ତୁମ୍ବ କାମ ଆରମ୍ଭ

ରଥଖଳାର ପ୍ରଥମ ଦିନ
ପୁରୀ (ବୁ୍ୟରୋ): ଶ୍ରୀଜଗନ୍ନାଥ ହେଉଛନ୍ତି ବୈଦିକ ଦେବତା । ତାଙ୍କର ସମସ୍ତ ରୀତିନୀତି ବୈଦିକ ବିଧିସମ୍ମତ । ଏହି ବିଧି ଅନୁଯାୟୀ ପବିତ୍ର ଅକ୍ଷୟ ତୃତୀୟାରେ ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ହେବା ପରେ ରଥ ନିର୍ମାଣ ଅନୁକୂଳ କରାଯାଇଥିଲା । ଆଜି ରଥଖଳାରେ ରୀତିନୀତି ମୁତାବକ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରଥମେ ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ, ରଥଖଳାରେ ମୁଖ୍ୟ ମହାରଣାଙ୍କ ଦ୍ୱାରା ଅନୁକୂଳ ହେବା ପରେ ରଥ ନିର୍ମାଣ କାମ ଆରମ୍ଭ ହୋଇଥିଲା ।
ଏନେଇ ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ୱକର୍ମା ବିଜୟ କୁମାର ମହାପାତ୍ରଙ୍କ ସୂଚନା ଅନୁଯାୟୀ, ବୁଧବାର ଠାରୁ ତୁମ୍ବ କାମ ଆରମ୍ଭ ହୋଇଛି । ଶାଢ଼ୀବନ୍ଧା ମହାରଣାମାନେ ତୁମ୍ବ ନିର୍ମାଣ କାମରେ ଲାଗିଛନ୍ତି । ତାଳଧ୍ୱଜ ରଥର ମୁଖ୍ୟ ବିଶ୍ୱକର୍ମା ନରସିଂହ ମହାପାତ୍ର ଓ ଦର୍ପଦଳନ ରଥର ମୁଖ୍ୟ ବିଶ୍ୱକର୍ମା କୃଷ୍ଣଚନ୍ଦ୍ର ମହାରଣାଙ୍କ ନେତୃତ୍ୱରେ କାମ ଚାଲିଛି । ତିନିବାଡ଼ର ତିନୋଟି ତୁମ୍ବ ପାଇଁ ପରମ୍ପରା ଅନୁଯାୟୀ, ହାତ କରତରେ କାଠ ଚିରଟ କରାଯାଇଛି । ପ୍ରଥମେ ତାଳଧ୍ୱଜ ରଥର ତୁମ୍ବ କାଠ ଚିରଟ ହେଲା ପରେ ନନ୍ଦିଘୋଷ ଏବଂ ଶେଷରେ ଦର୍ପଦଳନ ରଥର ତୁମ୍ବ କାଠ ଚିରଟ କରାଯାଇଥିଲା । କୁଅଁର ଦ୍ୱାରା କାଠର ଗୋଲେଇ କରି ବାରିସୀରେ ତୁମ୍ବ କଟାଯାଇଥିଲା । ପ୍ରତି ଚକରେ ତୁମ୍ବ ରହିଥାଏ । ଚକର ମଝି ଅଂଶକୁ ତୁମ୍ବ କୁହାଯାଏ । ତୁମ୍ବ ନିର୍ମାଣ ସରିବା ପରେ ଅର ଲାଗିଥାଏ । ଅରରେ ପହି ଖଞ୍ଜା ହୋଇ ଚକା ନିର୍ମାଣ ହୋଇଥାଏ । ତୁମ୍ବ ମଝିରେ ଅଖ ପଶିବା ଲାଗି କଣା ହୋଇଥାଏ । ତିନିରଥ ପାଇଁ ମୋଟ ୪୨ଟି ତୁମ୍ବ ନିର୍ମାଣ କରାଯିବ । ନନ୍ଦିଘୋଷ ରଥ ପାଇଁ ୧୬ଟି, ତାଳଧ୍ୱଜ ୧୪ଟି ଓ ଦର୍ପଦଳନ ରଥ ପାଇଁ ୧୨ଟି ତୁମ୍ବ ତିଆରି ହେବ । ତାଳଧ୍ୱଜ ରଥରେ ନାହାକା ତୁମ୍ବ ୨ଗୋଟି, ପଡ଼ି ନାହାକା ତୁମ୍ବ ୪, ବଡ଼ଉଛୁଳା ତୁମ୍ବ ୪ ଏବଂ ସାନ ଉଛୁଳା ତୁମ୍ବ ୪ ଗୋଟି ରହିବ । ଦର୍ପଦଳନ ରଥରେ ନାହାକା ତୁମ୍ବ ୪ଗୋଟି, ପଡ଼ି ନାହାକା ତୁମ୍ବ ୪ ଏବଂ ଉଛୁଳା ତୁମ୍ବ ୪ ଗୋଟି ରହିଥାଏ । ସେହିପରି ନନ୍ଦିଘୋଷ ରଥରେ ନାହାକା ତୁମ୍ବ ୪ ଗୋଟି, ପଡ଼ିନାହାକା ତୁମ୍ବ ୪, ବଡ଼ଉଛୁଳା ତୁମ୍ବ ୪ ଏବଂ ସାନ ଉଛୁଳା ତୁମ୍ବ ୪ ଗୋଟି ରହିଥାଏ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *