ଅଭିଯୋଗ ଥାଇ ବି କାର୍ଯ୍ୟାନୁଷ୍ଠାନ ନାହିଁ
ଜଙ୍ଗଲ ଜମିରେ ପୋଖରୀ ଖୋଳା
ଭଣ୍ଡାରିପୋଖରୀ (ଆପ୍ର): ଭଣ୍ଡାରିପୋଖରୀ ବ୍ଲକ୍ ନିର୍ଗୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ଅନନ୍ତପୁର ରାଜସ୍ୱ ଗ୍ରାମର ଗ୍ରାମ୍ୟ ଜଙ୍ଗଲ ଜମିରେ ‘ମୋ ପୋଖରୀ’ ଖୋଳାକୁ ପ୍ରଶାସନ ଏଡ଼ାଇଯାଉଥିବା ପ୍ରକାଶ କରିଛନ୍ତି ଗ୍ରାମବାସୀ । ପ୍ରଥମେ ଜବରଦଖଲ କରାଯାଇ ଗୃହ ନିର୍ମାଣ କରାଗଲା । ଏହି ଜମି ଉପରେ ଗ୍ରାମବାସୀଙ୍କ ପାଦଚଲା ରାସ୍ତାକୁ ମଧ୍ୟ ଅବରୋଧ କରାଗଲା । ଏବେ ମହାତ୍ମା ଗାନ୍ଧୀ ଗ୍ରାମୀଣ କର୍ମନିଯୁକ୍ତି ଯୋଜନାରେ ମେସିନ ସହାୟତାରେ ସେହି ଜମିରେ ‘ମୋ ପୋଖରୀ’ ଖୋଳାଯାଇ ଅର୍ଥ ଉଠାଯିବାକୁ ମସୁଧା ଚାଲିଛି । ଗ୍ରାମର ସରକାରୀ ଖାତା ନଂ ୬୮ ଅନ୍ତର୍ଗତ ୧୧୬ ଓ ୧୧୭ ନଂ ପ୍ଲଟରେ ଥିବା ଗ୍ରାମ୍ୟଜଙ୍ଗଲ ଜମିରେ ଗ୍ରାମର ଜନୈକ ଜବରଦଖଲକାରୀଙ୍କ ପକ୍ଷରୁ କ୍ରମାଗତ ଭାବେ ଏହି ବେଆଇନ ଓ ଜନସ୍ୱାର୍ଥ ବିରୋଧୀ କାର୍ଯ୍ୟ ଚାଲିଥିବା ବେଳେ ରାଜସ୍ୱ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି ।
‘ମନରେଗା ଯୋଜନା’ ଏବେ ‘ହରିଲୁଟ ଯୋଜନା’ରେ ପରିଣତ ହୋଇଛି । ସମସ୍ତ ନୀତି ନିୟମକୁ ଜଳାଞ୍ଜଳି ଦେଇ ଏହି ଯୋଜନାରେ ଥିବା ବ୍ୟାପକ ଅର୍ଥ ଉପରେ ସଭିଙ୍କ ନଜର ରହିଛି । ପ୍ରଥମେ ମେସିନ ସହାୟତାରେ କାର୍ଯ୍ୟ କରାଯାଇ ପରେ ଯୋଜନା ଅନ୍ତର୍ଭୁକ୍ତ କରାଯିବା ସହ ବିଲ ଉଠାଇ ନେବା ତରିକା ବ୍ଲକ ପ୍ରଶାସନ ଆପଣାଇଛି । ଏ ସମ୍ପର୍କରେ ବ୍ୟବସ୍ଥା ଥିôବା ସୋସିଆଲ୍ ଅଡିଟ ପ୍ରହସନରେ ପରିଣତ ହୋଇଛି । ଏଥିନେଇ ଗ୍ରାମବାସୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଗତ ୨ ତାରିଖରେ ଅଭିଯୋଗ ହୋଇଥିଲା । ଏଥିପୂର୍ବରୁ ଗ୍ରାମବାସୀ ଗତ ୨୦୧୮ ଜାନୁୟାରୀ ୩ ତାରିଖ, ୨୦୧୯ ଫେବ୍ରୁୟାରୀ ୨୨ ତାରିଖ, ଅକ୍ଟୋବର ୩ ତାରିଖ ଓ ୨୦୨୦ ଫେବ୍ରୁୟାରୀ ୨ ତାରିଖରେ ମଧ୍ୟ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଥିଲେ । ବାରମ୍ବାର ହେଉଥିôବା ଅଭିଯୋଗକୁ ପ୍ରଶାସନ ଏଡ଼ାଇ ଦେଉଥିବାରୁ ଜନଅସନ୍ତୋଷ ପ୍ରକାଶ ପାଇଛି । ଜବରଦଖଲ ସମ୍ପର୍କରେ ଗ୍ରାମବାସୀଙ୍କ ଅଭିଯୋଗ ତହସିଲର ହସ୍ତଗତ ହୋଇଛି । ବାରିକପୁର ରାଜସ୍ୱ ନୀରିକ୍ଷକ ଘଟଣାସ୍ଥଳ ଅନୁଧ୍ୟାନ କରିଛନ୍ତି । ଏଥିନେଇ ପଦକ୍ଷେପ ନିଆଯିବ ବୋଲି ତହସିଲଦାର ସରୋଜକାନ୍ତ ନାୟକ ସୂଚନା ଦେଇଛନ୍ତି ।