ବେଡ୍ ତଳେ ଶବ, ଉପରେ ଚାଲିଛି ଚିକିତ୍ସା
କଟକ (ବୁ୍ୟରୋ)ଏସସିବି ମେଡିକାଲକୁ ବିଶ୍ୱସ୍ତରୀୟ କରିବା ପାଇଁ ରାଜ୍ୟସରକାର ଅନେକ ବ୍ୟବସ୍ଥା ଆପଣାଇଛନ୍ତି । କିନ୍ତୁ ଏହି ସବୁ ଭିତରେ ଏସସିବି ମେଡିକାଲରେ ଅନେକ ଅବ୍ୟବସ୍ଥା ସାମ୍ନାକୁ ଆସୁଛି । କେତେବେଳେ ରୋଗୀଙ୍କ ଉପରକୁ ଫ୍ୟାନ ପଡି ଯାଉଛି ତ ପୁଣି କେତେବେଳେ ମେଡିକାଲରୁ ରୋଗୀ ନିଖୋଜ ହେବାର ଖବର ମିଳୁଛି । ତେବେ ଆଜି ଏସସିବିରେ ପୁଣି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବେଡ ଉପରେ ରୋଗୀର ଚିକିତ୍ସା ଚାଲୁଥିବା ବେଳେ ବେଡ଼ ତଳେ ଅନ୍ୟ ଏକ ରୋଗୀର ମୃତଦେହ ପଡ଼ିରହିଛି । ଏପରିକି ମୃତଦେହକୁ ପାଦରେ ଏଡାଇ ନର୍ସ ଓ ଡାକ୍ତର ବେଡ ଉପରେ ଥିବା ରୋଗୀର ଚିକିତ୍ସା କରୁଛନ୍ତି । ତେବେ ଏହି ଘଟଣା ଲୋକଲାଚନକୁ ଆସିବା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହି ଖବର ପାଇଁ ମଙ୍ଗଳାବାଗ ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଡ଼ାକ୍ତର ଓ ଉପସ୍ଥିତ ଥିବା ଷ୍ଟାଫମାନଙ୍କ ସହ ଆଲୋଚନା କରିଥିଲେ । ଏହାପରେ ପ୍ରଶାସନିକ ଅଧିକାରୀ ହସ୍ପିଟାଲରେ ପହଞ୍ଚି ମୃତଦେହକୁ ଡାକ୍ତରଖାନାରୁ ଶବଗୃହକୁ ସ୍ଥାନାନ୍ତର କରିଥିଲେ । ଏନେଇ ପ୍ରଶାସନିକ ଅଧିକାରୀ କହିଛନ୍ତି, ମୃତକଙ୍କ କେହି ସମ୍ପର୍କୀୟ ତାଙ୍କ ପାଖରେ ନାହାନ୍ତି । ସେଥିପାଇଁ ମୃତଦେହଟିକୁ ଶବଗୃହରେ ରଖାଯିବ । ୪୮ ଘଣ୍ଟା ପରେ ପ୍ରୋଟୋକଲ ଅନୁସାରେ ଯାହା କରିବା କଥା କରାଯିବ । ଆଗକୁ ଏଭଳି ଘଟଣାର ଯେଭଳି ପୁନରାବୃତ୍ତି ହେବନି ସେନେଇ ଉଦ୍ୟମ କରାଯିବ ବୋଲି ଏସ୍ସିବି ପ୍ରଶାସନିକ ଅଧିକାରୀ ଅବିନାଶ ରାଉତ କହିଛନ୍ତି ।
ସୂଚନାଯୋଗ୍ୟ, ଗତକାଲି ସକାଳେ ଭଦ୍ରକ ଅଞ୍ଚଳର ଜଣେ ରୋଗୀଙ୍କୁ ନେଇ ସମ୍ପର୍କୀୟ ଏସସିବି ଆସିଥିଲେ । ତାଙ୍କୁ କାଜୁଆଲଟିରେ ଭର୍ତ୍ତି କରାଯାଇଥିବା ବେଳେ କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା । ପରେ ତାଙ୍କ ସମ୍ପର୍କୀୟମାନେ ମୃତଦେହ ଛାଡ଼ି ଚାଲି ଯାଇଥିଲେ । ବିଡ଼ମ୍ବନାର ବିଷୟ ଯେ ମୃତଦେହଟି ଗତକାଲିଠାରୁ ବେଡ଼ ତଳେ ପଡିରହିଥିବା ବେଳେ ଏଥିପ୍ରତି କାହାର ନଜର ନଥିଲା । ସେପଟେ ଯେଉଁ ବେଡ୍ ତଳେ ମୃତଦେହ ପଡ଼ିଥିଲା ତା’ ଉପରେ ରୋଗୀଙ୍କର ଚିକିିତ୍ସା ମଧ୍ୟ ଚାଲିଥିଲା । ଡାକ୍ତର ଓ ନର୍ସ ଆସି ରାଗୀଙ୍କର ଚିକତ୍ସା କରୁଥିଲେ କିନ୍ତୁ ତଳେ ପଡିଥିବା ମୃତଦେହକୁ ଉଠାଇ ନେଉନଥିଲେ । ଯାହାକୁ ନେଇ ମେଡ଼ିକାଲରେ କିଛି ସମୟ ଉତ୍ତେଜନା ସୃଷ୍ଟି ହୋଇଥିଲା । ଶେଷରେ ମେଡିକାଲ ଫାଣ୍ଡିରୁ ପୁଲିସ ଆସି ଘଟଣାସ୍ଥଳରେ ପହଞ୍ଚି ଡାକ୍ତର ଓ ଉପସ୍ଥିତ ଥିବା ମେଡିକାଲ କର୍ମଚାରୀଙ୍କ ସହ ଆଲାଚନା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ୨୪ ଘଣ୍ଟା ପରେ ମୃତଦେହକୁ ଉଠାଇ ଶବଗୃହକୁ ନିଆଯାଇଥିଲା । ତେବେ ମୃତଦେହକୁ ନେବା ପାଇଁ ଏଯାଏଁ ବି କେହି ସଂପର୍କୀୟ ଆସିନଥିବା ସୂଚନା ମିଳିଛି । ତେବେ ଏହି ଘଟଣାରେ ମେୟର ସୁବାଷ ସିଂ କହିଛନ୍ତି ଏସସିବି ମେଡ଼ିକାଲ ପାଇଁ ରାଜ୍ୟ ସରକାର ଅନେକ ଯୋଜନା ହାତକୁ ନେଉଛନ୍ତି । ରେଗୀଙ୍କୁ ଯେପରି ଉନ୍ନତମାନର ସେବା ମିଳିପାରିବ ସେଥିପାଇଁ ଏସସିବିକୁ ବିଶ୍ୱସ୍ତରୀୟ କରି ଗଢ଼ିତୋଳିବ ପାଇଁ କାମ ଜାରି ରହିଛି । କିନ୍ତୁ ଏସସିବିରେ ବେଡ଼ ଉପରେ ରୋଗୀ ଓ ତଳେ ମୃତଦେହ ପଡ଼ିରହିଥିବା ଘଟଣା ଅତ୍ୟନ୍ତ ମର୍ମାହିତ କରିଛି । ତେବେ ଏହି ଘଟଣା ଖବର ପାଇବା ପରେ ଏସସିବି ମେଡ଼ିକାଲ ଓ କଲେଜର ଡିନ୍ ଡାକ୍ତର ପ୍ରସନ୍ନଜିତ ମହାନ୍ତିଙ୍କ ସହ ଆଲାଚନା କରିଛନ୍ତି । ଏହି ଘଟଣା ସମୟରେ କେଉଁ ଅଧିକାରୀ ଉପସ୍ଥିତ ଥିଲେ ।କଣ ପାଇଁ ଏହି ଭଳି ଅଭାବନୀୟ ଘଟଣା ଘଟିଲା ତାହା ପଙ୍ଖାନୁପଙ୍ଖ ରିପୋର୍ଟ ପ୍ରସ୍ତୁତ କରି ଦେବାକୁ ନିଦେ୍ର୍ଦଶ ଦିଆଯାଇଚି । ଆଗକୁ ଏହି ଭଳି ଘଟଣା ଯେପରି ନ ହୁଏ ତା ଉପରେ ଦୃଷ୍ଟି ଦେବାକୁ ମଧ୍ୟ କହିଛନ୍ତି ମେୟର ।