ନିମ୍ନମାନର କାମକରି ଲକ୍ଷ ଲକ୍ଷ ଟଙ୍କା ଚଳୁ
ବାରିପଦା (ଆପ୍ର): ସହରର ଉନ୍ନତୀକରଣ ସହିତ ଗମନାଗମନର ସୁବ୍ୟବସ୍ଥା ପାଇଁ ସରକାରଙ୍କ ରାଜକୋଷରୁ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି । ତେବେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଓ ଠିକାଦାରଙ୍କ ଦୁର୍ନୀତି ଯୋଗୁ ଏହି ଟଙ୍କାର ସଠିକ୍ ବ୍ୟବହାର ହୋଇପାରୁନାହିଁ । ଯାହାଫଳରେ ବହୁ ସ୍ଥାନରେ ରାସ୍ତା ନିର୍ମାଣ କାମରେ ବ୍ୟାପକ ଦୁର୍ନୀତି ହେଉଥିବା ଦେଖାଯାଇଛି ।
ରାସ୍ତା ନିର୍ମାଣରେ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି ବାରିପଦାସ୍ଥିତ ଭୁଗୁଡ଼ାକଟା ୱାର୍ଡ ନଂ ୨୬ ଅଞ୍ଚଳର ବାସିନ୍ଦା । ସେମାନଙ୍କ ଅଭିଯୋଗ ଅନୁଯାୟୀ, ରାସ୍ତା କାମ ପାଇଁ ୯ ଲକ୍ଷ ୯୭ ହଜାର ଟଙ୍କା ଏସ୍ଏଚ୍ଜି ଗ୍ରୁପ୍ ନାମରେ ଆସିଥିଲା । ନିମ୍ନମାନର ରାସ୍ତା କାମ କରି ଠିକାଦାର ଲକ୍ଷ ଲକ୍ଷ ଟଙ୍କା ହରିଲୁଟ୍ କରିଥିବା ଅଭିଯୋଗ କରିଛନ୍ତି । ଅଞ୍ଚଳବାସୀ ରାସ୍ତା କାମ ବନ୍ଦ କରିବା ସହିତ ଯନ୍ତ୍ରୀଙ୍କୁ କାର୍ଯ୍ୟ ତଦାରଖ ପାଇଁ ଡକାଇ ଥିଲେ । ଯନ୍ତ୍ରୀଙ୍କ ସମ୍ମୁଖରେ ରାସ୍ତା ନିର୍ମାଣ ହୋଇଥିବା ଗୋଟିଏ ଗୋଟିଏ କାର୍ଯ୍ୟର ପର୍ଦ୍ଦାଫାସ କଲେ । କିନ୍ତୁ ପରିତାପର ବିଷୟ ସବୁ ଦେଖିଲା ପରେ ବି ଯନ୍ତ୍ରୀ ଏହା ଆଇନ ଅନୁଯାୟୀ ହୋଇଛି ବୋଲି କହିଥିଲେ । ଏପରି ପ୍ରତିକ୍ରିୟା ଶୁଣି ଉପସ୍ଥିତ ଜନତା ଉତ୍ତ୍ୟକ୍ତ ହୋଇ ଯନ୍ତ୍ରୀଙ୍କ ସହ ଯୁକ୍ତିତର୍କ କରିଥିଲେ । ରାସ୍ତା ଉପରେ ପ୍ରଥମେ ବାଲି ପଡ଼େ । ପରେ କଂକ୍ରିଟ୍ ଢଳେଇ ହୋଇ ସିମେଣ୍ଟ ପ୍ଲେଟ୍ ପଡ଼େ । କିନ୍ତୁ ସିମେଣ୍ଟ କଂକ୍ରିଟ୍ ଢଳେଇ ନ ପକାଇ ସିଧା ବାଲି ଉପରେ ସିମେଣ୍ଟ ପ୍ଲେଟ୍ ବସାଇଥିଲେ । ତା’ ସହିତ ରାସ୍ତାର ଦୁଇ ପାଶ୍ୱର୍ରେ ଗାଡୱାଲ୍କୁ ସିଧାସଳଖ ମାଟି ଉପରେ ଥୋଇ ଦେଇଥିବା ଦେଖିବାକୁ ମିଳିଥିଲା । ଏପରିକି କାର୍ଯ୍ୟର ଅବଧି ଶେଷ ପର୍ଯ୍ୟାୟରେ ଥିବା ସତ୍ତ୍ୱେ ଫଳକରେ କାର୍ଯ୍ୟସୂଚି ନ ଦର୍ଶାଇ ଆଇନକୁ ଅବମାନନା କରୁଛନ୍ତି ସରକାରୀ ଯନ୍ତ୍ରୀ । ଘଟଣାକୁ ଚାପିଦେବାକୁ ବିଭିନ୍ନ ଦିଗରୁ ପ୍ରୟାସ କରାଯାଉଥିବା ବେଳେ ଜଣେ ମହିଳାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଥାନାରେ ଅଭିଯୋଗ ହୋଇଛି । ଏ ବିଷୟରେ ବାରିପଦା ପୌରାଧ୍ୟକ୍ଷଙ୍କୁ ଯୋଗାଯୋଗା କରିବାରୁ,ଏହି କାର୍ଯ୍ୟକୁ ସେ ନିଜେ ତଦାରଖ କରିବେ ବୋଲି କହିଥିଲେ ।