ସୁଟିଂରେ ଧନୁଶଙ୍କୁ ସ୍ୱର୍ଣ୍ଣ, ଶୌର୍ଯ୍ୟଙ୍କୁ କାଂସ୍ୟ
ବ୍ରାଜିଲ୍ ଡିଫ୍ଲିମ୍ପିକ୍ସ
ନୂଆଦିଲ୍ଲୀ, ୫ା୫ (ଏଜେନ୍ସି): ବ୍ରାଜିଲ୍ର କାକ୍ସିଆସ୍ ଡୁ ସୁଲ୍ଠାରେ ଚାଲିଥିବା ୨୪ତମ ଡିଫ୍ଲିମ୍ପିକ୍ସର ତୃତୀୟ ଦିବସରେ ଭାରତର ଧନୁଶ ଶ୍ରୀକାନ୍ତ ପୁରୁଷଙ୍କ ୧୦ମି. ଏୟାର୍ ରାଇଫଲ୍ରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ଶୌର୍ଯ୍ୟ ସାଇନୀ କାଂସ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି ।
ବୁଧବାର ପଦାର୍ପଣକାରୀ ଧନୁଶ ଆଠଜଣିଆ ଫାଇନାଲ୍ସରେ ବିଶ୍ୱ ରେକର୍ଡ ସ୍କୋର୍ (୨୪୭.୫) କରି ଚାମ୍ପିଅନ୍ ହୋଇଥିଲେ । କୋରିଆର କିମ୍ ଉ’ ରିମ୍ ୨୪୬.୬ ସ୍କୋର୍ କରି ଦ୍ୱିତୀୟ ସ୍ଥାନରେ ରହିଥିବା ଶୌର୍ଯ୍ୟ ୨୨୪.୩ ସ୍କୋର୍ ସହ ତୃତୀୟ ସ୍ଥାନ ପାଇଥିଲେ । ଧନୁଶ ଓ ଶୌର୍ଯ୍ୟ କ୍ୱାଲିଫିକେସନ୍ରେ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଥିଲେ । କ୍ୱାଲିଫିକେସନ୍ରେ ଧନୁଶ ୬୨୩.୩ ସ୍କୋର୍ କରି କିମ୍ (୬୨୫.୧)ଙ୍କ ପଛକୁ ରହିଥିଲେ । ଶୌର୍ଯ୍ୟ ୬୨୨.୭ ସ୍କୋର୍ କରିଥିଲେ ।
ପରେ ଭାରତୀୟ ବ୍ୟାଡ୍ମିଣ୍ଟନ ଟିମ୍ ଫାଇନାଲ୍ରେ ଜାପାନ୍କୁ ୩-୧ରେ ହରାଇ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଭାରତ ପଦକ ତାଲିକାରେ ଅଦ୍ୟାବଧି ଦୁଇଟି ସ୍ୱର୍ଣ୍ଣ ଓ ଗୋଟିଏ କାଂସ୍ୟ ସହ ଅଷ୍ଟମ ସ୍ଥାନରେ ରହିଛି । ୟୁକ୍ରେନ୍ ୧୯ ସ୍ୱର୍ଣ୍ଣ, ଛଅ ରୌପ୍ୟ ଓ ୧୩ କାଂସ୍ୟ ସହ ଶୀର୍ଷରେ ଅଛି ।
ତେଲେଙ୍ଗାନାର ଧନୁଶ ହାଇଦ୍ରାବାଦଠାରେ ଗଗନ ନାରଙ୍ଗଙ୍କ ଏକାଡେମୀରେ ପ୍ରଶିକ୍ଷଣ ନେଉଛନ୍ତି । ଅଲିମ୍ପିକ୍ କାଂସ୍ୟ ପଦକ ବିଜେତା ସୁଟର୍ଙ୍କ ତତ୍ତ୍ୱାବଧାନରେ ୧୯ବର୍ଷୀୟ ଧନୁଶ ଉଲ୍ଲେଖନୀୟ ପ୍ରଦର୍ଶନ କରି କ୍ୟାରିଅର ସର୍ବୋଚ୍ଚ ପୁରସ୍କାର ହାସଲ କରିଥିଲେ । ଏହି ମେଗା ଇଭେଣ୍ଟ ପାଇଁ ଧନୁଶ ଓ ଶୌର୍ଯ୍ୟଙ୍କୁ ନାସ୍ନାଲ୍ ରାଇଫଲ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ କୋଚ୍ ଅନୁଜା ଜଙ୍ଗ୍ ଓ ପ୍ରୀତି ଶର୍ମା ମଧ୍ୟ ସହାୟତା କରିଥିଲେ ।
ବ୍ରାଜିଲ୍ ଡିଫ୍ଲିମ୍ପିକ୍ସ ପାଇଁ ଭାରତ ପଠାଇଥିବା ୬୫ଜଣିଆ ଦଳରେ ୧୦ ସୁଟର୍ ରହିଛନ୍ତି । ଏହା ଭାରତର ସର୍ବବୃହତ୍ ଓ ସର୍ବକନିଷ୍ଠ ଦଳ, ଯେଉଁମାନେ ୧୧ କ୍ରୀଡ଼ା ଶୃଙ୍ଖଳାରେ ଭାଗ ନେବେ । ୨୦୧୭ ସଂସ୍କରଣରେ ଭାରତ ଗୋଟିଏ ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ତିନିଟି କାଂସ୍ୟ ପଦକ ଜିତିଥିଲା ।