ଖୁବ୍ଶୀଘ୍ର ଗଡ଼ିବ ଇ-ବସ୍
ବ୍ୟାଟେରୀ ଚାଳିତ ବସ୍ ସାମିଲ୍ କରିବାକୁ କ୍ରୁଟ୍କୁ ମନ୍ତ୍ରୀ ପରାମର୍ଶ
ଭୁବନେଶ୍ୱର (ବୁ୍ୟରୋ): ରାଜ୍ୟରେ ‘ମୋ ବସ’ ସେବା, କ୍ରୁଟ୍ ସଂପର୍କରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସମୀକ୍ଷା କରିଛନ୍ତି । ରାଜଧାନୀ ସହରାଞ୍ଚଳରେ ପରିବହନ କ୍ଷେତ୍ରରେ କ୍ରୁଟ୍ ମୋ ବସ୍ ସେବା ଆଜି ଏକ ଅତ୍ୟାଧୁନିକ ଆରାମଦାୟକ ଜନସାଧାରଣ ପରିବହନ ବ୍ୟବସ୍ଥା ଭାବେ ଉଭା ହୋଇଛି । ବର୍ତ୍ତମାନ ୩୨ଟି ରୁଟ୍ରେ ୨୨୫ ବସ୍ରେ ଭୁବନେଶ୍ୱର, କଟକ, ଖୋର୍ଦ୍ଧା, ପିପିଲି, କୋଣାର୍କ ଓ ପୁରୀ ଭଳି ସହର ଦୈନିକ ହାରାହାରି ୧.୫ ଲକ୍ଷ ଯାତ୍ରୀ ଯାତାୟତ କରୁଛନ୍ତି । ଏହି ସବୁ ବସ୍ ଗୁଡିକ ସୁ-ବ୍ୟବସ୍ଥିତ ପରିଚାଳନା ବ୍ୟବସ୍ଥା ମାଧ୍ୟମରେ ପରିଚାଳିତ ହେଉଛି । ତେବେ ପରିବର୍ତ୍ତିତ ପରିସ୍ଥିତିରେ ଏଥିରେ ଖୁବ୍ଶୀଘ୍ର ବ୍ୟାଟେରୀ ଚାଳିତ ବା ଇ-ବସ୍ ସାମିଲ କରିବାକୁ ମନ୍ତ୍ରୀ ଶ୍ରୀ ଜେନା ପରାମର୍ଶ ଦେଇଛନ୍ତି ।
ସମୀକ୍ଷା ବିବରଣୀରୁ ପ୍ରକାଶ ଯେ ୨୦୧୯ ମସିହାରୁ ପ୍ରତି ବର୍ଷ ଦୈନିକ ଯାତ୍ରୀ ପରିବହନ ସଂଖ୍ୟା ବୃଦ୍ଧି ପାଇ ଚାଲିଥିବା ବେଳେ ରାଜସ୍ୱ ମଧ୍ୟ ବୃଦ୍ଧି ପାଇଛି । ଇତି ମଧ୍ୟରେ ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ମୋ ଇ-ରାଇଡ୍ , ଇ– ରିକ୍ସା ସେବା ଆରମ୍ଭ କରାଯାଇଛି । ଏହା ମାଧ୍ୟମରେ ଲୋକମାନେ ମୋ ବସ୍ ଷ୍ଟାଣ୍ଡ ପର୍ଯ୍ୟନ୍ତ ଆସି ବସ୍ ଧରି ନିଜ ଗନ୍ତବ୍ୟ ସ୍ଥଳିକୁ ଯାଇ ପାରିବେ । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ୨୦୦ ଯାତ୍ରୀ ଅପେକ୍ଷା ପାଇଁ ଆଶ୍ରୟ ସ୍ଥଳ ନିର୍ମାଣ କରାଯାଇଛି । ପଟିଆ ଓ ଭଗବାନପୁରରେ ଅତ୍ୟାଧୁନିକ ବସ୍ ଡିପୋ ନିର୍ମିତ ହୋଇଥିବା ବେଳେ ଗାଡକଣ, ପୋଖରୀପୁଟ ଓ ନରାଜ ଠାରେ ଡିପୋ କମ୍ ଅଫିସ ନିର୍ମାଣ କାର୍ଯ୍ୟ ଚଲିିଛି । କ୍ୟାପିଟାଲ ରିଜିଅନର ବିଭିନ୍ନ ଆଭ୍ୟନ୍ତରରେ ସେବା ପ୍ରଦାନ ପାଇଁ ପ୍ରାୟ ୧୦୦ ମିନି ବସ୍ ଚଳାଚଳ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି ମୋ ବସ୍ ସେବା ୨୦୧୯ ରୁ ୨୦୨୧ ମଧ୍ୟରେ ଜାତୀୟ ସ୍ତରରେ ଏବଂ କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ତରଫରୁ ୭ ଟି ପୁରସ୍କାର ପାଇ ପାରିଛି । ଆଗାମୀ ଦିନରେ କିପରି ଏହାକୁ ଆହୁରି ଅଧିକ ବ୍ୟାପକ ଓ ସୁଦୃଢ କରାଯାଇ ପାରିବ ସେ ନେଇ ଉଦ୍ୟମ କରିବାକୁ ମନ୍ତ୍ରୀ ଶ୍ରୀ ଜେନା ପରାମର୍ଶ ଦେଇଛନ୍ତି । ଲୋକସେବା ଭବନସ୍ଥିତ ମନ୍ତ୍ରୀ ଶ୍ରୀ ଜେନାଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଉକ୍ତ ବୈଠକରେ କ୍ରୁଟ୍ର ପରିଚାଳନା ନିଦେ୍ର୍ଦଶକ ସଞ୍ଜୟ କୁମାର ସିଂହ ଓ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।