ଗୁଜରାଟକୁ ୧୭୮ ବିଜୟଲକ୍ଷ୍ୟ
ଆଇପିଏଲ୍ ୨୦୨୨ । ୫୧ତମ ମ୍ୟାଚ୍
ମୁମ୍ବାଇ, ୫ା୫ (ଏଜେନ୍ସି): ମୁମ୍ବାଇ ଇଣ୍ଡିଆନ୍ସ ଶୁକ୍ରବାର ଚଳିତ ଆଇପିଏଲ୍ର ୫୧ତମ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସକୁ ୧୭୮ ରନ୍ର ବିଜୟଲକ୍ଷ୍ୟ ଦେଇଛି । ରିପୋର୍ଟ ଲେଖା ଶେଷ ହେବା ବେଳକୁ ଗୁଜରାଟ ଟିମ୍ ୧୦ ଓଭର୍ରେ କୌଣସି ୱିକେଟ୍ ନ ହରାଇ ୯୫ ରନ୍ ସଂଗ୍ରହ କରିଥିଲା । ଶୁଭମନ ଗିଲ୍ ୪୭ ଓ ରିଦ୍ଧିମାନ ସାହା ୪୭ ରନ୍ କରି ଅପରାଜିତ ଥିଲେ ।
ବ୍ରାବର୍ଣ୍ଣ ଷ୍ଟାଡିୟମ୍ରେ ଗୁଜରାଟ ଟାଇଟନ୍ସ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଟାଇଟନ୍ସର ମଧ୍ୟକ୍ରମ ବ୍ୟାଟର୍ ଡେଭିଡ୍ ମିଲର୍ ଆଇପିଏଲ୍ରେ ୧୦୦ତମ ମ୍ୟାଚ୍ ଖେଳିଥିଲେ । ଏହି ଉପଲବ୍ଧି ହାସଲ କରିବାରେ ସେ ଏବି ଡି’ଭିଲିଅର୍ସ (୧୮୪) ଓ ଫାଫ୍ ଡୁ ପ୍ଲେସିସ୍ (୧୧୧)ଙ୍କ ପରେ ତୃତୀୟ ଦକ୍ଷିଣ ଆଫ୍ରିକୀୟ ଖେଳାଳି ହୋଇପାରିଥିଲେ ।
ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୬ ୱିକେଟ୍ ହରାଇ ୧୭୭ ରନ୍ ସଂଗ୍ରହ କରିଥିଲା । ଈଶାନ କିଶନ ଓ ଅଧିନାୟକ ରୋହିତ ଶର୍ମା ମୁମ୍ବାଇ ଟିମ୍ର ଇନିଂସ୍ ଓପନ୍ କରିଥିଲେ । ଏହି ଯୋଡ଼ି ଦମ୍ଦାର ପ୍ରଦର୍ଶନ କରି ୪୫ ବଲ୍ରୁ ୭୪ ରନ୍ର ଭାଗୀଦାରୀ କରିଥିଲେ । ରୋହିତ୍ଙ୍କୁ ଆଉଟ୍ କରି ରଶିଦ ଖାଁ ଏହି ଯୋଡ଼ି ଭାଙ୍ଗିଥିଲେ, ଯିଏକି ୨୮ ବଲ୍ରୁ ୫ ଚୌକା ଓ ୨ ଛକା ସହାୟତାରେ ୪୩ ରନ୍ର ଇନିଂସ୍ ଖେଳିଥିଲେ । ପରବର୍ତ୍ତୀ ବ୍ୟାଟର୍ ସୂର୍ଯ୍ୟକୁମାର ଯାଦବ (୧୩) ଖାସ୍ ପ୍ରଦର୍ଶନ କରି ପାରି ନ ଥିଲେ । ତାଙ୍କ ୱିକେଟ୍ ପ୍ରଦୀପ ସାଙ୍ଗୱାନଙ୍କ ଖାତାକୁ ଯାଇଥିଲା । ଈଶାନ ମଧ୍ୟ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୨୯ ବଲ୍ରୁ ୪୫ ରନ୍ କରି ଅଲଜାରୀ ଜୋସେଫ୍ଙ୍କ ଶିକାର ହୋଇଥିଲେ । ତାଙ୍କ ଇନିଂସ୍ରେ ୫ ଚୌକା ଓ ୧ ଛକା ରହିଥିଲା ।
କାଇରନ୍ ପୋଲାର୍ଡ ପୁଣି ଥରେ ନିରାଶ କରିଥିଲେ । ସେ ରଶିଦଙ୍କ ବଲ୍ରେ ମାତ୍ର ୪ ରନ୍ କରି ପାଭିଲିଅନ୍ ଫେରିଥିଲେ । ୧୧୯ ରନ୍ରେ ଟିମ୍ର ଚତୁର୍ଥ ୱିକେଟ୍ ପଡ଼ିଥିଲା । ଏହାପରେ ତିଲକ ବର୍ମା ଓ ନୂଆ ବ୍ୟାଟର୍ ଟିମ୍ ଡେଭିଡ୍ ପଞ୍ଚମ ୱିକେଟ୍ ପାଇଁ ୩୮ ରନ୍ ଯୋଗ କରିଥିଲେ । ତିଲକ ୨୧ ରନ୍ କରି ଦୁର୍ଭାଗ୍ୟଜନକ ଭାବେ ରନ୍ଆଉଟ୍ ହୋଇଯାଇଥିଲେ । ଡାନିଏଲ୍ ସାମ୍ସ ଖାତା ଖୋଲି ନ ପାରି ଲୋକୀ ଫର୍ଗୁସନ୍ଙ୍କ ଶିକାର ହୋଇଥିଲେ । ଡେଭିଡ୍ ୨୧ ବଲ୍ରୁ ଦ୍ରୁତ ୪୪ (୨ ଚୌକା ଓ ୪ ଛକା ସହାୟତାରେ) ଓ ମୁରୁଗନ୍ ଅଶ୍ୱିନ କୌଣସି ସ୍କୋର୍ ନ କରି ଅପରାଜିତ ଥିଲେ । ବିପକ୍ଷ ବୋଲର୍ ରଶିଦ ୨ଟି ୱିକେଟ୍ ନେଇଥିବା ବେଳେ ଜୋସେଫ୍, ଫର୍ଗୁସନ୍ ଓ ସାଙ୍ଗୱାନ ଗୋଟିଏ ୱିକେଟ୍ ନେଇଥିଲେ ।
ଜବାବରେ ୧୭୮ ରନ୍ର ବିଜୟଲକ୍ଷ୍ୟ ନେଇ ଖେଳିଥିବା ଗୁଜରାଟ ଟିମ୍ ପକ୍ଷରୁ ଓପନର୍ ରିଦ୍ଧିମାନ ସାହା ଓ ଶୁଭମନ ଗିଲ୍ ଦୃଢ଼ତାର ସହ ଖେଳିଥିଲେ ।