ଛତ୍ରବଜାରରେ ଯୋଗାଣ ବିଭାଗର ଚଢାଉ
ସାମ୍ଭାବ୍ୟ ବାତ୍ୟା ପୂର୍ବରୁ ବେଆଇନ୍ ମହଜୁଦ
କଟକ (ବୁ୍ୟରୋ): ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟବ୍ୟାପୀ ଚହଳ ପଡିଛି । ବାତ୍ୟା ଭୟରେ ଲୋକମାନେ ଚୁଡ଼ା, ଚାଉଳ, ଆଳୁ, ପିଆଜ ଓ ଟମାଟୋ ଆଣି ଘରେ ମହଜୁଦ ରଖିବା ପାଇଁ ବାଧ୍ୟ ହେଉଛନ୍ତି । ତେବେ ଏହାର ଫାଇଦା ଉଠାଉଛନ୍ତି କିଛି ମୁନାଫାଖୋର ବ୍ୟବସାୟୀ ମାନେ । ଆଳୁ ଓ ଟମାଟୋ ଦର ଆକାଶ ଛୁଅାଁ ହୋଇଛି । ଯାହାକୁ ନେଇ ଖାଉଟିମାନେ ଚିନ୍ତାରେ ପଡିଛନ୍ତି । ଏନେଇ ଗୁରୁବାର ଜିଲ୍ଲାପାଳଙ୍କ ନିଦେ୍ର୍ଦଶରେ କଟକ ଜିଲ୍ଲା ଯୋଗାଣ ବିଭାଗର ଅଧିକାରୀମାନେ ଛତ୍ର ବଜାରର ବିଭିନ୍ନ ଆଳୁ ଓ ଟମାଟୋ ଗୋଦାମ ଉପରେ ଚଢାଉ କରିଛନ୍ତି । କାଳିଆ ସାହୁ ଆଣ୍ଡ ସସ୍, ଏନ୍ସି ଫାରମ, ଜଗନ୍ନାଥ ଭଣ୍ଡାର ଆଦି ଗୋଦାମ ଉପରେ ଚଢାଉ କରାଯାଇଥିଲା । ଆଳୁ ମୂଲ୍ୟ ହୋଲସେଲ ରେ ୧୮ ରୁ ୨୦ ଟଙ୍କା କିଲୋ ପ୍ରତି ଥିବା ବେଳେ ରିଟେଲରରେ ୨୩ ରୁ ୨୫ ଟଙ୍କା ଥିଲା । ଆଳୁ ବର୍ତ୍ତମାନ ଉତ୍ତରପ୍ରଦେଶରୁ ଆସୁଛି ଏବଂ କଲିକତାରୁ କମ ପରିମାଣର ଆସୁଛି । ତେବେ ଯାଞ୍ଚ କରିବାରୁ ଜଣାପଡିଥିଲା ଯେ ଆଳୁର ମୂଲ୍ୟ ଉଭୟ ଉତ୍ତରପ୍ରଦେଶ ଏବଂ କଲିକତା ରେ ଅଧିକ ଥିବାରୁ ଏଠି ମୂଲ୍ୟ ବୃଦ୍ଧି ହୋଇଛି । ସେହିପରି ଲୋକାଲ ଟମାଟୋ ନ ଥିବାରୁ ବାହାର ରାଜ୍ୟରୁ ଆସୁଥିବାରୁ ଏହାର ମୂଲ୍ୟ ଅଧିକ ଥିବାରୁ ଏଠାରେ ମୂଲ୍ୟ ବଢୁଛି । ବଜାରରେ କୌଣସି ସାମଗ୍ରୀର ଅଭାବ ନାହିଁ । ସମସ୍ତ ବ୍ୟବସାୟୀଙ୍କୁ ଷ୍ଟକ୍ ପ୍ରାଇଜ ଡିକ୍ଲାରେସନ୍ ବୋର୍ଡ ଏବଂ ଅନ୍ୟ କାଗଜପତ୍ର ଠିକ୍ ରଖିବା ପାଇଁ ନିର୍ଦେଶ ଦିଆଯାଇଥିଲା ।