ରାତିସାରା ବିଜୁଳି କାଟ୍: ଲୋକେ ଛଟପଟ

ଭୁବନେଶ୍ୱର (ତଥ୍ୟ): ରାଜଧାନୀ ସମେତ ଉପକୂଳ ଓଡିଶାରେ ଗତକାଲି ପ୍ରଥମ କାଳବୈଶାଖୀ ବର୍ଷା ହୋଇଥିବା ବେଳେ ଏଥିଯୋଗୁଁ ବାରମ୍ବାର ବିଦୁ୍ୟତ୍‌ ବିଭ୍ରାଟରେ ଲୋକେ ନୟାନ୍ତ ହୋଇଛନ୍ତି । ସହରାଞ୍ଚଳରେ ପରୀକ୍ଷାର୍ଥୀ, ରୋଗୀ ଓ ଅନ୍ୟମାନେ ଘଣ୍ଟା ଘଣ୍ଟା ଧରି ଅନ୍ଧାରରେ ରହିଥିବା ବେଳେ ଗାଁ ଗହଳିରେ ବର୍ଷା ଆରମ୍ଭରୁ ବିଜୁଳି ଉଭାନ ହୋଇଯାଇଛି ।
ସାମାନ୍ୟ ବର୍ଷା ଓ ଦଲକାଏ ପବନରେ ସହରଠାରୁ ଗାଁ ପର୍ଯ୍ୟନ୍ତ ବିଜୁଳିର ଏଭଳି ଲୁଚାକାଳି ଖେଳକୁ ଦେଖି ଲୋକେ ଛାନିଆ ହୋଇଛନ୍ତି । ଯଦି ଆସନ୍ତା ୮/୯ ତାରିଖ ବେଳକୁ ଓଡିଶାରେ ବାତ୍ୟା ହେବ ତେବେ ବିଜୁଳି ଅବସ୍ଥା କ’ଣ ହେବ ସେହି ଚିନ୍ତା ଲୋକଙ୍କୁ ଘାରିଛି । ଫଳରେ ଲୋକେ କିରୋସିନି, ମହମବତୀ, ବ୍ୟାଟେରୀ ଆଦି କିଣିବା ଆରମ୍ଭ କରିଛନ୍ତି । ମଙ୍ଗଳବାର ସଂଧ୍ୟାରେ ରାଜଧାନୀ ସମେତ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, କଟକ, ଜଗତ୍‌ସିଂହପୁର, ପୁରୀ ଆଦି ଜିଲ୍ଲାରେ କାଳବୈଶାଖୀ ବର୍ଷା ସାଙ୍ଗକୁ ସାମାନ୍ୟ ପବନ ବହିବାରୁ ସବୁଠି ବିଦୁ୍ୟତ୍‌ ସରବରାହ ବିଚ୍ଛିନ୍ନ ହୋଇଥିଲା ।
ରାଜଧାନୀର ଲୋକସେବା ଭବନ, ରାଜଭବନ, କ୍ୟାପିଟାଲ ହସ୍ପିଟାଲ ଆଦି ଭିଭିଆଇପି ସ୍ଥାନରେ ଦୀର୍ଘ ସମୟ ଧରି ବିଦୁ୍ୟତ୍‌ ସରବରାହ ବନ୍ଦ ରହିଥିଲା । ଘଣ୍ଟା ଘଣ୍ଟା ଧରି ବିଜୁଳି ଯିବାରୁ ସମସ୍ତେ ହଇରାଣ ହରକତ ହୋଇଥିଲେ । ରାସ୍ତାଘାଟ ଅନ୍ଧାର ହୋଇଯିବାରୁ ଲୋକେ ଘର ବାହାରକୁ ବାହାରି ନ ଥିଲେ । ତେବେ ଗାଁରେ ବିଦୁ୍ୟତ୍‌ କାଟ ଯୋଗୁଁ ଲୋକେ ନାହିଁନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି । ବର୍ଷା ଆରମ୍ଭ ମାତ୍ରେ ଜଗତ୍‌ସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜୁଳି କାଟ୍‌ ହୋଇଥିଲା । ବର୍ଷା ଛାଡିବାପରେ ଲୋକେ ଭାବିଥିଲେ ବିଜୁଳି ଆସିବ । ହେଲେ ଅଧିକାଂଶ ସ୍ଥାନରେ ରାତିସାରା ଅନ୍ଧାର ରହିଥିଲା । କାଳବୈଶାଖୀ ପ୍ରଭାବରେ ବିଜୁଳି ଉଭାନ ହେବାପରେ ଲୋକେ ଏବେ ଆତଙ୍କିତ । ପୂର୍ବରୁ ମଇ ମାସରେ ଆସିଥିବା ଫନି, ଅମ୍ଫାନ ସମୟରେ ବିଦୁ୍ୟତ୍‌ ବିଚ୍ଛିନ୍ନ ଦୁର୍ଦ୍ଦଶାକୁ ଲୋକେ ଏବେ ବି ଭୁଲିପାରି ନାହାନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *