ପୁଣି ଚର୍ଚ୍ଚାରେ ଏମାର ମଠ, ମଙ୍ଗଳଗିରି ତୋରଣ ଗାଏବ

ପୁରୀ (ବୁ୍ୟରୋ): ଓଡ଼ିଶାର ସବୁଠାରୁ ଧନଶାଳୀ ମଠ ଭାବେ ପରିଚିତ ଏମାର ମଠ । ଏହି ମଠର ସ୍ୱତନ୍ତ୍ର ପରିଚୟ ରହିଛି । ଗତ କିଛିବର୍ଷ ତଳେ ମଠ ପରିସରରୁ ରୁପା ଇଟା ଉଦ୍ଧାର ହୋଇ ଚର୍ଚ୍ଚାକୁ ଆସିଥିବା ବେଳେ ପୁଣି ମଠ ପରିସରରୁ ମଙ୍ଗଳଗିରି ତୋରଣ ଗାଏବ ହେବା ଘଟଣାରେ ଚର୍ଚ୍ଚା ଜୋର୍ ଧରିଛି । ଏହାକୁ ନେଇ ମଠ ମହନ୍ତ ଓ ଟ୍ରଷ୍ଟ ବୋର୍ଡ ସଦସ୍ୟଙ୍କ ମଧ୍ୟରେ କାଦୁଅ ଫିଙ୍ଗାଫିଙ୍ଗି ଆରମ୍ଭ ହୋଇଛି । ହେଲେ କେଉଁଦିନ ଠାରୁ ମଠ ପରିସରରୁ ତୋରଣ ଗାଏବ ହୋଇଛି ତାହା କାହା ନିକଟରେ ସଠିକ୍ ଖବର ନାହିଁ । ଫଳରେ ଏହାକୁ ନେଇ ମଠ ମହନ୍ତ ଓ ଟ୍ରଷ୍ଟ ବୋର୍ଡ ସଦସ୍ୟଙ୍କ ଭୂମିକାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି । ତୋରଣ କୁଆଡ଼େ ଗଲା, କିଏ ଗାଏବ କଲା ତାହା ସ୍ପଷ୍ଟ ହୋଇନାହିଁ । ହେଲେ ଉକ୍ତ ଘଟଣାର ତଦନ୍ତ କରାଗଲେ ସତ୍ୟ ଉନ୍ମୋଚନ ହେବ ବୋଲି ଦାବି ହୋଇଛି ।
ସୂଚନାଥାଉକି, ପ୍ରତ୍ୟେକ ବର୍ଷ ରାମାନୁଜାଚାର୍ଯ୍ୟଙ୍କ ଜୟନ୍ତୀରେ ରାମାନୁଜଙ୍କ ଅଷ୍ଟଧାତୁ ମୂର୍ତ୍ତି ଶ୍ରୀମନ୍ଦିର ଚତୁଃପାଶ୍ୱର୍ ପରିକ୍ରମା କରିଥାନ୍ତି । ମୂର୍ତ୍ତି ଉପରେ ମଙ୍ଗଳଗିରି ତୋରଣ ଶୋଭା ପାଇଥାଏ । ଚଳିତବର୍ଷ ଜୟନ୍ତୀରେ ମଙ୍ଗଳଗିରି ତୋରଣ ଖୋଜା ଯାଇଥିବା ବେଳେ ମିଳି ନ ଥିଲା । ଫଳରେ ପରମ୍ପରା ବନ୍ଦ ରହିଥିଲା । ଉକ୍ତ ଘଟଣାକୁ ନେଇ ବିବାଦ ହେବାରୁ ଗୁରୁବାର ରାତିରେ ବାହାରେ ଆଲୋଚନା ଆରମ୍ଭ ହୋଇଥିଲା । ହେଲେ ଏହାକୁ ନେଇ କେତେଜଣ କୁହନ୍ତି ଏହାର ଦାୟିତ୍ୱରେ ମଠ ମହନ୍ତ ରହିଥିବା ବେଳେ ସେ କିଭଳି ଜାଣିପାରିଲେ ନାହିଁ ତାହା ଏବେ ସମସ୍ତଙ୍କୁ ଚକିତ କରିଛି । ଅନ୍ୟପକ୍ଷରେ ମଙ୍ଗଳଗିରି ତୋରଣ ହଜିଥିବା ବା କିଏ ଗାଏବ କରିଥିବା ନେଇ ଥାନାରେ ମଧ୍ୟ ଅଭିଯୋଗ କରାଯାଇ ନାହିଁ । ଫଳରେ ଏହାକୁ ନେଇ ମଠ ମହନ୍ତ ଓ ଟ୍ରଷ୍ଟ ବୋର୍ଡ ସଦସ୍ୟଙ୍କ ଭୂମିକାକୁ ନେଇ ଆଲୋଚନା ଜୋର୍ ଧରିଛି । ଏହି ତୋରଣ ସୁନାରେ ନିର୍ମିତ ହୋଇଥିବା କେତେଜଣ ମତ ଦେଉଥିବା ବେଳେ ଅନ୍ୟ କେତେଜଣ ଏହା ଦକ୍ଷିଣ ଭାରତର ଛଣା ପିତ୍ତଳ ଥିବା ବୋଲି ମତ ଦେଇଛନ୍ତି । ଏହା ଉପରେ ଦେବୋତ୍ତର ବିଭାଗ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଉପରେ ସମସ୍ତଙ୍କ ନଜର । ଗତ ୨୦୧୧ରେ ୫୨୨ ଖଣ୍ଡ ରୁପା ଇଟା ଓ ୨୦୨୧ ମସିହାରେ ୪୫ ଖଣ୍ଡ ରୁପା ଇଟା ଏମାରମଠରୁ ଉଦ୍ଧାର ହୋଇଥିଲା । ଫଳରେ ଏହି ସମୟରେ ମଠ ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *