୮ରେ ବାତ୍ୟା ରୂପ
ସ୍ପଷ୍ଟ କଲା ଆଇଏମ୍ଡି
ଭୁବନେଶ୍ୱର,୬ା୫(ବୁ୍ୟରୋ): ସମ୍ଭାବ୍ୟ ବାତ୍ୟାକୁ ନେଇ ଜାରି ରହିଥିବା ଦ୍ୱନ୍ଦ୍ୱ ଦୂର ହୋଇଛି । ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଶୁକ୍ରବାର ଲଘୁଚାପ ରୂପ ନେବା ପରେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ବାତ୍ୟା ନେଇ ପ୍ରାଥମିକ ଆକଳନ କରିଛି । ସମ୍ଭାବ୍ୟ ବାତ୍ୟାକୁ ନେଇ ବିଭିନ୍ନ ମଡେଲ ଭିନ୍ନ ଭିନ୍ନ ଆକଳନ କରିଥିବାବେଳେ ଆଇଏମ୍ଡି ଏପର୍ଯ୍ୟନ୍ତ ବାତ୍ୟା କେଉଁଠି ସ୍ଥଳଭାଗ ଛୁଇଁବ, ସେ ସମ୍ପର୍କରେ ଆକଳନ କରିପାରିନି ।
ଦକ୍ଷିଣ-ପୂର୍ବ ବଙ୍ଗୋପସଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ୮ ତାରିଖରେ ବାତ୍ୟା ରୂପ ନେବ ବୋଲି କହିଛି ଆଇଏମ୍ଡି । ବାତ୍ୟା ପରେ ଏହା ଓଡ଼ିଶା ଉପକୂଳକୁ ମୁହାଁଉଥିବା ଚିତ୍ର ଜାରି କରାଯାଇଛି । ହେଲେ ଏହା ବାତ୍ୟା ରୂପରେ ସ୍ଥଳଭଗ ଛୁଇଁବ ନାଁ ଦୁର୍ବଳ ହୋଇପାରେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ କରାଯାଇନି । ଶନିବାର ସମ୍ପୂର୍ଣ୍ଣ ଚିତ୍ର ସ୍ପଷ୍ଟ ହେବ ବେଲି ପାଣିପାଗ ବିଭାଗ ଆକଳନ କରିଛି ।
ପାଣିପାଗ ବିଭାଗର ଆକଳନ ଅନୁସାରେ, ଦକ୍ଷିଣ ଆଣ୍ଡାମାନରେ ସୃଷ୍ଟି ହୋଇଥିବା ଲଘୁ·ପ କ୍ଷେତ୍ର ପରବର୍ତ୍ତୀ ସମୟରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ କେନ୍ଦ୍ରୀଭୁତ ହୋଇପାରେ । ଶନିବାର ସନ୍ଧ୍ୟା ସୁଦ୍ଧା ଏହା ଡିପ୍ରେସନ୍ ବା ଅବପାତରେ ପରିଣତ ହେବ । ତା’ପର ୨୪ ଘଣ୍ଟା ସୁଦ୍ଧା ଅର୍ଥାତ୍ ୮ ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟାରେ ଏହା ପରିଣତ ହୋଇ ଉତ୍ତର ପଶ୍ଚିମ ଦିଗରେ ଗତି କରିପାରେ ।
ଆସନ୍ତା ୯ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅଞ୍ଚଳରେ(ସମୁଦ୍ରରେ) ପବନର ବେଗ ଘଣ୍ଟାପ୍ରତି ୬୫ ରୁ ୭୫ କିମି ସହ ଝଟ୍କା ବା ସର୍ବାଧିକ ପବନର ବେଗ ଘଣ୍ଟାପ୍ରତି ୮୫ କିମି ଯାଏଁ ରହିବାର ସମ୍ଭାବନା ରହିଛି । ଏହି ପବନ କ୍ରମଶଃ ବୃଦ୍ଧି ପାଇ ୧୦ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ଏବଂ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଅଞ୍ଚଳରେ ଘଣ୍ଟା ପ୍ରତି ୭୦ରୁ ୮୦ କିମି ସହ ସର୍ବାଧିକ ୯୦ କିମି ଯାଏ ରହିବାର ସମ୍ଭାବନା ରହିଛି ।
ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୧୦ ତାରିଖରେ ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୧୦ ଓ ୧୧ ତାରିଖରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ଜଗତସିଂହପୁରରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବାତ୍ୟା ସମୁଦ୍ରରେ ବଳ ଗୋଟାଇ ଉପକୂଳ ଆଡ଼କୁ ଆସୁଥିବାରୁ ୧୦ ତାରିଖ ପୂର୍ବରୁ ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରୁ ସ୍ଥଳଭାଗକୁ ଫେରି ଆସିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।
ଅନ୍ୟପକ୍ଷରେ କୃଷି ପାଣିପାଗ ବିଜ୍ଞାନୀ ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି ଯେ ଉଭୟ ଜିଏଫ୍ଏସ୍ ଓ ଇସିଏମ୍ଡବ୍ଲୁ୍ୟ ଏଫ୍ ମଡେଲ କହୁଛି ସୃଷ୍ଟ ଲଘୁଚାପ ୯ ତାରିଖରେ ଗଭୀର ଅବପାତରେ ପରିଣତ ହେବ । ଏହାପରେ ପ୍ରତିକୂଳ ପରିସ୍ଥିତି ଯୋଗୁ ବିଶେଷ ଘନୀଭୂତ ହୋଇ ଛୋଟ ବାତ୍ୟାରୂପ ନେଇପାରେ । ୯ ତାରିଖ ରାତି ସୁଦ୍ଧା ଏହା ଦୁର୍ବଳ ହୋବ ଆରମ୍ଭ ହେବ । ଉପକୂଳ ଛୁଇଁବା ବେଳେ ଅବପାତ ଅବସ୍ଥାରେ ରହିପାରେ । ୧୦ ତାରିଖରେ ଓଡିଶା ଉପକୂଳ ଆସିବା ପରେ ପୁଣି ଦିଗ ପରିବର୍ତ୍ତନ କରି ଏହା ସକ୍ରିୟ ହେବ । ଶନିବାର ଅଧିକ ସଠିକ୍ କହିହେବ ବୋଲି ଶ୍ରୀ ପଶୁପାଳକ କହିଛନ୍ତି ।