ନୂତନ ପ୍ରକଳ୍ପ ଲାଗି କ୍ଷେତ୍ର ପରିଦର୍ଶନ କଲେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ

ପୁରୀ (ବୁ୍ୟରୋ): ଶନିବାର ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଦିନିକିଆ ବ୍ରହ୍ମଗିରି ଗସ୍ତରେ ଆସି ନିର୍ବାଚନମଣ୍ଡଳୀରେ ଜାରି ରହିଥିବା ଓ ନୂତନ ପ୍ରକଳ୍ପ କାର୍ଯ୍ୟ କରିବା ଲାଗି କ୍ଷେତ୍ର ପରିଦର୍ଶନ କରିଛନ୍ତି । ପ୍ରଥମେ ଶ୍ରୀ ଦାସବର୍ମା ବ୍ରହ୍ମଗିରି ବ୍ଲକ୍ ପଲଙ୍କ ଠାରେ ଏକନାଳିଆରୁ ସୁନାମୁଖିକୁ ସଂଯୋଗ କରୁଥିବା କେନାଲ୍ରେ ପଲଙ୍କ ଓ ଚଣ୍ଡୀପୁଟ ସଂଲଗ୍ନ ମୌଜାର ଜାଣମୁହଁ ଠାରେ ନୂତନ ସୁଇସ୍ ଗେଟ୍ ଏବଂ ମଧୁର କାମଡ଼ା ବନ୍ଧ ଠାରେ ନୂତନ କଲଭର୍ଟ ନିର୍ମାଣ, ଘଟକୁଦୀ ପଞ୍ଚାୟତର କୃଷ୍ଣସରଣପୁର ଗାଁ ଠାରୁ ଉତ୍ତରାୟଣ ପୀଠ ପର୍ଯ୍ୟନ୍ତ ଦେଢ଼ କିଲୋମିଟର ବନ୍ଧର ସୁଦୃଢ଼ୀକରଣ କରିବା ଲାଗି ଜଳସମ୍ପଦ ବିଭାଗକୁ ନିଦେ୍ର୍ଦଶ ଦେଇଛନ୍ତି ।
ସେହିପରି ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା କୃଷ୍ଣସରଣପୁର ଗାଁ ମୁଣ୍ଡରେ ଏକ କଂକ୍ରିଟ୍ ୱାଲ୍, କାଣ୍ଡଗୋଦା ପଞ୍ଚାୟତ ଗୋଦରାବିନ୍ଧା ଗ୍ରାମରୁ ଜଳ ନିଷ୍କାସନ କରିବା ଲାଗି ନୂତନ ଡ୍ରେନ୍ ନିର୍ମାଣ ଏବଂ ପୁରୀ ସଦର ବ୍ଲକ୍ କହ୍ନେଇବିଦ୍ୟାଧରପୁର ପଞ୍ଚାୟତର ଶିରୁଳି ଠାରୁ ଓଲସରା ପର୍ଯ୍ୟନ୍ତ ବିଜୁଳି କୋଣ ଘେରିବନ୍ଧର ୨ କିଲୋମିଟର ପର୍ଯ୍ୟନ୍ତ ପୁନରୁଦ୍ଧାର ଓ ୬ ଗୋଟି ନୂତନ ଶଙ୍ଖ ନିର୍ମାଣ ଲାଗି କ୍ଷେତ୍ର ପରିଦର୍ଶନ କରିବା ସହ ଖୁବ୍ଶୀଘ୍ର କାମ ଆରମ୍ଭ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିଦେ୍ର୍ଦଶ ଦେଇଛନ୍ତି ।
ଏହି ଗ୍ରସ୍ତ ସମୟରେ ଜଳସମ୍ପଦ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପ୍ରଶାନ୍ତ କୁମାର ଦାସ, ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଉପନିର୍ବାହୀ ଯନ୍ତ୍ରୀ ନାରାୟଣ ବେହେରା ଓ ଯନ୍ତ୍ରୀ ଗୁମାନ ସିଂ, ବ୍ଲକ୍ ଉପାଧ୍ୟକ୍ଷଙ୍କ ପ୍ରତିନିଧି ବିଜୟ କୁମାର ଦଳାଇ, ପଲଙ୍କ ସରପଞ୍ଚଙ୍କ ପ୍ରତିନିଧି ସୁମନ୍ତ କୁମାର ସ୍ୱାଇଁ, ସମିତି ସଭ୍ୟଙ୍କ ପ୍ରତିନିଧି ଭରତ ବେହେରା, ଘଟକୁଦି ସରପଞ୍ଚ ଆଲୋକ କୁମାର ବିଶ୍ୱାଳ, ସମିତିସଭ୍ୟ ରାକେଶ କୁମାର ଭଟ୍ଟ, କାଣ୍ଡଗୋଦା ପଞ୍ଚାୟତର ପୂର୍ବତନ ସରପଞ୍ଚ ଅକ୍ଷୟ କୁମାର ପ୍ରଧାନ, ପୁରୀ ସଦର ବ୍ଲକ୍ ଜିଲ୍ଲା ପରିଷଦଙ୍କ ପ୍ରତିନିଧି ନୁନୁ ମିଶ୍ର, କହ୍ନେଇବିଦ୍ୟାଧରପୁର ପଞ୍ଚାୟତର ସମିତି ସଭ୍ୟାଙ୍କ ପ୍ରତିନିଧି କୈଳାସ ଚନ୍ଦ୍ର ମିଶ୍ର ଏବଂ ପ୍ରତ୍ୟେକ ଗ୍ରାମର ମୁରବୀମାନେ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *