ଇମର୍ଜେନ୍ସି ଆଇନ ଲାଗୁ କଲା କେନ୍ଦ୍ର
୬ ବର୍ଷ ପରେ ଦେଶରେ ଉକ୍ରଟ ବିଜୁଳି ସଂକଟ
ନୂଆଦିଲ୍ଲୀ (ଏଜେନ୍ସି): ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଦେଶବ୍ୟାପୀ ବିଜୁଳି ଆବଶ୍ୟକତା ଅନେକାଂଶରେ ବୃଦ୍ଧି ପାଇଛି । ଅନ୍ୟପକ୍ଷେ ବିଜୁଳି ଆବଶ୍ୟକତାକୁ ପୂରା କରିବା ପାଇଁ ଆବଶ୍ୟକ ହେଉଥିବା ପର୍ଯ୍ୟାପ୍ତ କୋଇଲାର ଅଭାବ ମଧ୍ୟ ପରିଲକ୍ଷିତ ହୋଇଛି । ତେବେ ଏପ୍ରକାର ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଶୁୂକ୍ରବାର ଏକ ଏମର୍ଜେନ୍ସି (ଜରୁରି ପରିସ୍ଥିତି) ନିୟମ ଲାଗୁ କରିଛନ୍ତି । କେନ୍ଦ୍ର ସରକାର ବିଦେଶୀ କୋଇଲାରେ ଚାଲୁଥିବା କିଛି ଥର୍ମାଲ ପାୱାର ପ୍ଲାଣ୍ଟ (ଯାହାକି ବର୍ତ୍ତମାନ ସମୟରେ ବନ୍ଦ ପଡ଼ିଛି) ସେସବୁକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ କହିଛନ୍ତି । ତେବେ କେନ୍ଦ୍ର ସରକାରଙ୍କ ଏପ୍ରକାର ନିଷ୍ପତ୍ତି ପରେ କୋଇଲାର ସର୍ବାଧିକ ଅନ୍ତର୍ଜାତୀୟ ମୂଲ୍ୟ କାରଣରୁ ବିଜୁଳି ଉତ୍ପାଦନ କରିପାରୁନଥିବା ପାୱାର ପ୍ଲାଣ୍ଟଗୁଡ଼ିକ ବିଜୁଳି ଉତ୍ପାଦନ କରିପାରିବେ ବୋଲି ଆଶା ସଞ୍ଚାର ହୋଇଛି । ସେହିପରି ଅନ୍ୟ ଏକ ରିପୋର୍ଟ ଅନୁସାରେ ଦେଶରେ ବିଜୁଳି ଚାହିଦାକୁ ପୂରଣ କରିବା ପାଇଁ ବିଦେଶରୁ ତିନି ଗୁଣା ଅଧିକ ଦାମରେ ଲିକ୍ୱିଫାଇଡ୍ ପ୍ରାକୃତିକ ଗ୍ୟାସ (ଏଲ୍ଏନ୍ଜି) କିଣିବାକୁ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ୍ ଦେଶରେ କୋଇଲା ଅଭାବର ସମ୍ମୁଖିନ ହେଉଥିବା ପାୱାର ପ୍ଲାଣ୍ଟ୍ଗୁଡିକରେ ଏଲ୍ଏନ୍ଜିର ବ୍ୟବହାର କରି ବିଜୁଳି ଉତ୍ପାଦନ କରାଯିବ । ସୂଚନାଯୋଗ୍ୟ, ରୁଷ ଏବଂ ୟୁକ୍ରେନ ମଧ୍ୟରେ ଜାରି ଯୁଦ୍ଧ ଯୋଗୁଁ ବର୍ତ୍ତମାନ ସମୟରେ ଏଲ୍ଏନ୍ଜିର ମୂଲ୍ୟ ୩ଗୁଣ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ପରିସ୍ଥିତି ଏପରି ହୋଇଛି, ଭାରତ ୩ ଗୁଣ ଚଢ଼ା ଦରରେ ମଧ୍ୟ ଏଲ୍ଏନ୍ଜି କିଣିବାକୁ ଏକରକମ ବାଧ୍ୟ ହୋଇପଡ଼ିଛି ।
କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଆସିବାର ଦିନକ ପୂର୍ବରୁ ଅର୍ଥାତ୍ ଗୁରୁବାର ଦିନ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଦେଶର ସମସ୍ତ ରାଜ୍ୟ ଏବଂ ବିଜୁଳି କମ୍ପାନୀଗୁଡ଼ିକୁ ଚିଠି ଜାରି କରାଯାଇଛି । ଏଥିରେ ବିଦେଶୀ କୋଇଲା ଦ୍ୱାରା ପରିଚାଳିତ ହେଉଥିବା ପାୱାର ପ୍ଲାଣ୍ଟଗୁୂଡ଼ିକୁୂ ପୂର୍ଣ୍ଣ କ୍ଷମତା ସହ ଚଳାଇବାକୁ ଶକ୍ତି ମନ୍ତ୍ରଣାଳୟ କହିଛି । କେନ୍ଦ୍ର ସରକାରଙ୍କ ଅନୁସାରେ ବର୍ତ୍ତମାନ ସମୟରେ ଦେଶରେ ବିଜୁଳି ଚାହିଦା ପ୍ରାୟ ୨ଠ% ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ସମସ୍ତ ରାଜ୍ୟ ଏବଂ ଘରୋଇ କୋଇଲା ଦ୍ୱାରା ପରିଚାଳିତ ହେଉଥିବା ବିଜୁଳି କମ୍ପାନୀଗୁଡ଼ିକର ଆବଶ୍ୟକ ମୁତାବକ ବିଜୁଳିର ଅନୂ୍ୟନ ୧ଠ% କୋଇଲା ଆମଦାନୀ କରିବାକୁ ମଧ୍ୟ ନିଦେ୍ର୍ଦଶ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଦେଶର ସମସ୍ତ ରାଜ୍ୟଗୁଡ଼ିକୁ ବିଦେଶୀ କୋଇଲା କ୍ରୟ କରିବାକୁ ଶକ୍ତି ମନ୍ତ୍ରଣାଳୟ ନିଦେ୍ର୍ଦଶ ଦେଇଛନ୍ତି । ସମ୍ପ୍ରତି ଭାରତ ୬ବର୍ଷ ପୂର୍ବ ବିଜୁଳି ସଂକଟ ଭଳି ପରିସ୍ଥିତି ଦେଇ ଗତି କରୁଛି । ଏଭଳି ସ୍ଥିତିରୁ ବାହାରିବା ପାଇଁ ପାୱାର ପ୍ଲାଣ୍ଟଗୁଡ଼ିକ ଉପରେ ଚାପ ପ୍ରୟୋଗ କରାଯାଉଥିବା ବେଳେ ପାୱାରପ୍ଲାଣ୍ଟଗୁଡ଼ିକ କୋଇଲା ଅଭାବକୁ ଦାୟୀ କରୁଛନ୍ତି । ଏସବୁ ମଧ୍ୟରେ ଦେଶରେ ବିଜୁଳି ଆବଶ୍ୟକତା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ସେହିପରି ଦେଶରେ ବିଦେଶୀ କୋଇଲା ଦ୍ୱାରା ପରିଚାଳିତ ହେଉଥିବା ପାୱାର ପ୍ଲାଣ୍ଟ ମଧ୍ୟରୁ ପ୍ରାୟ ୪୩%ରୁ ଅଧିକ ପାୱାର ପ୍ଲାଣ୍ଟଗୁଡ଼ିକ ବର୍ତ୍ତମାନ ସମୟରେ ଅକାମୀ ହୋଇପଡିଛି । ଯଦି ଏମାନଙ୍କ ଦୈନିକ ବିଜୁଳି ଉତ୍ପାଦନ କ୍ଷମତାକୁ ହିସାବ କରାଯାଏ ତେବେ ଏହି ପାୱାର ପ୍ଲାଣ୍ଟଗୁଡ଼ିକରୁ ୧୭.୬ ଗିଗାୱାଟ୍ ପରିମାଣର ବିଜୁଳି (କୋଇଲାରୁ ଉତ୍ପାଦନ ହେଉଥିବା ମୋଟ୍ ବିଜୁଳିର ୮.୬%) ଉତ୍ପାଦନ ସମ୍ଭବ ହୋଇପାରନ୍ତା ।
ଦେଶରେ କୋଇଲା ଅଭାବ ସହ ବିଜୁଳି ଆବଶ୍ୟକତା ବୃଦ୍ଧି ପାଇବା ଭଳି ସ୍ଥିତାବସ୍ଥାକୁ ଦୃଷ୍ଟିରେ ରଖି ଭାରତ ସରକାର ରାଜ୍ୟ ସରକାରମାନଙ୍କୁ ବିଦେଶରୁ କୋଇଲା କ୍ରୟ କରିବା ପାଇଁ ଅର୍ଡର ଦେବାକୁ କହିଛନ୍ତି । ଦିନକ ପୂର୍ବେ ବସିଥିବା ସମୀକ୍ଷା ବୈଠକରେ ରାଜ୍ୟଗୁଡ଼ିକୁ ଏନେଇ ନିଦେ୍ର୍ଦଶ ଜାରି କରାଯାଇଛି । କେନ୍ଦ୍ର ଶକ୍ତିମନ୍ତ୍ରୀ ଆରକେ ସିଂହ ଏସମ୍ପର୍କରେ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ଦେଶରେ ଘରୋଇ କୋଇଲା ଯୋଗାଣକୁ ବୃଦ୍ଧି କରାଯିବା ସତ୍ତ୍ୱେ ବିଜୁଳି ଉତ୍ପାଦନ ଆବଶ୍ୟକତା ମୁତାବକ ହୋଇପାରୁନାହିଁ । ଏଥିପାଇଁ ଅନେକ ରାଜ୍ୟରେ ବିଜୁଳି ସଂକଟ ଦେଖାଦେଇଛି । କୋଇଲା ଖନନ ତଥା ଯୋଗାଣଜନିତ ସମସ୍ୟା ଯୋଗୁ ପାୱାର ପ୍ଲାଣ୍ଟଗୁଡ଼ିକରେ କୋଇଲା ସଂକଟ ସୃଷ୍ଟି ହୋଇଛି । ସୂଚନାଯୋଗ୍ୟ, ଅନ୍ତର୍ଜାତୀୟ ବଜାରରେ କୋଇଲା ମୂଲ୍ୟ ବୃଦ୍ଧି ପାଇବା କାରଣରୁ ଅନେକ ପାୱାର ପ୍ଲାଣ୍ଟଗୁଡ଼ିକ କ୍ଷତିଗ୍ରସ୍ତ ହୋଇପଡି ବନ୍ଦ ହୋଇଯାଇଛନ୍ତି । ଅନ୍ତର୍ରାଷ୍ଟ୍ରୀୟ ବଜାରରେ କୋଇଲା ଟନ୍ ପିଛା ୧୪ଠ ଡଲାର ରହିଛି । ଆମଦାନୀ ହେଉଥିବା (ବିଦେଶରୁ ଆସୁଥିବା) କୋଇଲାର ବିଜୁଳି ଉତ୍ପାଦନ କ୍ଷମତା ୧୭,୬ଠଠ ମେଗାୱାଟ୍ ରହିଛି । ତେବେ ବର୍ତ୍ତମାନ ସମୟରେ ଯଦି ଅନ୍ତର୍ଜାତୀୟ ବଜାର ମୂଲ୍ୟ ଅନୁସାରେ କୋଇଲା କିଣାଯାଏ ତେବେ ଉଭୟ ରାଜ୍ୟ ତଥା କେନ୍ଦ୍ର ଏବଂ ପାୱାର ପ୍ଲାଣ୍ଟଗୁଡ଼ିକୁ ବ୍ୟାପକ କ୍ଷତି ହ୍ୟ କରିବାକୁ ହେବ । ଉଲ୍ଲେଖଯୋଗ୍ୟ, ଭାରତରେ ବିଜୁଳି ଉତ୍ପାଦନରେ ଗ୍ୟାସର ବ୍ୟବହାର ମାତ୍ର ୪% ହୋଇଥାଏ । ଦେଶରେ ୭୧% ବିଜୁଳି କୋଇଲାରୁ ଉତ୍ପାଦନ ହୋଇଥାଏ । କିନ୍ତୁ ଚଳିତ ବର୍ଷ ଭାରତରେ କୋଇଲାର ଅଭାବ ଦେଖାଦେଇଛି ।