‘ପଦଯାତ୍ରା’ ରାଜନୀତି ମାର୍ଗରେ ପିକେ

ପାଟନା (ଏଜେନ୍ସି): ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର (ପିକେ) ନିଜର ଏକ ନୂଆ ରାଜନୈତିକ ଦଳ ଗଠନ କରିବାକୁ ଯାଉଥିବା ନେଇ ସମ୍ପ୍ରତି ଦେଶବ୍ୟାପୀ ଚର୍ଚ୍ଚା ଜୋର ଧରିଛି । ତେବେ ଏପ୍ରସଙ୍ଗରେ ନିଜେ ପିକେ ସ୍ପଷ୍ଟ କରିଛନ୍ତି । ଗୁରୁବାର, ଏକ ସାମ୍ବାଦିକ ସମ୍ମିଳନୀ କରିବା ପୂର୍ବକ ସକ୍ରିୟ ରାଜନୀତିରେ ପ୍ରବେଶ କରିବା ନେଇ ଅଗ୍ରୀମ ସୂଚନା ଦେଇଛନ୍ତି । ପିକେଙ୍କ କହିବାନୁସାରେ, ଆସନ୍ତା ୩/୪ ମାସ ମଧ୍ୟରେ ସେ ବିହାରରେ ୩,ଠଠଠ କିଲୋମିଟର ବ୍ୟାପୀ ପଦଯାତ୍ରା କରିବେ । ବର୍ତ୍ତମାନ ସମୟରେ ରାଜନୈତିକ ଦଳ ଗଢ଼ିବା ପରିବର୍ତ୍ତେ ରାଜ୍ୟବାସୀଙ୍କ ଗହଣକୁ ଯିବା, ରାଜ୍ୟବାସୀଙ୍କ ନିକଟତର ହେବା ତାଙ୍କର ମୂଳ ଲକ୍ଷ୍ୟ ରହିଛି । ଏହି ପରିପ୍ରେକ୍ଷୀରେ ସେ ଜନ ସୁରଜ ନାମକ ଏକ ଅଭିଯାନ ମଧ୍ୟ ଆରମ୍ଭ କରିବେ । ଏଥିରେ ସେ ପଦଯାତ୍ରା କରିବା ପୂର୍ବକ ୧୭ହଜାର ରାଜ୍ୟବାସୀଙ୍କ ନିକଟକୁ ଯିବେ ଏବଂ ସେମାନଙ୍କ ସମସ୍ୟାକୁ ବ୍ୟକ୍ତିଗତ ଭାବେ ପଚାରିବୁଝିବେ । ଯଦି ଏହି ସମୟରେ ଏକ ନୂଆ ରାଜ ନୈତିକ ଦଳ ପ୍ରତି ରାଜ୍ୟବାସୀଙ୍କ ଆଗ୍ରହ ଦେଖିବାକୁ ପାଇବେ ତେବେ ସେ ନିଶ୍ଚିତ ଭାବେ ଦଳ ଗଠନ କରିବେ ।
ଅକ୍ଟୋବର ୨ରେ ଚମ୍ପାରଣ୍ ଅଞ୍ଚଳରୁ ସେ ନିଜର ପଦଯାତ୍ରା ଶୁଭାରମ୍ଭ କରିବେ ବୋଲି ପିକେ କହିଛନ୍ତି । ଏହି ଅବସରରେ ସେ ଜେଡିୟୁ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ଦୀର୍ଘକାଳୀନ ସରକାରକୁ କଡା ସମାଲୋଚନା କରିବା ଦେଖିବାକୁ ମିଳିଥିଲା । ବିହାର ଆଜି ବି ଦେଶର ସବୁଠୁ ପଛୁଆ ଏବଂ ଦରିଦ୍ରତମ ରାଜ୍ୟ ହୋଇ ରହିଥିବା ବେଳେ ଏବେ ବିହାର ବିକାଶ ପାଇଁ ନୂଆ ଚିନ୍ତାଧାରାର ଆବଶ୍ୟକତା ଥିବା କହିଛନ୍ତି ।
ସୂଚନାଯୋଗ୍ୟ, ଭାରତୀୟ ରାଜନୀତି କ୍ଷେତ୍ରରେ ନେତାମାନଙ୍କ ‘ପଦଯାତ୍ରା ରାଜନୀତି’ ବେଶ୍ ସଫଳ ସାବ୍ୟସ୍ତ ହୋଇଥିବା ଦେଖିବାକୁ ମିଳିଛି । ୧୯୩ଠରେ ଜାତୀୟ ପିତା ମହାତ୍ମା ଗାନ୍ଧୀ ପ୍ରଥମେ ‘ପଦଯାତ୍ରା’ ପ୍ରକ୍ରିୟା ଆରମ୍ଭ କରିଥିଲେ । ଗାନ୍ଧିଜୀଙ୍କ ୩୮୮ କିମି ଲମ୍ବା ଦାଣ୍ଡି ଯାତ୍ରା, ଦେଶବାସୀଙ୍କ ଉପରେ ବେଶ୍ ପ୍ରଭାବ ପକାଇବାରେ ସଫଳ ହୋଇଥିଲା । ସେହିପରି ୧୯୮୩ରେ ପୂର୍ବତନ ପ୍ରଧାନମନ୍ତ୍ରୀ (ଦିବଂଗତ) ଚନ୍ଦ୍ରଶେଖରଙ୍କ ଠାରୁ ଆରମ୍ଭ କରି କଂଗ୍ରେସ ନେତା ଦିଗ୍ବିଜୟ ସିଂହ (୨ଠ୧୭), ୨ଠଠ୩ରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇଏସ୍ଆର୍ (ଦିବଂଗତ), ୨ଠ୧୩ରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ୨ଠ୧୭ରେ ଜଗନ୍ ମୋହନ ରେଡ୍ଡୀ (ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ) ପ୍ରମୁଖଙ୍କ ସମେତ ଅନେକ ନେତା ପଦଯାତ୍ରା ପଲିଟିକ୍ସ ମାଧ୍ୟମରେ ବେଶ୍ ସଫଳ ହୋଇଥିବା ଇତିହାସ ଦର୍ଶାଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *