ମୁଖ୍ୟ ଷଡ଼ଯନ୍ତ୍ରକାରୀ ସହ ୯ ଗିରଫ

ପାଳଝାଡ଼ି ଡବଲ ମର୍ଡର ଘଟଣା
ବ୍ରହ୍ମପୁର (ବୁ୍ୟରୋ): ବହୁ ଚର୍ଚ୍ଚିତ ଦିଗପହଣ୍ଡି ଥାନା ପାଳଝାଡ଼ି ଗ୍ରାମର ୨ ବିଜେଡି ନେତାଙ୍କୁ ହତ୍ୟା ଘଟଣାରେ ପୁଲିସ୍କୁ ମିଳିଛି ବଡ ସଫଳତା । ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ ସହ ୯ ଜଣଙ୍କୁ ପୁଲିସ୍ ଗିରଫ କରିଥିବା ବ୍ରହ୍ମପୁର ପୁଲିସ୍ ମୁଖ୍ୟାଳୟରେ ଏସ୍ପି ପିନାକ୍ ମିଶ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ସୂଚନା ପ୍ରକାରେ, ଗତ ଏପ୍ରିଲ୍ ୨୩ତାରିଖରେ ଦିଗପହଣ୍ଡି ଥାନା ଅନ୍ତର୍ଗତ ଚଷାନିମଖଣ୍ଡିପେଣ୍ଠ ପଞ୍ଚାୟତ ପାଳଝାଡି ଗ୍ରାମର ୨ ବିଜେଡି ନେତା ତଥା ଗ୍ରାମ୍ୟ କମିଟିର ସଭାପତି ତଥା ଉପଦେଷ୍ଟା ସୁଦର୍ଶନ ସୁଆର ଓ ସୁଧିର ପାତ୍ରଙ୍କୁ ଭୋଜିରୁ ଫେରୁଥିବା ବେଳେ ଚଷାନିମଖଣ୍ଡିପେଣ୍ଠ ଓ ପାଳଝାଡି ଗ୍ରାମ ମଧ୍ୟସ୍ଥଳରେ ଥିବା ଏକ ପାହାଡ଼ ନିକଟରେ ସଦର ଥାନା ଅନ୍ତର୍ଗତ କୁକୁଡାଖଣ୍ଡି ଗ୍ରାମର ବୁଡୁ ଦାସ(୩୦), ଚମାଖଣ୍ଡି ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମର ବି.ଦେବରାଜ ରେଡ୍ଡି(୨୭) ଓ ସଦର ଥାନା ଅନ୍ତର୍ଗତ ଲାଠି ଗ୍ରାମର କୁନା ଗୌଡ(୨୫) ମାରଣାସ୍ତ୍ରରେ ଓ ପଥରରେ ଛେଚି ହତ୍ୟାକରି ଫେରାର ହୋଇଯାଇଥିଲେ । ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ ପାଳଝାଡି ଗ୍ରାମର ପ୍ରଶାନ୍ତ ଗୌଡ ଉପରୋକ୍ତ ୩ ହତ୍ୟାକାରୀଙ୍କୁ ୫୦ ହଜାର ଟଙ୍କା ସୁପାରି ଦେଇଥିଲେ । ସୂଚନାଥାଉକି, ଗତ ପଞ୍ଚାୟତ ନିର୍ବାଚନରେ ଚଷାନିମଖଣ୍ଡି ପଞ୍ଚାୟତରୁ ପ୍ରଶାନ୍ତଙ୍କ ସ୍ତ୍ରୀ ସରପଞ୍ଚ ଭାବେ ନିର୍ବାଚନ ଲଢ଼ିଥିଲେ । ତାଙ୍କର ଅପରଗୋଷ୍ଠୀର ପ୍ରାର୍ଥୀକୁ ଉପରୋକ୍ତ ୨ ବିଜେଡି ନେତା ସୁଧିର ଓ ସୁଦର୍ଶନ ସହଯୋଗ କରିଥିଲେ । ୪ ଭୋଟ ବ୍ୟବଧାନରେ ପ୍ରଶାନ୍ତଙ୍କ ସ୍ତ୍ରୀ ପରାଜୟବରଣ କରିଥିଲେ । ପରାଜୟ ପରେ ପ୍ରତିଶୋଧ ପରାୟଣ ହୋଇ ସୁଧିର ଓ ସୁଦର୍ଶନଙ୍କୁ ହତ୍ୟା କରିବା ପାଇଁ ଯୋଜନାକରି ଉପରକ୍ତ ୩ଜଣ ହତ୍ୟାକାରୀଙ୍କୁ ସୁପାରି ଦେଇଥିଲେ । ହତ୍ୟାକାଣ୍ଡରେ ସହଯୋଗ କରିଥିବା ପାଳଝାଡି ଗ୍ରାମର ବସନ୍ତ କୁମାର ଗୌଡ, କୃଷ୍ଣଚନ୍ଦ୍ର ଗୌଡ ଓ କେ.ନୂଆଗାଁ ଥାନା ଅନ୍ତର୍ଗତ ଗଡସାମନ୍ତରାପୁର ଗ୍ରାମର ସିଦ୍ଧାନ୍ତ ଗୌଡ ଯେଉଁମାନେ ସୁଧିର ଓ ସୁଦର୍ଶନ ଭୋଜି ଖାଇ ଗାଁକୁ ଫେରିବା ବେଳେ ତାଙ୍କର ପିଛାକରି ହତ୍ୟାକାରୀଙ୍କୁ ଖବର ଦେଇଥିଲେ, ସେମାନଙ୍କୁ ମଧ୍ୟ ପୁଲିସ୍ ଗିରଫ କରିଛି । ୩ଜଣଙ୍କୁ ସହଯୋଗ ଓ ଆର୍ଥିକ ଦେଣନେଣ କରିଥିବା ପାଟପୁର ଥାନା ଅନ୍ତର୍ଗତ ବି.ଆଦିକନ୍ଦପୁର ଗ୍ରାମର ସନ୍ତୋଷ କୁମାର ପ୍ରଧାନଙ୍କୁ ମଧ୍ୟ ପୁଲିସ୍ ଗିରଫ କରିଥିବା ଏସ୍ପି ସୂଚନା ଦେଇଛନ୍ତି ।
ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କ ମୁଖ୍ୟ ସହଯୋଗୀ ଚମାଖଣ୍ଡି ଥାନା ଅନ୍ତର୍ଗତ ତୋଟାପଲ୍ଲୀ ଗ୍ରାମର ସୁମନ୍ତ କୁମାର ନାହକକୁ ମଧ୍ୟ ପୁଲିସ୍ ଗିରଫ କରିଛି । ପ୍ରଶାନ୍ତକୁ ହତ୍ୟାକାଣ୍ଡ ଘଟଣାର ସବିଶେଷ ତଥ୍ୟ ଦେବାସହ ହତ୍ୟାକାଣ୍ଡରେ ଖର୍ଚ୍ଚ ହୋଇଥିବା ସମସ୍ତ ଟଙ୍କା ଓ ହତ୍ୟାପରେ ପ୍ରଶାନ୍ତ ଓ ହତ୍ୟାକାରୀଙ୍କୁ ଫେରାର କରାଇବାରେ ସୁମନ୍ତ ସହଯୋଗ କରିଥିଲା । ସୁମନ୍ତ ଓ ପ୍ରଶାନ୍ତ ମିଶି ଗତ କିଛିବର୍ଷ ହେବ ଗଞ୍ଜେଇ ବ୍ୟବସାୟକରି କୋଟି କୋଟି ଟଙ୍କା ଉପାର୍ଜନ କରିଥିଲେ । ଗଜପତି ଜିଲ୍ଲାରୁ ବେଆଇନ୍ ଭାବେ ଗଞ୍ଜେଇ ଆଣି ବାହାର ରାଜ୍ୟକୁ ଚାଲାଣ କରୁଥିଲେ । ପ୍ରଶାନ୍ତ ଦିଗପହଣ୍ଡି ଥାନା ଅନ୍ତର୍ଗତ ଭୀଷ୍ମଗିରି ଅଞ୍ଚଳରେ ଏକ ଅଦ୍ଧନିର୍ମିତ ଘରେ ଲୁଚି ରହିଥିବା ଖବରପାଇ ପୁଲିସ୍ ପ୍ରଶାନ୍ତ ଓ ସୁମନ୍ତକୁ ଧରିବା ବେଳେ ସେଠାରୁ ୨୦୨କେଜି ୪୦୦ଗ୍ରାମ ଗଞ୍ଜେଇ ସହ ମାରୁତି ସୁଜିକ୍ ଅଲଟୋ, ଟ୍ରାକ୍ଟର, ବୁଲେଟ୍ ସହ ୧୧୨ଟି ଶାଗୁଆନ କାଠର ପଟ୍ଟା ଜବତ କରିଥିଲା । ବେଆଇନ୍ ଗଞ୍ଜେଇ କାରବାର ଅଭିଯୋଗରେ ପୁଲିସ୍ ଉଭୟ ପ୍ରଶାନ୍ତ ଓ ସୁମନ୍ତ ବିରୋଧରେ ଏକ ମାମଲା ରୁଜୁକରିଛି । ଏପରିକି ପ୍ରଶାନ୍ତଙ୍କ ସମ୍ପତିର ତାଲିକା ପ୍ରସ୍ତୁତକରି ସେଗୁଡିକୁ କିପରି ବାଜ୍ୟାପ୍ତ କରାଯିବ ସେନେଇ ମଧ୍ୟ ପୁଲିସ୍ର ଏକ ଟିମ୍ କାର୍ଯ୍ୟ ଆରମ୍ଭ କରିବ ବୋଲି ଏସ୍ପି ସୂଚନା ଦେଇଛନ୍ତି । ଅଭିଯୁକ୍ତଙ୍କଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ ଲୁହା ରଡ୍, ସିମେଣ୍ଟ ଖଣ୍ଡ, ପଥର, ଜାଇଲୋ କାର୍, ମୋଟର ସାଇକେଲ୍ ଓ ସ୍କୁଟି ଜବତ କରାଯାଇଛି । ହତ୍ୟାକାଣ୍ଡରେ ସମ୍ପୃକ୍ତ ବୁଡୁ ଦାସ ନାମରେ ବ୍ରହ୍ମପୁର ସଦର ଥାନାରେ ୫, ହିଞ୍ଜିଳି ଥାନାରେ ଗୋଟିଏ କେଶ୍ ରହିଥିବା ବେଳେ କୁନା ଗୌଡ ନାମରେ ସଦର ଥାନାରେ ୮, ଗୋଳନ୍ଥରା ୧, ଗୋଷାଣୀ ନୂଆଗାଁ ୧ ଓ କେ.ନୂଆଗାଁ ଥାନାରେ ଗୋଟିଏ ମାମଲା ଏପରି ୧୧ଟି ଅପରାଧିକ ମାମଲା ରହିଥିବା ଏସ୍ପି ସୂଚନା ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *