ଚାଷୀଭାଇଙ୍କ ପାଇଁ ଚାଷ ଶୁଭ ଅନୁକୂଳ ହେଉ: ଦାସବର୍ମା
ପୁରୀ (ବୁ୍ୟରୋ): ପୁରୀ ଜିଲ୍ଲାର ବ୍ରହ୍ମଗିରି ବ୍ଲକ୍ ଅନ୍ତର୍ଗତ ବ୍ରାହ୍ମଣିଆ ପଞ୍ଚାୟତର ବ୍ରାହ୍ମଣିଆଠାରେ ବ୍ଲକ୍ସ୍ତରୀୟ ଅଖିମୁଠି ଅନୁକୂଳ ଉତ୍ସବ ପାଳିତ ହୋଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଯୋଗଦେଇ କହିଥିଲେ ଯେ, ଓଡ଼ିଶାର କୃଷିଭିତ୍ତିକ ପର୍ବ ପବିତ୍ର ଅକ୍ଷୟ ତୃତୀୟା । ଏହି ଦିବସ ଉପଲକ୍ଷେ ବ୍ରହ୍ମଗିରି ସମେତ ଓଡ଼ିଶାର ସମସ୍ତ ଚାଷୀଭାଇଙ୍କ ପାଇଁ ଚଳିତବର୍ଷ ଚାଷ କାର୍ଯ୍ୟ ଶୁଭ ଅନୁକୂଳ ହେଉ ଏହା ହିଁ ମୋର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା । ବିଗତ ଦିନରେ ସମସ୍ତ ଚାଷୀକୂଳ ବାତ୍ୟା, ବନ୍ୟା ଭଳି ପରିସ୍ଥିତିରେ ଅତିକ୍ରମ କରି ଭାଙ୍ଗି ପଡ଼ିନାହାନ୍ତି । ଏପରିକି ମହାମାରୀ କରୋନା ସମୟରେ ମଧ୍ୟ ସଂଗ୍ରାମ ଜାରି ରଖିଛନ୍ତି । ତେଣୁ ଚଳିତ ବର୍ଷ ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର ସମସ୍ତ ଚାଷୀଭାଇଙ୍କ ପାଇଁ ଶୁଭ ସମୟ ହେଉ ।
ସେହିପରି ରାୟବିଧାରଠାରେ ଆୟୋଜିତ ନିଖିଳ ଓଡ଼ିଶା କୃଷକ ସଙ୍ଘ ତରଫରୁ ଅଖିମୁଠି ଅନୁକୂଳ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏଥିରେ ବ୍ଲକ୍ର ଶ୍ରେଷ୍ଠ ଚାଷୀ ଭାବେ ବେଙ୍ଗମା ଗ୍ରାମର ତି୍ରନାଥ ସାହୁଙ୍କୁ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ଦାସବର୍ମା ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ବ୍ଲକ୍ ଅଧ୍ୟକ୍ଷା ରତ୍ନମାଳ ବେହେରା, ଉପାଧ୍ୟକ୍ଷ ମାଳିନୀ ଦଳେଇ, ଜିଲ୍ଲାପରିଷଦ ସଭ୍ୟ ଜମ୍ବେଶ୍ୱର ସାହୁ ଓ ବ୍ରହ୍ମଗିରି ବ୍ଲକ୍ ବିଜେଡି ସଭାପତି ବିଦ୍ୱାଧର ସ୍ୱାଇଁଙ୍କ ସମେତ ସମସ୍ତ ନବନିର୍ବାଚିତ ସରପଞ୍ଚ, ସମିତିସଭ୍ୟ ଉପସ୍ଥିତ ଥିଲେ । ତତ୍ସହିତ ଶତାଧିକ ଚାଷୀ ଉପସ୍ଥିତ ଥିଲେ ।