକାରେ ୟୁକ୍ରେନ୍ରେ ଉତ୍ସବ ଅନୁଷ୍ଠିତ ହେବ । ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଅମର ରେଜିମେଣ୍ଟ୍ (ଇମୋର୍ଟାଲ୍ ରେଜିମେଣ୍ଟ୍)ର ପରେଡ୍ ସେ ଦିନ ଡୋନେଟ୍ସ୍କ ଓ ଲୁହାନ୍ସ୍କରେ ମଧ୍ୟ ଆୟୋଜିତ ହେବ ନାହିଁ ।
ୟୁକ୍ରେନ୍ ରାଜଧାନୀ କିବ୍ରେ ସାମିରକ ଆଇନ୍ ଲାଗୁ ହୋଇଥିବାରୁ ମେ’ ୮ ଓ ୯ ତାରିଖ ଦିନ ରୁଷ୍ର ବିଜୟ ଦିବସ ସମ୍ବନ୍ଧୀୟ କୌଣସି କାର୍ଯ୍ୟକ୍ରମକୁ ଅନୁମତି ଦିଆଯିବ ନାହିଁ ବୋଲି କହିଛନ୍ତି କିବ୍ର ମେୟର ବିଟାଲୀ କ୍ଲିଟ୍ସ୍କୋ । ସେ ତାଙ୍କ ଫେସ୍ବୁକ୍ ପେଜ୍ରେ ଲେଖିଛନ୍ତି ସୋମବାର କିବ୍ର ନାଗରିକମାନେ ସାଇରନ ପ୍ରତି ଅଣଦେଖା ନ କରିବା ଉଚିତ୍ ।
ଉଲ୍ଲେଖଯୋଗ୍ୟ ଯେ, ସୋମବାର ରୁଷିଆ ୟୁକ୍ରେନ୍ ଉପରେ ବଡ଼ ଧରଣର ଆକ୍ରମଣ କରିପାରେ । ସେ ଦିନ ମଧ୍ୟ କିବ୍ ଉପରେ ପ୍ରବଳ ବୋମା ବର୍ଷଣ ହେବା ଆଶଙ୍କା ରହିଛି ।
ମସ୍କୋ ସ୍ଥିତ ଆମେରିକୀୟ ଦୂତାବାସ ପକ୍ଷରୁ ବାର୍ଷିକ ବିଜୟ ଦିବସ ସମାରୋହରେ ଯୋଗ ନ ଦେବା ଲାଗି ମାର୍କିନ୍ ନାଗରିକମାନଙ୍କୁ କୁହାଯିବା ସହ ସୁରକ୍ଷା ଚେତାବନୀ ଦିଆଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *