ଅସୁରକ୍ଷିତ ଖଣି ଖନନ ଯୋଗୁ ବିପଦରେ ଗ୍ରାମବାସୀ

କେନ୍ଦୁଝର (ଆପ୍ର): ହରିଚନ୍ଦନପୁର ତହସିଲ୍ ବକ୍ସବାରିଗାଁ ରାଜସ୍ୱ ନୀରିକ୍ଷକ ଅନ୍ତର୍ଗତ ଶାଳବେଡ଼ା ଷ୍ଟୋନ କ୍ୱାରୀରେ ମାଇନିଂ ପ୍ଲାନ୍ ଉଲ୍ଲଙ୍ଗନ ହୋଇ ବେଧଡ଼କ ଖଣି ଖନନ ହେଉଥିବାରୁ ପାହାଡ଼ ଧସି ବଡ଼ ଧରଣର ଅଘଟଣ ଆଶଙ୍କା ରହିଛି । ଶାଳବେଡ଼ା ଗାଁ ରାସ୍ତା ପାଶ୍ୱର୍ରେ ଥିବା ପଥର ଖଣିରୁ ବଡ ବଡ ପଥର ଖଣ୍ଡ ଖସି ଗାଁ ରାସ୍ତା ଓ ପଡ଼ିଆ ଉପରେ ପଡୁଥିବାରୁ ଉକ୍ତ ରାସ୍ତାଦେଇ ଯାତାୟାତ କରୁଥିବା ଗ୍ରାମବାସୀ ଭୟଭୀତ ହୋଇପଡୁଛନ୍ତି । ରାସ୍ତା ପାଶ୍ୱର୍ରେ ପଥର ଖଣି ଥିବାରୁ ଖଣି ଖନନ ସମୟରେ ଲୋକଙ୍କ ସୁରକ୍ଷା ପ୍ରତି ଲିଜ୍ଧାରୀ ଗୁରୁତ୍ୱ ଦେବା ବଦଳରେ ମନଇଚ୍ଛା ଖଣି ଖନନ କରୁଥିବାରୁ ଲୋକଙ୍କ ପ୍ରତି ବିପଦ ଲାଗି ରହୁଛି । ମାଇନିଂ ପ୍ଲାନ୍ ଅନୁଯାୟୀ ଖଣି ଖନନ ହେବାର ନିୟମ ଥିଲେ ଏହାର ନିୟମିତ ତଦାରଖ ହେଉ ନ ଥିବାରୁ ଲିଜଧାରୀ ନୀତିନିୟମ ବାହାରେ ଖଣିଖନନ କରୁଛନ୍ତି । ରାତ୍ର ସମୟରେ ଉକ୍ତ ରାସ୍ତାଦେଇ ଯାଉଥିବା ଗ୍ରାମବାସୀ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ମାଇନିଂ ପ୍ଲାନ୍ ଅନୁସାରେ ଖଣି ଖନନ ହେଉ ନ ଥିବାରୁ ବଡ଼ ବଡ଼ ପଥର ଗ୍ରାମବାସୀ ଏବଂ ଖଣିରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଉପରେ ନ ପଡ଼ିବ କହିବା ମୁସ୍କିଲ । ୧୨.୩୨ ଏକର ପରିମିତ ପଥର ଖଣିରେ ବାଉଣ୍ଡାରୀ ପିଲାର, ସେଫଟି ଜୋନ୍ ନ ଥିବାବେଳେ ସୂଚନା ଫଳକ ମଧ୍ୟ ଲଗାଯାଇନାହିଁ ।
ଖଣି ଖନନ ସମୟରେ ଡ୍ରିଲିଂ ଏବଂ ବ୍ଲାଷ୍ଟି କରାଯାଉଛି । ନିୟମ ମୁତାବକ ରାଜସ୍ୱ ବିଭାଗ, ଭୂତତ୍ତ୍ୱ ବିଭାଗ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ସିଆ ଖଣିର ନିୟମିତ ଯାଞ୍ଚ କରି ଖଣି ସ୍ଥିତାବସ୍ଥା ତଦାରଖ କରିବା କଥା । ମାତ୍ର ସେସବୁ କରାଯାଉ ନ ଥିବାରୁ ଅସନ୍ତୋଷ ଦେଖାଦେଇଛି । ଖଣି ଖନନ ସମୟରେ ବାୟୁ ପ୍ରଦୂଷଣ ରୋକିବା ପାଇଁ ଜଳ ସିଞ୍ଚନ ହେଉନଥିବାରୁ ଧୂଳି ଉଡ଼ି ବ୍ୟାପକ ବାୟୁ ପ୍ରଦୂଷଣ ହେଉଛି । ପଥର ଖସୁଥିବାରୁ ଆଖପାଖ ଅଞ୍ଚଳରେ ଚରୁଥିବା ଗୋରୁଗାଈଙ୍କ ପ୍ରତି ବିପଦର କାରଣ ହେଉଛି । ମାଇନିଂ ପ୍ଲାନ୍ ଅନୁସାରେ ଖଣିରୁ ବାହାରୁ ଥିବା ବର୍ଜ୍ୟବସ୍ତୁ ରଖିବା ପାଇଁ ଷ୍ଟକୟାର୍ଡ କରାଯାଇନାହିଁ । ଖଣିରୁ ପରିବହନ ସମୟରେ ଗାଁ ରାସ୍ତା ଦେଇ ଭାରୀଯାନ ଯାତାୟତ ସମୟରେ ଗାଁ ରାସ୍ତାରେ ଟ୍ୟାଙ୍କର ଯୋଗେ ପାଣି ସିଞ୍ଚନ ହେଉ ନ ଥିବାରୁ ଧୂଳି ଉଡ଼ି ବ୍ୟାପକ ବାୟୁ ପ୍ରଦୂଷଣ ହେଉଛି । ଖଣି ଖନନ ସମୟରେ ମାଇନିଂ ପ୍ଲାନ୍ ଉଲ୍ଲଙ୍ଗନ ହୋଇ ଖଣି ଖନନ ହୋଇଥିବାରୁ ମାଇନିଂ ପ୍ଲାନ୍ ବାତିଲ କରିବା ସହ କେତେକ ପରିମାଣର ଖଣିଜ ପଥର ଉତ୍ତୋଳନ ହୋଇଛି ତାହାର ଯାଞ୍ଚ କରାଯିବାକୁ ଦାବି ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *