୫୮,୨୭୫ ଅବସରପ୍ରାପ୍ତ ସୈନିକଙ୍କୁ ଆଶ୍ୱସ୍ତି
ମିଳିବ ଏପ୍ରିଲର ପେନ୍ସନ୍
୨୫ ସୁଦ୍ଧା ଦାଖଲ କରିବାକୁ ହେବ ଲାଇଫ୍ ସାର୍ଟିଫିକେଟ୍
ନୂଆଦିଲ୍ଲୀ(ଏଜେନ୍ସି): ଭାରତୀୟ ସେନାର ପୂର୍ବତନ ବା ଅବସରପ୍ରାପ୍ତ କର୍ମଚାରୀ ତଥା ଅଧିକାରୀଙ୍କ ବକେୟା ପେନ୍ସନ୍ ରାଶି ପ୍ରଦାନ ସମ୍ପର୍କରେ ଲାଗିଥିବା ଆଶା ଆଶଙ୍କାର ଅବସାନ ଘଟିଛି । ବୁଧବାର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏସମ୍ପର୍କରେ ସ୍ପଷ୍ଟୀକରଣ ଜାରି କରାଯାଇଛି । ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ମାର୍ଚ୍ଚ ୩୧ ସୁଦ୍ଧା ଲାଇଫ୍ ସାର୍ଟିଫିକେଟ୍ ଜମାକରିନଥିବା ୫୮,୨୭୫ଜଣ ଅବସରପ୍ରାପ୍ତ ସୈନିକଙ୍କୁ ଏପ୍ରିଲରେ ପେନ୍ସନ୍ ମିଳିନାହିଁ । ଏହା ବ୍ୟତୀତ ଅନ୍ୟ କୌଣସି କାରଣ ନାହିଁ । ତେବେ ଏହି ଅବସରପ୍ରାପ୍ତ କର୍ମଚାରୀମାନେ ଆଶ୍ୱସ୍ତ ରୁହନ୍ତୁ । ଏପ୍ରିଲ ମାସର ପେନ୍ସନ୍ ପ୍ରକ୍ରିୟା ଜାରି ରହିଛି । ମେ ୪ ମଧ୍ୟରାତ୍ରି ସୁଦ୍ଧା ସେମାନଙ୍କ ପେନସନ୍ ଟଙ୍କା ସେମାନଙ୍କ ନିର୍ଦ୍ଦିଷ୍ଟ ବ୍ୟାଙ୍କ୍ ଆକାଉଣ୍ଟରେ ଜମା ହୋଇଯିବ । ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏପ୍ରକାର ସ୍ପଷ୍ଟୀକରଣ ଆସିବା ପରେ ଦେଶର ୫୮ ହଜାରରୁ ଊଦ୍ଧ୍ୱର୍ ପେନସନ୍ଭୋଗୀ ସେନା କର୍ମଚାରୀ ଆଶ୍ୱସ୍ତ ହୋଇଛନ୍ତି ।
ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସ୍ପଷ୍ଟୀକରଣ ଅନୁସାରେ, ମାର୍ଚ୍ଚ ୩୧ ସୁଦ୍ଧା ବାର୍ଷିକ ଲାଇଫ୍ ସାର୍ଟିଫିକେଟ୍ ଜମା କରିନଥିବା କାରଣରୁ ୫୮,୨୭୫ ଜଣ ଅବସରପ୍ରାପ୍ତ ସୈନିକଙ୍କୁ ଏପ୍ରିଲର ପେନସନ ମିଳିପାରିନାହିଁ । ତେବେ ସେମାନଙ୍କୁ ଆଉ ଏକ ସୁଯୋଗ ଦିଆଯାଉଛି । ମେ ୨୫ ସୁଦ୍ଧା ସେମାନଙ୍କୁ ନିଜ ନିଜ ଲାଇଫ୍ ସାର୍ଟିଫିକେଟ୍ ବା ପ୍ରମାଣ ପତ୍ର ଦାଖଲ କରିବାକୁ ହେବ । ଉଲ୍ଲେଖଯୋଗ୍ୟ, ଅବସରପ୍ରାପ୍ତ ସୈନିକଙ୍କୁ ପ୍ରତିବର୍ଷ ନଭେମ୍ବର ୩ଠ ସୁଦ୍ଧା ନିଜର ଜୀବନ ପ୍ରମାଣ ପତ୍ର ଦାଖଲ କରିବା ବାଧ୍ୟତାମୂଳକ ରହିଛି । ତେବେ ଗତ ବର୍ଷ କରୋନା ମହାମାରୀ ଯୋଗୁଁ ଜୀବନ ପ୍ରମାଣ ପତ୍ର ଦାଖଲ କରିବା ତାରିଖକୁ ୨୦୨୨ ମାର୍ଚ୍ଚ ୩୧ ଯାଏଁ ବଢାଯାଇଥିଲେ ମଧ୍ୟ ଅନେକ ପେନସନ୍ଭୋଗୀ ସେମାନଙ୍କ ଲାଇଫ୍ ସାର୍ଟିଫିକେଟ୍ ଜମା କରିନଥିଲେ । ସେନାର ଏହି ପୂର୍ବତନ କର୍ମଚାରୀଙ୍କ ପେନସନ୍ ପ୍ରଦାନରେ ସମସ୍ୟା ଦେଖାଦେବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, କେନ୍ଦ୍ର ସରକାରଙ୍କୁ ତୀବ୍ର ଭର୍ତ୍ସନା କରିଥିଲେ ।