ବାୟୁରେ ବ୍ୟାପୁଛି କରୋନା

ନୂଆଦିଲ୍ଲୀ (ଏଜେନ୍ସି): କରୋନା ଭୂତାଣୁଜନିତ ଦ୍ରୁତ ସଂକ୍ରମଣ ପଛର ପ୍ରକୃତ କାରଣ ଆଜି ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଆସିଥିବା ବେଳେ ସମ୍ପ୍ରତି ଏସମ୍ପର୍କରେ ଗବଷଣାତ୍ମକ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ଗବେଷଣା ରିପୋର୍ଟ ଅନୁସାରେ କରୋନା ଭୂତାଣୁ ବାୟୁ ମାଧ୍ୟମରେ ମଧ୍ୟ ସମ୍ପ୍ରସାରିତ ହେଉଥିବାର ପ୍ରମାଣ ମିଳିଛି । ଦେଶର ପ୍ରମୁଖ ମହାମାରୀବିଜ୍ଞାନୀ (ଭାଇରୋଲୋଜିଷ୍ଟ)ମାନେ ବାୟୁରେ କରୋନା ଭୂତାଣୁ ବ୍ୟାପୁଥିବାର ପ୍ରମାଣ ପାଇଛନ୍ତି । କରୋନା ସମୟରେ ଯେଉଁ ଦେଶରେ ମାସ୍କ ପରିଧାନକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି ସେସବୁ ରାଷ୍ଟ୍ରରେ ଅନ୍ୟ ଦେଶ ତୁଳନାରେ ଅପେକ୍ଷାକୃତ କରୋନା ସଂକ୍ରମଣ କମ୍ ରହିଥିବା ଜାଣିବାକୁ ମିଳିଛି । ତେବେ ବାୟୁରେ କରୋନା ଅଣୁର ସ୍ଥିତାବସ୍ଥା ସମ୍ପର୍କରେ ସେପରି କୌଣସି ବଳିଷ୍ଠ ପ୍ରମାଣ ନ ମିଳିବା ପାଇଁ ବାୟୁରେ କରୋନା ଭୂତାଣୁ ଅଧିକ ସମୟ ତିଷ୍ଠି ରହିପାରୁନଥିବା (ଆୟୁଷ ସୂକ୍ଷ୍ମ ହୋଇଯାଉଥିବା) ଅନୁମାନ କରାଯାଉଛି । ଏଥିରୁ କରୋନା ସଂକ୍ରମଣ ପାଇଁ ବାୟୁ ପ୍ରବାହ ଯେ ଅନେକାଂଶରେ ଦାୟୀ, ଏହା ସ୍ପଷ୍ଟ ହୋଇଯାଇଛି ।
ସିଏସ୍ଆଇର-ସିସିସିଏମ୍ବି, ହାଇଦ୍ରାବାଦ ଓ ସିଏସ୍ଆଇଆର୍-ଆମ୍ଟେକ୍ ଚଣ୍ଡିଗଡ଼, ହାଇଦ୍ରାବାଦ୍ ଓ ମୋହାଲି ହସ୍ପିଟାଲର ମହାମାରୀ ବିଜ୍ଞାନୀ ମିଳିତ ଭାବେ ଗବେଷଣା କରିଥିଲେ । ଏହି ଗବେଷଣା ରିପୋର୍ଟ “ଏରୋସୋଲ୍ ସାଇନ୍ସ’ ପତ୍ରିକାରେ ମଧ୍ୟ ପ୍ରକାଶ ପାଇଛି । ଏଥିରେ ବାୟୁ ଦ୍ୱାରା କରୋନା ସଂକ୍ରମିତ ହେଉଥିବା ଦର୍ଶାଯାଇଥିବା ବେଳେ ଆଇଟ୍ଡୋର (ବାହାର) ତୁଳନାରେ ଇନ୍ଡୋର (ଚାରି କାନ୍ଥ ମଧ୍ୟରେ) କରୋନା ସଂକ୍ରମଣ ଅଧିକ ରହୁଥିବା ସମ୍ପର୍କରେ ଉଲ୍ଲେଖ କରାଯାଇଛି । ଏସମ୍ପର୍କରେ ପ୍ରମାଣ ପାଇବା ପାଇଁ ବୈଜ୍ଞାନିକମାନେ କୋଭିଡ୍ ରୋଗୀଥିବା ବିଭିନ୍ନ ସ୍ଥାନରୁ ବୈଜ୍ଞାନିକମାନେ ଏୟାର (ବାୟୁ) ସାମ୍ପଲ ଗ୍ରହଣ କରିଥିଲେ । ଏଥିରେ ହସ୍ପିଟାଲ୍, କୋଭିଡ୍ ରୋଗୀ ରହିଥିବା ବନ୍ଦ ରୁମ୍ ଓ ହୋମ୍ କ୍ୱାରାଣ୍ଟାଇନ୍ରେ ଥିବା ଘର ମଧ୍ୟରୁ ବାୟୁକୁ ମଧ୍ୟ ସାମିଲ କରାଯାଇଥିଲା । ତେବେ କୋଭିଡ୍ ରୋଗୀ ରହୁଥିବା ଆଖପାଖ ଅଞ୍ଚଳର ବାୟୁରୁ କରୋନା ଭୂତାଣୁ ଚିହ୍ନଟ କରାଯାଇଥିଲା । ଏସବୁ ସ୍ଥାନରେ ସଂକ୍ରମଣ ବି ବଢ଼ିଥିବା ଦେଖିବାକୁ ମିଳିଥିଲା । ଏପରିକି ହସ୍ପିଟାଲ୍ର ଆଇସିୟୁ ତଥା ଜେନେରାଲ ୱାର୍ଡରୁ ମଧ୍ୟ କିଛି ମାତ୍ରାରେ କରୋନା ଭୂତାଣୁ ଠାବ କରାଯାଇଥିବା ଏହି ପତ୍ରିକାରେ ଦର୍ଶାଯାଇଛି । ଏଥିରୁ କରୋନା ସଂକ୍ରମିତ ରୋଗୀମାନଙ୍କ ଠାରୁ ଭୂତାଣୁ ବାୟୁରେ ପ୍ରବାହିତ ହୋଇଥିବାର ପ୍ରମାଣ ମିଳୁଥିବା ରିପୋର୍ଟ ଦର୍ଶାଇଛି ।
ଏସବୁ ମଧ୍ୟରେ ଆଉ ଏକ ବଡ଼ ରିପୋର୍ଟ ସାମ୍ନାକୁ ଆସିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠ (ହୁ) ପକ୍ଷରୁ ଭାରତରେ କରୋନା ମୃତୁ୍ୟ ସଂଖ୍ୟା ଜାରି କରାଯିବା ନେଇ ଚେତାବନୀ ଦିଆଯିବା ପରେ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ତରବରିଆ ଭାବେ କରୋନା ମୃତୁ୍ୟ ସଂଖ୍ୟା ଜାରି କରାଯାଇଛି । ୨ଠ୨ଠରେ ଭାରତରେ କରୋନାଜନିତ ମୃତୁ୍ୟ ସଂଖ୍ୟା ୧,୪୮,୭୩୮ ରହିଥିବା ରେଜିଷ୍ଟ୍ରାର ଜେନେରାଲ ଅଫ୍ ଇଣ୍ଡିଆ ପକ୍ଷରୁ ଆଜି ପର୍ଯ୍ୟନ୍ତ ଦର୍ଶାଇଆସୁଥିବା ବେଳେ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ କରୋନା ମୃତୁ୍ୟ ସଂଖ୍ୟା ୫,୨୩,୮୮୯ ଭାବେ ଉଲ୍ଲେଖ କରାଯାଇଛି । ଏହି ତଥ୍ୟ ଅନୁସାରେ, ୨ଠ୧୯ ତୁଳନାରେ ୨ଠ୨୧ରେ କରୋନା ମୃତୁ୍ୟ ସଂଖ୍ୟା ୬.୨% ଅଧିକ ରହିଥିବା ଦର୍ଶାଯାଇଛି । ୨ଠ୨୧ରେ କୋଭିଡ୍ ଯୋଗୁଁ ୩.୩୨ ଲକ୍ଷ ଲୋକଙ୍କର ମୃତୁ୍ୟ ହୋଇଥିବା ଦର୍ଶାଯାଇଛି । ପ୍ରକାଶ, ଭାରତ ପକ୍ଷରୁ କରୋନା ମୃତୁ୍ୟ ସମ୍ପର୍କୀତ ତଥ୍ୟକୁ ହୁ’ ସ୍ୱୀକାରଯୋଗ୍ୟ ନୁହେଁ ଦର୍ଶାଇଥିଲା । ବାସ୍ତବରେ ଭାରତରେ ମୋଟ୍ କରୋନା ମୃତୁ୍ୟ ସଂଖ୍ୟା ଭାରତ ସରକାର ଦର୍ଶାଉଥିବା ମୃତୁ୍ୟ ସଂଖ୍ୟା ଠାରୁ ବହୁଗୁଣ ଅଧିକ ବୋଲି ହୁ’ ଆଶଙ୍କା ବ୍ୟକ୍ତ କରିବା ସହ ଏକ ନିର୍ଦ୍ଧାରିତ ପ୍ରଣାଳୀ ଅନ୍ତର୍ଗତ ମୃତୁ୍ୟ ସଂଖ୍ୟା ହିସାବ କରିବାକୁ କହିଥିଲା । ମାତ୍ର ଭାରତ ସରକାର ଏହାକୁ ଗ୍ରହଣ କରିନଥିଲେ । କେତେକ ବିଶେଷଜ୍ଞଙ୍କ ଅନୁସାରେ ଭାରତରେ କରୋନା ମୃତକଙ୍କ ସଂଖ୍ୟା ୪୦ ଲକ୍ଷରୁ ଅଧିକ ହେବ । ସେହିପରି ଅନ୍ୟ ଏକ ରିପୋର୍ଟ ଅନୁସାରେ ଦେଶରେ ଆସନ୍ତା ୧ଠରୁ ୧୫ ଦିନ ମଧ୍ୟରେ କରୋନା ସଂକ୍ରମଣ ଶୀର୍ଷ ଛୁଇଁବ ବୋଲି ଆଶଙ୍କା ବ୍ୟକ୍ତି କରାଯାଇଛି । ଗତ କିଛି ଦିନ ଧରି ରାଜଧାନୀ ଦିଲ୍ଲୀର ଅଧିକାଂଶ ଅଞ୍ଚଳ କରୋନା ହଟସ୍ପଟ୍ ଭାବେ ଚିହ୍ନଟ ହେବା ପରେ ଏପ୍ରକାର ଆଶଙ୍କା ଉପୁଜିଛି । ଦେଶରେ ଚତୁର୍ଥ ଲହର ଆରମ୍ଭ ହୋଇଯାଇଥିବା ଅନୁମାନ କରାଯାଉଛି । ଏସବୁ ମଧ୍ୟରେ ଭାରତରେ କରୋନାର ଏକ୍ସଇ ଭାରିଆଣ୍ଟ ର ପ୍ରଥମ ମାମଲା ଚିହ୍ନଟ ହୋଇଥିବା ସୂଚନା ମିଳିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *