ଭାରତରେ ଯାଇଛି ୪୭ ଲକ୍ଷ ଜୀବନ
କରୋନା ମୃତୁ୍ୟ ନେଇ ହୁ’ର ଚାଞ୍ଚଲ୍ୟକର ତଥ୍ୟ
ଲଣ୍ଡନ, ୫ ।୫: କରୋନା ମହାମାରୀ କାଳରେ ହୋଇଥିବା ମୃତୁ୍ୟକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ’) ପକ୍ଷରୁ ଚାଞ୍ଚଲ୍ୟକର ରିପୋର୍ଟ ଜାରି କରାଯାଇଛି । ସେଥିରେ କୁହାଯାଇଛି ଯେ ଏହି ମହାମାରୀ ସମୟରେ ପୃଥିବୀରେ ଯେତେ ଶିଶୁ ଜନ୍ମ ହୋଇଥିଲେ, ତା’ଠାରୁ ଅଧିକ ସଂଖ୍ୟକ ଲୋକ ପ୍ରାଣ ହରାଇଛନ୍ତି । ହୁ’ର ମହାନିଦେ୍ର୍ଦଶକ ଡକ୍ଟର ଟେଡ୍ରୋସ୍ ଅଦନୋମ ଘେବ୍ରେୟିସସ୍ କହିଛନ୍ତି, କେବଳ କରୋନା ପ୍ରଭାବରୁ ମୃତୁ୍ୟ ସଂଖ୍ୟା ଏତେ ଅଧିକ ହୋଇନାହିଁ । ଅନେକ ଦେଶରେ ପର୍ଯ୍ୟାପ୍ତ ଚିକିତ୍ସା ସୁବିଧା ନ ମିଳିବା ଯୋଗୁ ୧.୩୩ କୋଟିରୁ ୧.୬୬ କୋଟି ଲୋକ ମରିଛନ୍ତି । ବିଭିନ୍ନ ଦେଶ ପକ୍ଷରୁ ଯୋଗାଇ ଦିଆଯାଇଥିବା ତଥ୍ୟ ଓ ଗାଣିତିକ ମଡେଲିଂ ଆଧାରରେ ଏହି ହିସାବ କରାଯାଇଛି । ମୃତକଙ୍କ ମଧ୍ୟରୁ ପ୍ରାୟ ଅଦେ୍ର୍ଧକ ଭାରତୀୟ । ଭାରତର କୋଭିଡ୍-୧୯ ମୃତୁ୍ୟ ଆକଳନ ପଦ୍ଧତିକୁ ନେଇ ହୁ’ ପ୍ରଶ୍ନ ଉଠାଇଥିବାବେଳେ ଭାରତ ସରକାର ହୁ’ର ଏହି ହିସାବକୁ ଖଣ୍ଡନ କରିଛନ୍ତି ।
ଗୁରୁବାର ହୁ’ ପକ୍ଷରୁ ଭାରତ ସମେତ ବିଭିନ୍ନ ଦେଶର କରୋନା ମୃତୁ୍ୟ ସଂଖ୍ୟା ସଂପର୍କିତ ନୂଆ ଆକଳନ ଜାରି କରାଯାଇଛି । ସେଥିରେ କୁହାଯାଇଛି ଯେ ଗତବର୍ଷ ପୃଥିବୀସାରା ପ୍ରାୟ ୧୪.୯ ନିୟୁତ ଲୋକଙ୍କ ମୃତୁ୍ୟ ହୋଇଥିଲା । ପୂର୍ବ ହିସାବ ତୁଳନାରେ ଅଧିକ ମୃତୁ୍ୟ ଦକ୍ଷିଣ ଏସିଆ, ୟୁରୋପ ଓ ଆମେରିକାରେ ରେକର୍ଡ କରାଯାଇଛି । ଭାରତ ସରକାର ହୁ’ର ଆକଳନକୁ ଅଗ୍ରାହ୍ୟ କରିବା ସହ ହୁ’ର ମୃତୁ୍ୟ ଆକଳନ ପ୍ରକ୍ରିୟା ଓ କାର୍ଯ୍ୟପ୍ରଣାଳୀ ତଥା ମଡେଲିଂ ଅଭ୍ୟାସ ଉପରେ ଆପତ୍ତି ଉଠାଇଛନ୍ତି । ଏକ ବିବୃତ୍ତିରେ ନୂଆଦିଲ୍ଲୀ ପକ୍ଷରୁ କୁହାଯାଇଛି ଯେ ହୁ’ ଭାରତର ସମସ୍ୟା ପ୍ରତି ଅଣଦେଖା କରି ଅତ୍ୟଧିକ ମୃତୁ୍ୟ ହାର ଦର୍ଶାଇଛି । ଚଳିତ ସପ୍ତାହ ଆରମ୍ଭରେ ଭାରତ ସରକାର ନାଗରିକ ପଞ୍ଜିକରଣ ପ୍ରଣାଳୀ ଆଧାରରେ ମୃତୁ୍ୟ ସଂଖ୍ୟା ଜାରି କରିଥିଲେ ଏବଂ କହିଥିଲେ ଯେ କରୋନା ମୃତୁ୍ୟ ସଂଖ୍ୟା ପାଇଁ ମଡେଲ୍ର ସହାୟତା ନେବାର ଆବଶ୍ୟକତା ନାହିଁ ।
ଅପରପକ୍ଷେ ୨୦୨୦-୨୧ରେ ଭାରତରେ କୋଭିଡ୍ କାରଣରୁ ପ୍ରତ୍ୟକ୍ଷ ବା ଅପ୍ରତ୍ୟକ୍ଷ ଭାବେ ୪୭ ଲକ୍ଷ ମୃତୁ୍ୟ ଘଟିଛି ବୋଲି ହୁ’ ଆକଳନ କରିଥିଲା । ସେ ସମୟରେ ଦେଶରେ ପ୍ରାୟ ୫ ଲକ୍ଷ ୨୦ ହଜାର କରୋନା ମୃତୁ୍ୟ ରେକର୍ଡ କରାଯାଇଥିଲା ।