ଭକ୍ତ ଗହଣରେ ରଥଯାତ୍ରା!

ପୁରୀ, ୫ା୫(ବୁ୍ୟରୋ): ଚଳିତବର୍ଷ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ଗୁରୁବାର ସ୍ଥାନୀୟ ସର୍କିଟ୍ ହାଉସ୍ଠାରେ ପ୍ରଥମ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକ ଶେଷ ହେବା ପରେ ଜିଲ୍ଲାପାଳ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ରଥଯାତ୍ରାରେ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ୨ଟି କାର୍ଯ୍ୟପନ୍ଥା କରାଯିବ ବୋଲି ନିଷ୍ପତ୍ତି ହୋଇଛି । ପ୍ରଥମତଃ କୋଭିଡ୍ ସଂକ୍ରମଣ ବଢ଼ିଲେ, କଟକଣା ସହିତ ମହାପ୍ରଭୁଙ୍କ ରଥଯାତ୍ରାର ଆୟୋଜନ କରାଯିବ । ଦ୍ୱିତୀୟତଃ ସଂକ୍ରମଣ ନ ଥିଲେ ବା ନିୟନ୍ତ୍ରଣରେ ରହିଥିଲେ ଭକ୍ତଙ୍କ ଗହଣରେ ଅନୁଷ୍ଠିତ ହେବ ରଥଯାତ୍ରା । ଏପରିକି ୨୦୧୯ ମସିହା ରଥଯାତ୍ରା ତୁଳନାରେ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ । କରୋନା ଲାଗି ଲଗାତାର ଦୁଇ ବର୍ଷ ଧରି ବିନା ଭକ୍ତରେ ମହାପ୍ରଭୁଙ୍କ ରଥ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଫଳରେ ଭକ୍ତମାନେ ମହାପ୍ରଭୁଙ୍କୁ ରଥାରୁଢ଼ ଅବସ୍ଥାରେ ବଡ଼ଦାଣ୍ଡରେ ଦର୍ଶନ କରିପାରିନାହାନ୍ତି । ଚଳିତବର୍ଷ ରଥଯାତ୍ରାରେ ୧୨ରୁ ୧୫ଲକ୍ଷ ଭକ୍ତଙ୍କ ସମାଗମ ହେବ ବୋଲି ଆଶାପ୍ରକଟ କରାଯାଇଛି ।
ଏତେସଂଖ୍ୟକ ଭକ୍ତଙ୍କ ଗହଳିକୁ ଆଖିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ରଥଯାତ୍ରା ସମୟରେ କେବଳ ଦୁଇଟି ଡୋଜ ଟିକା ଓ ବୁଷ୍ଟର ଡୋଜ ନେଇଥିବା ଲୋକେ ପୁରୀ ଆସିବାକୁ ଆହ୍ୱାନ କରାଯିବ । ଅନ୍ୟପଟରେ ଏଥର ରଥଯାତ୍ରାରେ ନବକଳେବର ଭଳି ଭକ୍ତଙ୍କ ଗହଳି ହେବ ବୋଲି ବୈଠକରେ ସମସ୍ତେ ମତପ୍ରକାଶ କରିଥିବା ଜିଲ୍ଲାପାଳ ଶ୍ରୀ ବର୍ମା ସ୍ପଷ୍ଟ କରିଥିଲେ । ରଥଯାତ୍ରାକୁ ଦୃଷ୍ଟିରେ ରଖାଯାଇ ରଥନିର୍ମାଣ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ, ସଫେଇ, ପାନୀୟ ଜଳ ବ୍ୟବସ୍ଥା, ଇଲେକ୍ଟି୍ର, ପରିବହନ, ରେଳଷ୍ଟେସନ, ପାର୍କିଂ, ଡ୍ରେନେଜ୍, ସ୍ୱରେଜ, ସୁରକ୍ଷା ବ୍ୟବସ୍ଥା, ଟେଲିଫୋନ୍, ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ପ୍ରମୁଖ ଉପରେ ଆଲୋଚନା କରାଯାଇଥିଲା ।
ବୈଠକରେ ଏସ୍ପି କନୱାର ବିଶାଲ ସିଂହ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ୍ତ କୁମାର ସାହୁ, ଉପଜିଲ୍ଲାପାଳ ଭବତାରଣ ସାହୁ, ସିଡିଏମ୍ଓ ଡଃ ସୁଜାତା ମିଶ୍ର, ଶ୍ରୀମନ୍ଦିରର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ଓ ଶ୍ରୀମନ୍ଦିର ପରିଚଳନା କମିଟି ସଦସ୍ୟଙ୍କ ସମେତ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *