କିଣାଯିବ ୧୪ ଲକ୍ଷ ଟନ୍ ଧାନ
ଭୁବନେଶ୍ୱର (ବୁ୍ୟରୋ): ୨୦୨୧-୨୨ ରବି ଋତୁରେ ଚାଷୀଙ୍କଠାରୁ ଧାନ କିଣିବା ନିମନ୍ତେ ପ୍ରଶାସନିକ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଧାନ ସଂଗ୍ରହ ବୈଠକର ଆଲୋଚନାରୁ ଏହା ଜଣାପଡିଛି । ଲୋକସେବା ଭବନରୁ ଡିଜିଟାଲ୍ ମୋଡ୍ରେ ଅନୁଷ୍ଠିତ ଏହି ବୈଠକରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ପ୍ରମୁଖ ସଚିବ ବୀର ବିକ୍ରମ ଯାଦବ ପ୍ରଶାସନିକ ଓ ବୈଷୟିକ ପ୍ରସ୍ତୁତି ବିଷୟ ଉପସ୍ଥାପନ କରିଥିଲେ ।
ସାଟେଲାଇଟ୍ ଚିତ୍ର ଏବଂ କ୍ଷେତ୍ରସ୍ତରୀୟ ସତ୍ୟାପନ ମାଧ୍ୟମରେ ଯୋଗ୍ୟ ବିବେଚିତ ସମସ୍ତ ଚାଷୀଙ୍କଠାରୁ ଧାନ କିଣିବାକୁ ମୁଖ୍ୟ ସଚିବ ନିଦେ୍ର୍ଦଶ ଦେଇଥିଲେ । ସମଗ୍ର ପ୍ରକ୍ରିୟାକୁ ଚାଷୀଙ୍କ ନିମନ୍ତେ ସରଳ ଓ ସୁଗମ କରିବା ସହ ଧାନ କିଣାର ୨୪ ରୁ ୪୮ ଘଣ୍ଟା ମଧ୍ୟରେ ଦେୟ ପୈଠ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ଚଳିତ ରବିଋତୁରେ ଅଧିକ ସଂଖ୍ୟକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ମାଧ୍ୟମରେ ଧାନ ସଂଗ୍ରହ କରିବାକୁ କୁହାଯାଇଛି । ଧାନ ସଂଗ୍ରହ ଓ ଦେୟ ପୈଠ ପାଇଁ ଯଥାକ୍ରମେ ପି-ପାସ୍ ଏବଂ ଆଇଏଫ୍ଏମ୍ଏସ୍ ଅନ୍ଲାଇନ୍ ବ୍ୟବସ୍ଥା ଗ୍ରହଣ କରିବାକୁ ଶ୍ରୀ ମହାପାତ୍ର କହିଥିଲେ ।
ଚଳିତ ବର୍ଷ ରବିଋତୁରେ ୧୪ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରିବାକୁ ବୈଠକରେ ସ୍ଥିର ହୋଇଥିଲା । ମେ ୧ ତାରିଖ ଠାରୁ ଜୁନ୍ ୩୦ ତାରିଖ ମଧ୍ୟରେ ଧାନ ସଂଗ୍ରହ କରାଯିବ । ତେବେ ପ୍ରତି ଜିଲ୍ଲା ପାଇଁ ପ୍ରଯୁଯ୍ୟ ଧାନ ସଂଗ୍ରହ ଦିନ ସଂପୃକ୍ତ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ ବୈଠକରେ ସ୍ଥିର କରାହେବ । ସର୍ବପ୍ରଥମେ ମେ’ ୧୩ ତାରିଖ ଦିନ ସମ୍ବଲପୁର ଜିଲ୍ଲାରେ ଧାନ କିଣା ଆରମ୍ଭ ହେବ । ରବି ଧାନର କ୍ୱିଣ୍ଟାଲ୍ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୧୯୪୦ ଟଙ୍କାରେ ଧାର୍ଯ୍ୟ କରାଯାଇଥିଲା । ମୁଖ୍ୟତଃ ୧୭ ଟି ଜିଲ୍ଲାର ଜଳସେଚିତ ଅଂଚଳର କୃଷକଙ୍କ ଠାରୁ ଜଳସେଚନ ତଥ୍ୟନୁଯାୟୀ ଏକର ପିଛା ୨୪ ରୁ ୨୬ କ୍ୱିଣ୍ଟାଲ୍ ଧାନ ସଂଗ୍ରହ କରାଯିବ । ପ୍ରମୁଖ ସଚିବ ଶ୍ରୀ ଯାଦବ ଜଣାଇଥିଲେ ଯେ ଚଳିତ ରବିଋତୁରେ ଧାନ ବିକ୍ରି ପାଇଁ ୨.୫୮ ଲକ୍ଷ ଚାଷୀ ୭.୬୨ ଲକ୍ଷ ଏକର ଜମି ପଞ୍ଜୀକରଣ କରିଛନ୍ତି । ଗତ ୨୦୨୦-୨୧ ବର୍ଷରେ ସମୁଦାୟ ୨.୩୩ ଲକ୍ଷ ଚାଷୀ ନିଜର ୭.୬୦ ଲକ୍ଷ ଏକର ଜମି ରବି ଧାନ ବିକ୍ରି ନିମନ୍ତେ ପଞ୍ଜୀକରଣ କରିଥିଲେ ।
ଚଳିତବର୍ଷ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ପଞ୍ଜୀକୃତ କରିଛନ୍ତି । ୨୦୨୦-୨୧ ବର୍ଷରେ ୪.୫୧ ଲକ୍ଷ ନାମକୁ ମାତ୍ର ଚାଷୀ ପଞ୍ଜୀକୃତ ହୋଇଥିବା ବେଳେ ଚଳିତ ବର୍ଷ ଏହା ୬.୨୨ ଲକ୍ଷକୁ ବୃଦ୍ଧି ପାଇଛି । ସେହିପରି କ୍ଷୁଦ୍ର ଚାଷୀଙ୍କ ପଞ୍ଜୀକରଣ ମଧ୍ୟ ୪.୫୬ ଲକ୍ଷରୁ ଚଳିତବର୍ଷ ୪.୭୦ କୁ ବୃଦ୍ଧି ପାଇଛି । ପଞ୍ଜୀକୃତ ଚାଷୀଙ୍କ ମଧ୍ୟରେ ପ୍ରାୟ ୨୨,୨୨୮ ଭାଗଚାଷୀ । ଧାନ କିଣାରେ ଅଂଶଗ୍ରହଣ ପାଇଁ ପଞ୍ଜୀକୃତ କରିଥିବା ୧୨୨ଟି ମହିଳା ଏସ୍ଏଚ୍ଜିଙ୍କୁ ଏଥିରେ ସାମିଲ୍ କରାଯିବ । ଗତବର୍ଷ ରବିରେ ୧୦୧ଟି ଗୋଷ୍ଠୀ ସାମିଲ ହୋଇଥିଲେ । କୃଷକଙ୍କୁ ଧାନକିଣା ବିଷୟରେ ଏସ୍ଏମ୍ଏସ୍ ମାଧ୍ୟମରେ ଜଣାଇ ଦିଆଯିବ । ଏସ୍ଏଚଜିଙ୍କ ଛଡା ପ୍ରାୟ ୮୧୭ଟି ପ୍ରାଥମିକ କୃଷି ସମବାୟ ସମିତି ଧାନ ସଂଗ୍ରହରେ ସାମିଲ ହେବେ । କୃଷି ଉତ୍ପାଦନ କମିଶନର ସଞ୍ଜୀବ ଚୋପ୍ରା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ, ସମବାୟ ସଚିବ ସଂଜୀବ ଚଢ଼ା, ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟାନ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ ।