ଭାଙ୍ଗିଲା ଗଛ, ଉଡ଼ାଇ ନେଲା ଛପର

କାଳବୈଶାଖୀ ତାଣ୍ଡବ
ପୁରୀ (ବୁ୍ୟରୋ): ଅଶାନ୍ତ ହେଉଛି ଦକ୍ଷିଣ ଅଣ୍ଡାମାନ ସାଗର । ଦକ୍ଷିଣ ଅଣ୍ଡାମାନ ସାଗର ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ତାହାର ପ୍ରଭାବ ଦେଖିବାକୁ ମିଳିଛି । ଏହାର ପୂର୍ବରୁ ମଙ୍ଗଳବାର ବିଳମ୍ବିତ ରାତିରେ ପୁରୀରେ କାଳବୈଶାଖୀ ତାଣ୍ଡବ ରଚିଛି । ଏପରିକି ସହରରେ ବିଭିନ୍ନ ସ୍ଥାନରେ ଥିବା ଗଛ ଭାଙ୍ଗି ରାସ୍ତା ଅବରୋଧ କରିଛି । ଅନ୍ୟ କେଉଁଠି ଗଛ ଭାଙ୍ଗି ଘର ଉପରେ ପଡ଼ିଛି ।
ଅନ୍ୟପକ୍ଷରେ ଅନେକ ତଳିଆ ଅଞ୍ଚଳରେ ଅସ୍ଥାୟୀ ଘରର ଛପର ଉଡ଼ାଇ ନେଇଛି । ସେହିଭଳି ବଡ଼ଦାଣ୍ଡରେ ଥିବା ଅନେକ ଦୋକାନ ଘରର ଛପର ଉଡ଼ିଯାଇଛି । ତତ୍ସହିତ ଶ୍ରୀମନ୍ଦିରର ସିଂହଦ୍ୱାର ଓ ପଶ୍ଚିମଦ୍ୱାର ନିକଟରେ ନିର୍ମାଣ ହୋଇଥିବା ସେଡ୍କୁ କ୍ଷତିଗ୍ରସ୍ତ କରିଛି । ଏପରିକି ବଡ଼ଦାଣ୍ଡରେ ଥିବା ପୁଲିସ ବାରିକେଡ୍କୁ ମଧ୍ୟ ଠେଲି ନେଇଛି । କାଳବୈଶାଖୀ ଦୀର୍ଘ ସମୟ ତା’ର ପ୍ରଭାବ ବିସ୍ତାର କରିଥିଲା । ପ୍ରବଳ ମାତ୍ରାରେ ଝଡ଼ ପବନ ହେବା ସହ ବିଜୁଳି ଓ ଘଡ଼ଘଡ଼ି ମଧ୍ୟ ମାରିଥିଲା । ଯାହାକୁ ନେଇ ଲୋକଙ୍କ ମନରେ ଆତଙ୍କ ଖେଳି ଯାଇଥିଲା । ଏହାର ପ୍ରଭାବରେ ସହରର ଅନେକ ସ୍ଥାନରେ ବୁଧବାର ସକାଳ ପର୍ଯ୍ୟନ୍ତ ବିଦୁ୍ୟତ୍ ନ ଥିଲା । ଏନେଇ ମିଶ୍ର ସାହିର ରାଜେନ୍ଦ୍ର ସାହୁ କୁହନ୍ତି, ବାତ୍ୟା ଆଗକୁ ଥିବାବେଳେ କାଳବୈଶାଖୀର ଭୟଙ୍କର ରୂପ ବିଳମ୍ବିତ ରାତିରେ ଦେଖିବାକୁ ମିଳିଥିଲା । ଏତେ ମାତ୍ରାରେ ପବନ ହୋଇଥିଲା ଯେ ଘରର ଆଜବେଷ୍ଟ୍ସ ଓ ଟିଣକୁ ଉଡ଼ାଇ ନେଇଥିଲା ।
ସେହିପରି ବିଦୁ୍ୟତ୍ ମଧ୍ୟ କଟି ଯାଇଥିଲା । ଗୋଟିଏ ପଟେ ଭୟଙ୍କର କରାଳ ରାତି, ଅନ୍ୟପଟେ ତୁହାକୁ ତୁହା ପବନ ଭୟଭୀତ କରିଥିଲା । ହେଲେ ଲାଇନ୍ ଆଜି ସକାଳ ପର୍ଯ୍ୟନ୍ତ ମଧ୍ୟ ଆସି ନ ଥିଲା । ଫଳରେ ରାତିସାରା ଅନିଦ୍ରା ରହିବାକୁ ପଡ଼ିଥିଲା । ତା’ଠାରୁ ପୁଣି ବଳି ପଡ଼ିଥିଲା ମଶାଙ୍କ ଉପଦ୍ରବ । ତେବେ ବାତ୍ୟା ପୂର୍ବରୁ ପୁରୀରେ କାଳବୈଶାଖୀର ତାଣ୍ଡବ ଦେଖି ଭୟଭୀତ ହୋଇପଡ଼ିଛନ୍ତି ସହରବାସୀ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *