ଟି-୨ଠରେ ଭାରତ ନଂ.୧
ଦୁବାଇ, ୪ା୫ (ଏଜେନ୍ସି): ଘରୋଇ ଗ୍ରାଉଣ୍ଡରେ ଲଗାତାର ପ୍ରଭାବଶାଳୀ ପ୍ରଦର୍ଶନ କରିବା ଯୋଗୁଁ ଭାରତ ବିଶ୍ୱର ଏକ ନମ୍ବର ଟି-୨୦ ଟିମ୍ ଭାବେ ୨୦୨୧-୨୨ ସିଜନ୍ ଶେଷ କରିଛି । ତେବେ ଆଇସିସି ପକ୍ଷରୁ ବୁଧବାର ଜାରି କରାଯାଇଥିବା ବାର୍ଷିକ ଟେଷ୍ଟ ମାନ୍ୟତାରେ ଟିମ୍ ଇଣ୍ଡିଆ ଶୀର୍ଷରେ ଥିବା ଅଷ୍ଟ୍ରେଲିଆଠାରୁ ୯ ପଏଣ୍ଟ ପଛରେ ରହିଛି । ନୁ୍ୟଜିଲାଣ୍ଡ ଦିନିକିଆ ମାନ୍ୟତାରେ ଏକ ନମ୍ବର ସ୍ଥାନରେ ରହିଛି । ଭାରତ ଓ ଇଂଲଣ୍ଡ ମଧ୍ୟରେ ୨୦୨୧ରେ ହୋଇଥିବା ଟେଷ୍ଟ ଶୃଙ୍ଖଳାର ସ୍ଥଗିତ ଥିବା ପଞ୍ଚମ ତଥା ଶେଷ ମ୍ୟାଚ୍ ଖେଳାଯିବା ପରେ ଏହାକୁ ମାନ୍ୟତାରେ ସାମିଲ୍ କରାଯିବ ।
ଆଇସିସି ଏକ ବିଜ୍ଞପ୍ତିରେ କହିଛି, “ଅଷ୍ଟ୍ରେଲିଆ ଆଇସିସି ପୁରୁଷ ଟେଷ୍ଟ ଟିମ୍ ମାନ୍ୟତାର ବାର୍ଷିକ ଅପ୍ଡେଟ୍ ପରେ ଦ୍ୱିତୀୟ ସ୍ଥାନରେ ଥିବା ଟିମ୍ ଭାରତଠାରୁ ନିଜ ଅଗ୍ରଣୀକୁ ୧ ରେଟିଂ ପଏଣ୍ଟରୁ ୯ ରେଟିଂ ପଏଣ୍ଟରେ ପହଞ୍ଚାଇଛି ଯେତେବେଳେକି ପାକିସ୍ତାନ ଟିମ୍ ଇଂଲଣ୍ଡକୁ ଅତିକ୍ରମ କର ପଞ୍ଚମ ସ୍ଥାନ ଦଖଲ କରିଛି ।”
ନୁ୍ୟଜିଲାଣ୍ଡ ଟେଷ୍ଟ ମାନ୍ୟତାରେ ତୃତୀୟ ଓ ଦକ୍ଷିଣ ଆଫ୍ରିକା ଚତୁର୍ଥ ସ୍ଥାନରେ ରହିଛି । ଭାରତକୁ ବି ୧ ପଏଣ୍ଟର ଫାଇଦା ହୋଇଛି ଏବଂ ଟିମ୍ର ରେଟିଂ ଏବେ ୧୧୯ରେ ପହଞ୍ଚିଛି ଯେତେବେଳେକି ଇଂଲଣ୍ଡର ସର୍ବାଧିକ ୯ ପଏଣ୍ଟର କ୍ଷତି ହୋଇଛି । ଇଂଲଣ୍ଡର ରେଟିଂ ୮୮ ରହିଛି, ଯାହାକି ୧୯୯୫ ପରେ ସର୍ବନିମ୍ନ ।
ଅଷ୍ଟ୍ରେଲିଆ ଜାନୁଆରୀରେ ଇଂଲଣ୍ଡକୁ ଆସେସ୍ ଶୃଙ୍ଖଳାରେ ୪-୦ରେ ହରାଇଥିଲା । କଙ୍ଗାରୁ ଟିମ୍ର ରେଟିଂ ଏବେ ୧୨୮ରେ ପହଞ୍ଚିଛି । ବାର୍ଷିକ ଅପ୍ଡେଟ୍ରେ ୨୦୧୯ ପରେ ସମ୍ପୂର୍ଣ୍ଣ ହୋଇଥିବା ସମସ୍ତ ଶୃଙ୍ଖଳାକୁ ସାମିଲ୍ କରାଯାଇଛି । ଏବେ ୨୦୨୧ ମେ’ ପୂର୍ବରୁ ଶେଷ ହୋଇଥିବା ଶୃଙ୍ଖଳାକୁ ବାର୍ଷିକ ଗଣନାରେ ୫୦ ପ୍ରତିଶତ ଏବଂ ଏହା ପର ଶୃଙ୍ଖଳାକୁ ଶତ ପ୍ରତିଶତ ଗୁରୁତ୍ୱ ଦିଆଯାଇଛି ।
ଟିମ୍ ଇଣ୍ଡିଆ ଟି-୨୦ରେ ଏକ ନମ୍ବର ସ୍ଥାନ ବଜାୟ ରଖିଛି । ଦ୍ୱିତୀୟ ସ୍ଥାନରେ ଥିବା ଇଂଲଣ୍ଡର ଅଗ୍ରଣୀ ପାଞ୍ଚ ରେଟିଂ ପଏଣ୍ଟରେ ପହଞ୍ଚିଛି । ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ଟିମ୍ ନୁ୍ୟଜିଲାଣ୍ଡକୁ ପଛରେ ପକାଇଛନ୍ତି, ଯିଏକି ଏବେ ଷଷ୍ଠ ସ୍ଥାନରେ ରହିଛି । ସେହିପରି ବାଂଲାଦେଶ ଓ ଶ୍ରୀଲଙ୍କା ୧୦ମ ସ୍ଥାନରେ ଥିବା ଆଫଗାନିସ୍ତାନକୁ ଅତିକ୍ରମ କରିଛନ୍ତି ।
ଦିନିକିଆ ମାନ୍ୟତାରେ ନୁ୍ୟଜିଲାଣ୍ଡ ଶୀର୍ଷରେ ରହିଛି, କିନ୍ତୁ ଦ୍ୱିତୀୟ ସ୍ଥାନରେ ଥିବା ଇଂଲଣ୍ଡର ଅଗ୍ରଣୀ ୩ ପରିବର୍ତ୍ତେ ୧ରେ ପହଞ୍ଚିଛି । ଇଂଲଣ୍ଡ ଓ ତିନି ନମ୍ବରରେ ଥିବା ଅଷ୍ଟ୍ରେଲିଆ ମଧ୍ୟରେ ପଏଣ୍ଟ ବ୍ୟବଧାନ ୭ରୁ ୧୭କୁ ଚାଲି ଆସିଛି । ଭାରତ (୧୦୫ ପଏଣ୍ଟ) ଦିନିକିଆ ମାନ୍ୟତାରେ ଅଷ୍ଟ୍ରେଲିଆ (୧୦୭) ଠାରୁ ୨ ପଏଣ୍ଟ ପଛରେ ଚତୁର୍ଥ ସ୍ଥାନରେ ରହିଛି ।