ପାଣିରେ ବୁଡ଼ିଲା ଚାପ ଡଙ୍ଗା
ସାକ୍ଷୀଗୋପାଳଙ୍କ ଚନ୍ଦନ ଯାତ୍ରାରେ ବିଭ୍ରାଟ
ସାକ୍ଷୀଗୋପାଳ (ଆପ୍ର): ସାକ୍ଷୀଗୋପାଳ ଠାକୁରଙ୍କ ଚନ୍ଦନ ଯାତ୍ରାରେ ଗୁରୁବାର ବିଭ୍ରାଟ ହୋଇଛି । ଅପରାହ୍ଣରେ ଦିନ ଚାପକୁ ମଦନ ମୋହନ ବିଜେ କରିବା ପୂର୍ବରୁ ଚାପଡ଼ଙ୍ଗା ପାଣିରେ ବୁଡ଼ି ଯାଇଥିଲା । ଫଳରେ ଦିନଚାପକୁ ଠାକୁର ବିଜେ ନ କରି ବିମାନରେ ଅଟକି ରହିଥଲେ । ସେପଟେ ପାଣିରୁ ଚାପ ଡଙ୍ଗା ଉଦ୍ଧାର କରିବା ନିମନ୍ତେ ସାକ୍ଷୀଗୋପାଳ ମନ୍ଦିର ପ୍ରଶାସନ ଠାରୁ ସ୍ଥାନୀୟ ଅଗ୍ନିଶମ ବାହିନୀ ଉଦ୍ୟମ ଚଳାଇଥିଲେ ମଧ୍ୟ ବିଫଳ ହୋଇଥିଲେ । ଦେବନୀତି ଖଣ୍ଡନକୁ ଏଡ଼ାଇବା ନିମନ୍ତେ ସନ୍ଧ୍ୟା ୭ଟାରେ ଠାକୁର ଚନ୍ଦନ ମଣ୍ଡପକୁ ବିଜେ କରିଥିଲେ । ଠାକୁରଙ୍କୁ ଚାପ ଛୁଆଈଁ ଫେରାଇ ଆଣିବାକୁ ପଡ଼ିଥିଲା ବୋଲି ପାନିଆ ସେବକମାନେ କହିଛନ୍ତି । ତେବେ କଣାଫଟା ଡଙ୍ଗାରେ ସାକ୍ଷୀଗୋପାଳଙ୍କ ଚନ୍ଦନ ଯାତ୍ରା କରାଯାଉଥିବା ନେଇ ମନ୍ଦିର ସେବାୟତ ସଂଘ ଅଭିଯୋଗ କରିଛି । ମନ୍ଦିର ପ୍ରଶାସନର ଚରମ ଅବହେଳା ଯୋଗୁ ଏଭଳି ଅଭାବନୀୟ ଘଟଣା ଘଟିଲା ବୋଲି ସଂଘ ସଭାପତି ଶ୍ରୀବତ୍ସ ମହାପାତ୍ର କହିଛନ୍ତି । ଏହାକୁ ଆକସ୍ମିକ ଘଟଣା ବୋଲି ଦର୍ଶାଇ ଶୁକ୍ରବାର ଚାପ ମରାମତି କରାଯିବ ବୋଲି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବସନ୍ତ ପ୍ରଧାନ କହିଛନ୍ତି । ଗୁରୁବାର ସାକ୍ଷୀଗୋପାଳଙ୍କ ଚାପଖେଳ ବନ୍ଦ ଘଟଣା ଶ୍ରଦ୍ଧାଳୁଙ୍କ ମନରେ ଗଭୀର ଆଘାତ ଦେଇଛି ।