ଉଚ୍ଛେଦ ହେବ ତଲାକ୍-ଏ-ହସନ୍!
ସୁପ୍ରିମକୋର୍ଟରେ ପିଟସନ୍ ଦାଖଲ
ନୂଆଦିଲ୍ଲୀ(ଏଜେନ୍ସି): ଟ୍ରିପଲ୍ ତଲାକ୍ ଉଚ୍ଛେଦ ହେବା ପରେ ଏବେ ‘ତଲାକ୍-ଏ-ହସନ୍’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ମୋଦି ସରକାର, ଟ୍ରିପଲ୍ ତଲାକ୍ ଉଚ୍ଛେଦ କରିବା ପରେ ମୁସଲିମ୍ ମହିଳାମାନେ ବେଶ୍ ଆଶ୍ୱସ୍ତ ହୋଇପାରିଛନ୍ତି ବୋଲି କୁହାଯାଏ । ତେବେ ମୁସଲିମ୍ ସମ୍ପ୍ରଦାୟରେ ଥିବା ତଲାକ୍-ଏ-ହସନ୍ ପ୍ରକ୍ରିୟାକୁ ମଧ୍ୟ ସବୁଦିନ ପାଇଁ ଉଚ୍ଛେଦ କରିବାକୁ ଏବେ ସ୍ୱର ଉତ୍ତୋଳନ ଆରମ୍ଭ ହୋଇଯାଇଛି ।
ପ୍ରାପ୍ତ ସୂଚନାନୁସାରେ ଗାଜିଆବାଦ ବାସିନ୍ଦା ବେନଜିର ହିନା ନାମ୍ନୀ ଜଣେ ମୁସଲିମ୍ ମହିଳା ଇସଲାମ୍ ଧର୍ମାବଲମ୍ବୀ ସମସ୍ତଙ୍କ ପାଇଁ ଆଇନ୍ ବ୍ୟବସ୍ଥା ଲାଗୁ କରିବାର ଆବଶ୍ୟକତା ଥିବା ଦର୍ଶାଇ ସୁପ୍ରିମ୍କୋର୍ଟରେ ଏକ ପିଟିଶନ ଦାଖଲ କରିଛନ୍ତି । ‘ତଲାକ୍-ଏ-ହସନ୍’ ଏବଂ ଅନ୍ୟ ସମସ୍ତ ପ୍ରକାର ଏକପାଖିଆ ଅତିରିକ୍ତ ନ୍ୟାୟିକ ତଲାକ୍’ ପ୍ରକ୍ରିୟା ଉଚ୍ଛେଦ କରିବାକୁ ଏବଂ ଏସବୁକୁ ଅଣସାମ୍ବିଧାନିକ ଘୋଷଣା କରିବାକୁ ସେ ସୁପ୍ରିମକୋର୍ଟଙ୍କୁ ପିଟିସନ୍ ମାଧ୍ୟମରେ ଗୁହାରି କରିଛନ୍ତି । ସେ ନିଜ ପିଟିସନ୍ରେ ଇସଲାମ୍ ଧର୍ମରେ ତଲାକ୍ ପ୍ରସଙ୍ଗରେ ଏକାଧିକ ପ୍ରକ୍ରିୟା ରହିଥିବା ବେଳେ ଏସବୁ ଅଯୌକ୍ତିକ, ଏକତରଫା (ପୁରୁଷ ପ୍ରାଧାନ୍ୟ) ଏବଂ ମୁସ୍ଲିମ୍ ମହିଳାଙ୍କୁ ମୌଳିକ ଅଧିକାରର ଉଲ୍ଲଂଘନ ବୋଲି ଦର୍ଶାଇଛନ୍ତି । ପିଟିଶନରେ ସମସ୍ତ ସାଧାରଣ ନାଗରିକଙ୍କ ପାଇଁ ସମାନ ତଲାକ୍ ନିଦେ୍ର୍ଦଶନାମା ପ୍ରସ୍ତୁତ କରିବା ଲାଗି କେନ୍ଦ୍ର ସରକାରଙ୍କୁ ନିଦେ୍ର୍ଦଶ ଦେବାକୁ ସେ ଅନୁରୋଧ କରିଛନ୍ତି । ଶରିଆ ଆଇନ୍ ଅଧିନିୟମ ୧୯୩୭ ଅନୁଯାୟୀ ତଲାକ୍-ଏ-ହସନ୍ ଅନୁମତିପ୍ରାପ୍ତ ବୋଲି ସେମାନଙ୍କ ମୌଲବୀ ବୁଝାଇବାକୁ ଚେଷ୍ଟା କରିଆସୁଛନ୍ତି ।
ପ୍ରକାଶ, ଶରିଆ ଆଇନ୍ ଅନୁସାରେ ତଲାକ୍-ଇ-ହସନ୍’ ମୁସଲମାନଙ୍କ କ୍ଷେତ୍ରରେ ଭିନ୍ନ ଏକ ତଲାକ୍ ପ୍ରକ୍ରିୟା । ଏଥିରେ ତିନି ମାସ ଯାଏ (ମାସକୁ ଥରେ ଲେଖାଏ) ଜଣେ ନିଜ ଜୀବନ ସାଥୀକୁ ‘ତଲାକ୍’ ବୋଲି କହିବାକୁ ହୋଇଥାଏ । ତୃତୀୟ ମାସରେ ଯଦି ତୃତୀୟ ଥର ପାଇଁ ତଲାକ୍’ ଉଚ୍ଚାରଣ କରାଯାଏ ତେବେ ଏହାକୁ ଆନୁଷ୍ଠାନିକ ଭାବେ ତଲାକ୍ ଭାବେ ସ୍ୱୀକୃତି ମିଳିଯାଇଥାଏ । ସୁପ୍ରିମକୋର୍ଟ ତଲାକ୍-ଏ-ହାସନ୍ ଏବଂ ଅନ୍ୟାନ୍ୟ ତଲାକ୍ ପ୍ରକ୍ରି୍ରୟାଗୁଡ଼ିକୁ ଅଣସାମ୍ବିଧାନିକ ବୋଲି ଘୋଷଣା କରିବାକୁ ସେ ପିଟିସନ୍ ଦାଖଲ କରିଛନ୍ତି । ବହୁ ଇସଲାମିକ୍ ରାଷ୍ଟ୍ର ତଲାକ୍-ଏ-ହସନ୍ ପ୍ରକ୍ରିୟାକୁ ନିଷିଦ୍ଧ କରିସାରିଥିବା ବେଳେ ଭାରତର ମୁସଲିମ୍ ସମାଜ କିନ୍ତୁ ଆଜି ବି ଏହାକୁ କାର୍ଯ୍ୟକାରୀ କରିଆସୁଛି । ।