୩୫ ଲକ୍ଷର ବ୍ରାଉନ୍ ସୁଗର ଜବତ
ବାସେଳୀ ସାହି ଥାନା ପୁଲିସକୁ ସଫଳତା
ପୁରୀ (ବୁ୍ୟରୋ): ଆଧ୍ୟାତ୍ମିକ ସହର ଶ୍ରୀକ୍ଷେତ୍ର ହେବ ନିଶାମୁକ୍ତ । ସେଥିଲାଗି ସଂଙ୍କଳ୍ପ ନେଇଛନ୍ତି ପୁରୀ ଏସ୍ପି କନୱାର ବିଶାଲ ସିଂହ । ଶ୍ରୀ ସିଂହ ପୁରୀରେ ଏସ୍ପି ଭାବରେ ଯୋଗଦେବାଠାରୁ ଆଜିପର୍ଯ୍ୟନ୍ତ ପର୍ଯ୍ୟଟନ ତଥା ଆଧ୍ୟାତ୍ମିକ ସହର ଶ୍ରୀକ୍ଷେତ୍ରକୁ ନିଶାମୁକ୍ତ କାର୍ଯ୍ୟ କରି ଆସିଛନ୍ତି । ଏପରିକି ପ୍ରତ୍ୟେକ ଦିନ ସହରାଞ୍ଚଳ ଠାରୁ ଆରମ୍ଭ କରି ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳରୁ ମଧ୍ୟ ନିଶା ବ୍ୟବସାୟୀଙ୍କ ଉପରେ କଡ଼ା ନଜର ରଖିଛି ପୁଲିସ । ତତ୍ସହିତ ସେମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଗୁରୁବାର ବାସେଳୀସାହି ଥାନା ପୁଲିସକୁ ବଡ଼ ସଫଳତା ମିଳିଛି ।
ଏସ୍ପି ଶ୍ରୀ ସିଂହଙ୍କ ନିଦେ୍ର୍ଦଶକ୍ରମେ ଏସ୍ଟିଏଫ୍ ଓ ବାସେଳୀସାହି ଥାନା ପୁଲିସ ମିଳିତ ଭାବେ ସ୍ଥାନୀୟ କଲ୍ୟାଣମଣ୍ଡପ ଠାରେ ଏକ ସନେ୍ଦହୀ କାର୍କୁ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ସମୟରେ ୨୫୫ ଗ୍ରାମ୍ ବ୍ରାଉନ୍ ସୁଗର ଜବତ କରିଥିଲେ । ଉକ୍ତ ଘଟଣାରେ ପୁଲିସ ୪ଜଣ ଆନ୍ତଃଜିଲ୍ଲା ନିଶା ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । କୋର୍ଟରେ ଜାମିନ୍ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍ ହାଜତକୁ ସ୍ଥାନାନ୍ତରିତ କରାଯାଇଛି । ସେମାନେ ହେଲେ ଉକ୍ତ ଥାନା ଅନ୍ତର୍ଗତ ଜଗନ୍ନାଥବସ୍ତିର ରାଜା ସିଂ, ଚନ୍ଦନ ସିଂ, ମାର୍କଣ୍ଡେଶ୍ୱରସାହି ହରିଜନ ବସ୍ତିର ଗୁଡୁ ନାୟକ ଓ ଯାଜପୁର ଜିଲ୍ଲା ବରୀ ଥାନା ଅଞ୍ଚଳର ଅମୂଲ୍ୟ କୁମାର ସ୍ୱାଇଁ । ଏମାନଙ୍କ ଠାରୁ ପୁଲିସ ନଗଦ ୨୧୦୦ ଟଙ୍କା, ୩ ବାଇକ୍, ୧ଟି କାର୍ ଏବଂ ୪ଟି ମୋବାଇଲ୍ ଜବତ କରାଯାଇଥିବା ନେଇ ବାସେଳୀ ସାହି ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ୍ପି ମିହିର କୁମାର ପଣ୍ଡା ସୂଚନା ଦେଇଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏନେଇ ବାସେଳୀ ସାହି ଥାନାରେ ୧୦୩/୨୨ରେ ମାମଲା ରୁଜୁ କରାଯାଇ ସେମାନଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି । ଆଗାମୀ ଦିନରେ ପୁଲିସ ପକ୍ଷରୁ ନିଶା ବ୍ୟବସାୟୀଙ୍କ ଉପରେ ଚଢ଼ଉ ଜାରି ରହିବ ବୋଲି ସ୍ପଷ୍ଟ କରିଛନ୍ତି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ସିଟି ଡିଏସ୍ପି ଜନାର୍ଦ୍ଦନ ପାଢୀ, ବାସେଳୀ ସାହି ଥାନା ଅଧିକାରୀ କୁଳମଣି ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।