ଲାଞ୍ଚ ନେଇ ଧରାପଡ଼ିଲେ ମହିଳା ତହସିଲଦାର
କୁଚିଣ୍ଡା (ଆପ୍ର): ଆଇନର ଜାଲରେ ପଡ଼ିଛନ୍ତିି ଆଉ ଜଣେ ମହିଳା ତହସିଲଦାର । ବେଆଇନ ବାଲି ସୈରାତ ମାମଲାରେ ବଡ଼ସାହି ତହସିଲଦାର ମମତାଜ ମହାରଣା ସସ୍ପେଣ୍ଡ ହୋଇଥିବା ବେଳେ ଏକ କଟା ଖନନ ନିମିତ୍ତ ଅନୁମତି ପ୍ରଦାନ ପାଇଁ ଲକ୍ଷାଧିକ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତିି ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ଅତିରିକ୍ତ ତହସିଲଦାର ସାରଦା ମହାରଣା ।
ଜୁନାନୀ ଗାଁର ଅଶୋକ ପଟେଲ ଏକ କଟା ଖନନ ପାଇଁ ଅନୁମତି ଲୋଡ଼ିଥିଲେ । ଏଥିପାଇଁ ସାରଦା ମହାରଣା ଦେଢ଼ ଲକ୍ଷ ଟଙ୍କା ଦାବୀ କରିଥିଲେ ଓ ୧ଲକ୍ଷ ୨୦ହଜାର ଟଙ୍କାରେ କଥା ଛିଣ୍ଡିଥିଲା । ଅଶୋକଙ୍କଠାରୁ ଶନିବାର ଅପରାହ୍ଣରେ ସାରଦା ଟଙ୍କା ଦେଉଥିବା ସମୟରେ ଭିଜିଲାନ୍ସ ଟିମ ହାତରେ ଧରାପଡ଼ିଥିଲା । ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି । ଏଥିସହିତ ଅତିରିକ୍ତ ତହସିଲଦାରଙ୍କ ଅଫିସ ଓ କୁଚିଣ୍ଡା ସ୍ଥିତ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇ ୩ ଲକ୍ଷ ୩ ହଜାର ୬୧୦ ଟଙ୍କା ଜବତ କରାଯାଇଥିବା ଜଣାପଡ଼ିଛି । ସମ୍ବଲପୁର ଭିଜିଲାନ୍ସ ପକ୍ଷରୁ ତାଙ୍କ ନାଁରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଛି । ତାଙ୍କ ଘରେ ଏତେ ଟଙ୍କା କ’ଣ ପାଇଁ ଥିଲା ଓ ଏହା କେଉଁଠୁ ଆସିଥିଲା ସେ ନେଇ ତଦନ୍ତ ଜାରି ରହିଛି ।
ସାରଦା ମହାରଣା କହିଛନ୍ତି, ତାଙ୍କ ଉପରେ ରାଗ ରଖି ଏପରି କରାଯାଇଛି । ବେଆଇନ କାର୍ଯ୍ୟକଳାପ ବିରୋଧରେ ପଦକ୍ଷେପ ନେବାରୁ ଷଡ଼ଯନ୍ତ୍ର କରି ଫସାଇ ଦିଆଯାଇଛି ବୋଲି ସେ କହିଛନ୍ତି ।