ଆଲର୍ଟରେ ୧୮ ଜିଲ୍ଲା
ଭୁବନେଶ୍ୱର,୫ା୫(ବୁ୍ୟରୋ): ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଘନୀଭୂତ ହେବାରେ ଲାଗିଛି । ଶୁକ୍ରବାର ଏହା ଲଘୁଚାପ ରୂପ ନେବା ପରେ ସମ୍ଭାବ୍ୟ ବାତ୍ୟା ନେଇ ସଠିକ୍ ଚିତ୍ର ଆସିପାରିବ । ଏବେସୁଦ୍ଧା ବାତ୍ୟା ହେବା କଥା କୁହାଯାଇ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଡିଜି ମୃତୁ୍ୟଞ୍ଜୟ ମହାପାତ୍ର କହିଛନ୍ତି ।
ଆଇଏମ୍ଡି ଡିଜିଙ୍କ କହିବା ମୁତାବକ, ଆକଳନ ଅନୁସାରେ ୬ତାରିଖ ଅର୍ଥାତ ଶୁକ୍ରବାର ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାକ୍ରମେ ଉତ୍ତର ପଶ୍ଚିମ ଦିଗକୁ ଗତି କରି ୮ ସୁଦ୍ଧା ଅବପାତରେ ପରିଣତ ହେବ । ସେଠାରେ ୪୦ରୁ ୫୦ ଓ ୮ରେ ୫୫ରୁ ୭୫ କିମି ପବନ ବହିପାରେ । ଆଣ୍ଡାମାନ ସାଗରର ଲଘୁଚାପ ପ୍ରଭାବ ଏବେ ଓଡ଼ିଶାକୁ ନାହିଁ । ଓଡ଼ିଶା ଠାରୁ ବହୁତ ଦୂରରେ ଥିବାରୁ ଏହାର ପ୍ରଭାବ ଏବେ ପଡ଼ିବନି । ତେବେ ଓଡ଼ିଶାରେ ହେଉଥିବା ବର୍ଷା କାଳବୈଶାଖୀ ଜନିତ । ବାତ୍ୟା ହେବ କି ନାହିଁ ଓ ଏହାର ଗତିପଥ ଲଘୁ·ପ ପରେ ସ୍ପଷ୍ଟ ହେବ । ଏଯାଏଁ ବାତ୍ୟା କଥା କୁହାଯାଇନି, ଏଣୁ ଲୋକ ବିଭ୍ରାନ୍ତ ହେବା ଉଚିତ୍ ନୁହେଁ ।
ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାଶ କହିଛନ୍ତି, ଘୂର୍ଣ୍ଣିବଳୟ ଲଘୁଚାପ ରୂପ ନେବା ପରେ ଉତ୍ତର ପଶ୍ଚିମ ଦିଗରେ ଗତି କରିବ ।
ଆଣ୍ଡାମାନ ସାଗର ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ବର୍ତ୍ତମାନ ପବନର ବେଗ ୪୦-୫୦ କିମି ରହୁଛି । ଆକାଶରେ ମେଘ ଖଣ୍ଡମାନ ଭାସୁଛି । ଏବେ ସାମୁଦ୍ରିକ ତାପମାତ୍ରା ୩୦ଂ କିମ୍ବା ତା’ଠାରୁ ଅଧିକ ରହିଛି । ଫଳରେ ଲଘୁଚାପ ଅଧିକ ଘନୀଭୂତ ହେବା ଲାଗି ପାଗ ଅନୁକୂଳ ଅଛି । ୮ ତାରିଖରେ ସମୁଦ୍ରରେ ପବନର ବେଗ ୫୫-୬୫ ବା ୭୫ କିମି ରହିବ । ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବାକୁ ସତର୍କ ସୂଚନା ଦିଆଯାଇଛି ବୋଲି ଶ୍ରୀ ଦାଶ କହିଛନ୍ତି ।
ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ସରକାର ସଜାଗ ଅଛନ୍ତି । ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆର୍ସି) ପ୍ରଦୀପ ଜେନା କହିଛନ୍ତି, ବାତ୍ୟା ଯଦି ଆସେ ଏହାର ମୁକାବିଲା ପାଇଁ ଆମେ ପ୍ରସ୍ତୁତ ଅଛୁ । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଘୂର୍ଣ୍ଣିବଳୟ ଅବପାତର ରୂପ ନେଇପାରେ । ଅବପାତରୁ ତୀବ୍ର ଅବପାତ ଓ ବାତ୍ୟା ହେବ କି ନାହିଁ ଶୁକ୍ରବାର ସନ୍ଧ୍ୟା ବେଳକୁ ଏହା ସ୍ପଷ୍ଟ ହୋଇଯିବ । ପରିସ୍ଥିତିକୁ ଆଖି ଆଗରେ ରଖି ସରକାର ୧୮ଟି ଜିଲ୍ଲାକୁ ପ୍ରସ୍ତୁତ ରହିବା ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ଏନ୍ଡିଆର୍ଏଫ୍, ଓଡ୍ରାଫ, ରାଜ୍ୟ ଅଗ୍ନିଶମ ସେବାର ଅଧିକାରୀମାନଙ୍କ ସହିତ ଆଗୁଆ ପ୍ରସ୍ତୁତି ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି । ଆବଶ୍ୟକସ୍ଥଳେ ସେମାନଙ୍କୁ ମୁତୟନ କରାଯିବ । ଗୁରୁବାର ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଭିଡିଓ କନଫରେନ୍ସିଂ ଜରିଆରେ ଏସ୍ଆରସି ଶ୍ରୀ ଜେନାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏଥିରେ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି । ଜିଲ୍ଲାସ୍ତରରେ ପ୍ରସ୍ତୁତି ଫୋକସରେ ରହିଛି । ଜରୁରୀକାଳୀନ ଅପରେସନ ସେଣ୍ଟର, ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲିବା, ଲୋକଙ୍କୁ ସ୍ଥାନାନ୍ତରିତ କରିବା ଯୋଜନା, ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତି, ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ଚିହ୍ନଟ ଆଦି ସମ୍ପର୍କରେ ଏହି ବୈଠକରେ ଆଲୋଚନା ହୋଇଥିଲା । ଶୁକ୍ରବାର ସୁଦ୍ଧା ଆକ୍ସନ ପ୍ଲାନ ପ୍ରସ୍ତୁତ କରି ରିପୋର୍ଟ ପଠାଇବାକୁ ଜିଲ୍ଲାପାଳଙ୍କୁ ନିଦେ୍ର୍ଦଶ ଦିଆଯାଇଛି ।
ଗୁରୁବାର ସନ୍ଧ୍ୟାରେ ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ ରାଜୀବ ଭବନ ଠାରେ ସାମ୍ବାଦିକ ସମ୍ମିଳନୀରେ ସ୍ୱତନ୍ତ୍ର ରିଲିଫ୍ କମିଶନର ଶ୍ରୀ ଜେନା କହିଛନ୍ତି, ଶକ୍ତି ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସହିତ ନିରନ୍ତର ବିଦୁ୍ୟତ ଶକ୍ତି ଯୋଗାଣ ଓ ପାନୀୟ ଜଳ ଯୋଗାଇ ଦେବା ନେଇ ଆଲୋଚନା ହୋଇଛି । ଶୁକ୍ରବାର ଟେଲିକମ୍ ସେବା ଯୋଗାଣକାରୀମାନଙ୍କ ସହିତ ଆଲୋଚନା କରାଯିବ । ଲୋକମାନଙ୍କ ମଧ୍ୟରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଡର ପଶିଥିବାବେଳେ ଜନସାଧାରଣଙ୍କୁ ଅଯଥା ଆତଙ୍କିତ କରାଯିବା ଉଚିତ ନୁହେଁ । ଅସାଧୁ ବ୍ୟବସାୟୀମାନେ ଏହି ସମୟର ଫାଇଦା ଉଠାଇବାକୁ ଯାଇ ଦର ବଢ଼ାଇବାକୁ ଚେଷ୍ଟା କରୁଛନ୍ତି । ଏଥିରୁ ଜନସାଧାରଣଙ୍କୁ ସୁରକ୍ଷା ଦେବା ପାଇଁ ଜିଲ୍ଲାପାଳମାନଙ୍କ ସହିତ ଆଲୋଚନା କରାଯାଇଛି । ଖରାଦିନିଆ ବାତ୍ୟାର ପ୍ରାୟତଃ ବିଶେଷ ପ୍ରଭାବ ପଡେ ନାହିଁ । ମାର୍କେଟରେ ସମସ୍ତ ଜିନିଷ ମହଜୁଦ ଅଛି । କୃତ୍ରିମ ଅଭାବ ସୃଷ୍ଟି କରିବାର କୌଣସି ଆବଶ୍ୟକତା ନାହିଁ । ସମ୍ଭାବ୍ୟ ବାତ୍ୟା ନେଇ ଆତଙ୍କିତ ହୁଅନ୍ତୁ ନାହିଁ । ବଜାରରୁ ଅଯଥାରେ ଅଧିକ ସାମଗ୍ରୀ କିଣନ୍ତୁ ନାହିଁ । ଯଦି ବାତ୍ୟା ହେବ, ଏହା ଗ୍ରୀଷ୍ମକାଳୀନ ବାତ୍ୟା ହେବ । ବାତ୍ୟା ଯୋଗୁଁ ବନ୍ୟା ପରିସ୍ଥିତି ଦେଖାଯିବ ନାହିଁ । ୧୮ ଜିଲ୍ଲାକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଆମ ରାଜ୍ୟରେ ଏବେ ୧୭ଟି ଏନଡିଆରଏଫ ଟିମ, ୨୦ଟି ଓଡ୍ରାଫ ଟିମ ଓ ୧୭୫ ଅଗ୍ନିଶମ ଟିମ୍ ପ୍ରସ୍ତୁତ ଅଛି । ଆବଶ୍ୟକ ପଡ଼ିଲେ ମୁତୟନ କରାଯିବ । ଶକ୍ତି ବିଭାଗ ପକ୍ଷରୁ ବିଦୁ୍ୟତ ବିତରକ କମ୍ପାନିଗୁଡ଼ିକୁ ପ୍ରସ୍ତୁତ ରହିବା ପାଇଁ କୁହାଯାଇଛି । ଶୁକ୍ରବାର ସନ୍ଧ୍ୟାରେ ପୁଣି ପ୍ରେସ ବ୍ରିଫିଙ୍ଗ କରିବୁ ।