ଚେନ୍ନାଇର ସପ୍ତମ ପରାଜୟ
ପୁନେ, ୪ା୫ (ଏଜେନ୍ସି): ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର ବୁଧବାର ଚଳିତ ଆଇପିଏଲ୍ର ୪୯ତମ ମ୍ୟାଚ୍ରେ ଚେନ୍ନାଇ ସୁପର୍ କିଙ୍ଗ୍ସକୁ ୧୩ ରନ୍ରେ ପରାସ୍ତ କରିଛି । ବାଙ୍ଗାଲୋରର ଏହା ୧୧ ମ୍ୟାଚ୍ରୁ ଷଷ୍ଠ ବିଜୟ । ଅନ୍ୟପଟେ, ଚେନ୍ନାଇର ଏହା ୧୦ ମ୍ୟାଚ୍ରୁ ସପ୍ତମ ପରାଜୟ ।
୧୭୪ ରନ୍ର ବିଜୟଲକ୍ଷ୍ୟ ନେଇ ଖେଳିଥିବା ଚେନ୍ନାଇ ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୮ ୱିକେଟ୍ ହରାଇ ୧୬୦ ରନ୍ କରିବାକୁ ସମର୍ଥ ହୋଇଥିଲା । ଟିମ୍ ପକ୍ଷରୁ ଡେଭନ୍ କନୱେ ସର୍ବାଧିକ ୫୬ ରନ୍ କରିଥିଲେ । ବିପକ୍ଷ ବୋଲର୍ ହର୍ଷଲ ପଟେଲ୍ ୩ଟି ଓ ଗ୍ଲେନ୍ ମ୍ୟାକ୍ସୱେଲ୍ ୨ଟି ୱିକେଟ୍ ନେଇଥିଲେ ।
ଟିମ୍ ପକ୍ଷରୁ ଋତୁରାଜ ଗାଏକୱାଡ଼ ଓ ଡେଭନ୍ କନୱେ ଓପନିଂ ୱିକେଟ୍ ପାଇଁ ୫୪ ରନ୍ ଯୋଗ କରିଥିଲେ । ଋତୁରାଜ ୨୮ ରନ୍ କରି ଶାହବାଜ ଅହମଦଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ପରବର୍ତ୍ତୀ ବ୍ୟାଟର୍ ରବିନ ଉଥପ୍ପା ୧ ରନ୍ କରି ଗ୍ଲେନ୍ ମ୍ୟାକ୍ସୱେଲ୍ଙ୍କ ଶିକାର ହୋଇଥିଲେ । ଏହାପରେ ଅମ୍ବାତି ରାୟୁଡ଼ୁ ମାତ୍ର ୧୦ ରନ୍ କରି ଆଉଟ୍ ହୋଇଥିଲେ । ତାଙ୍କ ୱିକେଟ୍ ମ୍ୟାକ୍ସୱେଲ୍ଙ୍କ ଖାତାକୁ ଯାଇଥିଲା ।
ଏଥି ପୂର୍ବରୁ ଚେନ୍ନାଇର ଅଧିନାୟକ ମହେନ୍ଦ୍ର ସିଂ ଧୋନି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଟିମ୍ର ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ ହୋଇଥିଲା । ମିଚେଲ୍ ସାଣ୍ଟନର୍ଙ୍କ ସ୍ଥାନରେ ମୋଇନ୍ ଅଲୀ ପ୍ରତ୍ୟାବର୍ତ୍ତନ କରିଥିଲେ । ଅନ୍ୟପଟେ, ବାଙ୍ଗାଲୋର ଟିମ୍ ଅପରିବର୍ତ୍ତିତ ରହିଥିଲା ।
ପ୍ରଥମେ ବ୍ୟାଟିଂ କରିଥିବା ବାଙ୍ଗାଲୋର ଟିମ୍ ଦୃଢ଼ତାର ସହ ଖେଳ ଆରମ୍ଭ କରିଥିଲା । ବିରାଟ କୋହଲି ଓ ଫାଫ୍ ଡୁ’ ପ୍ଲେସିସ୍ ଓପନିଂ ୱିକେଟ୍ ଯୋଡ଼ିରେ ୬୨ (୪୪ ବଲ୍ରୁ) ରନ୍ ଯୋଗ କରିଥିଲେ । ଫାଫ୍ (୨୨ ବଲ୍ରୁ ୩୮ ରନ୍)ଙ୍କୁ ଆଉଟ୍ କରି ମୋଇନ୍ ଅଲୀ ଏହି ଯୋଡ଼ି ଭାଙ୍ଗିଥିଲେ । ପରବର୍ତ୍ତୀ ବ୍ୟାଟର୍ ଗ୍ଲେନ୍ ମ୍ୟାକ୍ସୱେଲ୍ ମାତ୍ର ୩ ରନ୍ କରି ଦୁର୍ଭାଗ୍ୟଜନକ ଭାବେ ରନ୍ଆଉଟ୍ ହୋଇଯାଇଥିଲେ । ବିରାଟ ମଧ୍ୟ ବଡ଼ ଇନିଂସ୍ ଖେଳି ପାରି ନ ଥିଲେ ଏବଂ ବ୍ୟକ୍ତିଗତ ୩୦ ରନ୍ରେ ମୋଇନ୍ଙ୍କ ଦ୍ୱିତୀୟ ଶିକାର ହୋଇଥିଲେ । ୭୯ ରନ୍ରେ ୩ ୱିକେଟ୍ ପଡ଼ିଥିଲା ।
ଏହାପରେ ମହିପାଲ୍ ଲୋମରୋର ଓ ରଜତ ପଟିଦାର ଇନିଂସ୍ ସମ୍ଭାଳିଥିଲେ । ଉଭୟଙ୍କ ମଧ୍ୟରେ ଚତୁର୍ଥ ୱିକେଟ୍ ପାଇଁ ୪୪ ରନ୍ର ଭାଗୀଦାରୀ ହୋଇଥିଲା । ରଜତ ୨୧ ରନ୍ କରି ଡ୍ୱେନ୍ ପ୍ରିଟୋରିଅସ୍ଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଏହାପରେ ମହିପାଲ ଓ ଦିନେଶ କାର୍ତ୍ତିକ ଇନିଂସ୍କୁ କିଛି ବାଟ ଆଗେଇ ନେଇଥିଲେ । ମହିପାଲ ସର୍ବାଧିକ ୪୨ (୨୭ ବଲ୍ରୁ) ରନ୍ କରି ମହୀଶ ତୀକ୍ଷଣା ବଲ୍ରେ ଆଉଟ୍ ହୋଇଥିଲେ । ଏହାପରେ ୱାନିନ୍ଦୁ ହସରଙ୍ଗା ଡି’ ସିଲ୍ଭା (୦) ଓ ଶାହବାଜ ଅହମଦ (୧)ଙ୍କୁ ବି ତୀକ୍ଷଣା ପାଭିଲିଅନ୍ ପଠାଇଥିଲେ । ହର୍ଷଲ ପଟେଲ୍ ଖାତା ଖୋଲି ନ ପାରି ରନ୍ଆଉଟ୍ ହୋଇଯାଇଥିଲେ ।
ବାଙ୍ଗାଲୋର ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୮ ୱିକେଟ୍ ହରାଇ ୧୭୩ ରନ୍ ସଂଗ୍ରହ କରିଥିଲା । କାର୍ତ୍ତିକ ୨୬ ଓ ମହମ୍ମଦ ସିରାଜ କୌଣସି ସ୍କୋର୍ ନ କରି ଅପରାଜିତ ଥିଲେ । ବିପକ୍ଷ ବୋଲର୍ ତୀକ୍ଷଣା ୨୭ ରନ୍ ଦେଇ ୩ ୱିକେଟ୍ ନେଇଥିବା ବେଳେ ମୋଇନ ୨ଟି ଓ ପ୍ରିଟୋରିଅସ୍ ଗୋଟିଏ ୱିକେଟ୍ ନେଇଥିଲେ ।