ଜାରି ହେଲା ଆରେଷ୍ଟ ୱାରେଣ୍ଟ
ବଗ୍ଗାକୁ ଗିରଫ କରିବାକୁ ପୁଣି ଦିଲ୍ଲୀ ଆସିବ ପଞ୍ଜାବ ପୁଲିସ
ନୂଆଦିଲ୍ଲୀ/ ଚଣ୍ଡୀଗଡ଼ (ଏଜେନ୍ସି): ବିଜେପି ନେତା ତଜିନ୍ଦର ପାଲ୍ ବଗ୍ଗାଙ୍କ ପାଇଁ ସମସ୍ୟା ବଢ଼ିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଦିନକ ପୂର୍ବେ ନାଟକୀୟ ଢ଼ଙ୍ଗରେ ପଞ୍ଜାବ ପୁଲିସ୍ ହାତରୁ ଦିଲ୍ଲୀ ପୁଲିସ୍ ବଗ୍ଗାଙ୍କୁ ନେଇଯାଇଥିବା ବେଳେ ଏହାକୁ ନେଇ ତିନି ରାଜ୍ୟ ଦିଲ୍ଲୀ-ପଞ୍ଜାବ-ହରିଆଣା ପୁଲିସ୍ ମୁହାଁମୁହିଁ ହୋଇଛନ୍ତି । ଏମିତି ସ୍ଥିତିରେ ଶନିବାର ପଞ୍ଜାବର ମୋହାଲି କୋର୍ଟ ତଜିନ୍ଦର ପାଲ୍ ବଗ୍ଗାଙ୍କ ବିରୁଦ୍ଧରେ ଗିରଫ ୱାରେଣ୍ଟ ଜାରି କରିଛନ୍ତି । ଜୁଡିସିଆଲ ମାଜିଷ୍ଟ୍ରେଟ୍ ରବିତେଶ ଇନ୍ଦ୍ରଜିତ୍ ସିଂହ ପରବର୍ତ୍ତ ଶୁଣାଣିରେ କୋର୍ଟ ବଗ୍ଗାଙ୍କୁ ହାଜର କରାଇବା ପାଇଁ ସାଇବର କ୍ରାଇମ ଥାନା ପ୍ରଭାରୀଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଏବେ ପଞ୍ଜାବ ପୁଲିସ୍ ବଗ୍ଗାକୁ ଆଣିବା ପାଇଁ ଦିଲ୍ଲୀ ଗସ୍ତ କରିବ ବୋଲି ସୂଚନା ମିଳିଛି । ଉଲ୍ଲେଖଯୋଗ୍ୟ, ଶୁକ୍ରବାର ଦିଲ୍ଲୀର ଜନକପୁରୀ ସ୍ଥିତ ବାସଭବନରୁ ତଜିନ୍ଦର ବଗ୍ଗାଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ ମଧ୍ୟ ହରିଆଣା ପୁଲିସ୍ ସହାୟତାରେ ଦିଲ୍ଲୀ ପୁଲିସ୍ ପଞ୍ଜାବ ପୁଲିସ୍ ବାଧକ ସାଜିଥିଲେ ଏବଂ ବଗ୍ଗାକୁ ନେଇଯିବାକୁ ଦେଇନଥିଲେ । ବାଧ୍ୟ ହୋଇ ପଞ୍ଜାବ ପୁଲିସ୍ ଫେରିଯାଇଥିଲା । ଏବେ କୋର୍ଟ ବଗ୍ଗା ବିରୋଧରେ ୱାରେଣ୍ଟ ଜାରି କରିଥିବାରୁ ପଞ୍ଜାବ ପୁଲିସ୍ ପୁନର୍ବାର ଦିଲ୍ଲୀ ଆସି ବଗ୍ଗାକୁ ନେବା ପାଇଁ ପ୍ରକ୍ରିୟା ଆରମ୍ଭ କରିବ ବୋଲି ଅନୁମାନ କରାଯାଉଛି । ଅନ୍ୟପକ୍ଷେ ଏହି ଘଟଣାକୁ କେନ୍ଦ୍ର କରି ସମ୍ପ୍ରତି ବିଜେପି, ଆମ୍ ଆଦ୍ମୀ ପାର୍ଟି (ଆପ୍) ମୁହାଁମୁହିଁ ହୋଇଛନ୍ତି । ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଆକ୍ରୋଶମୂଳକ ରାଜନୀତି କରୁଥିବା ବିଜେପି ଅଭିଯୋଗ କରିଛି । ଏତଦ୍ବ୍ୟତୀତ ଦିଲ୍ଲୀସ୍ଥିତ ଆମ୍ ଆଦ୍ମୀ ପାର୍ଟି (ଆପ୍)ର କାର୍ଯ୍ୟାଳୟ ଏବଂ କେଜରିୱାଲଙ୍କ ବାସଭବନ ସମ୍ମୁଖରେ ଏବଂ ଦୁଇ ଦିନ ଧରି ବିଜେପି କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ପ୍ରକାଶ, ଅରବିନ୍ଦ କେଜରିୱାଲ, କାଶ୍ମୀର ପଣ୍ଡିତଙ୍କ ଉପରେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ବଗ୍ଗା, କେଜରିୱାଲଙ୍କୁ ବାରମ୍ବାର ଟାର୍ଗେଟ୍ କରିବା ଆରମ୍ଭ କରିଦେଇଥିଲେ । ଏହାକୁ ନେଇ ତାଙ୍କ ବିରୋଧରେ ପଞ୍ଜାବରେ ମାମଲା ରୁଜୁ ହେବା ପରେ ପଞ୍ଜାବ ପୁଲିସ୍ ତାଙ୍କୁ ଗିରଫ କରିବାକୁ ଚେଷ୍ଟା କରିଆସୁଛି ।