ସମସ୍ୟା ସାଜିଛି ଫ୍ଲାଏଓଭର ନିର୍ମାଣ
ରାସ୍ତା ସାରା କାଦୁଅ ପଚ୍ପଚ୍
ଯୋଡ଼ା (ଆପ୍ର): ଅସରାଏ ବର୍ଷା ଯୋଗୁ ରାସ୍ତା କାଦୁଅ ପଚ୍ପଚ୍ । ନା ଯାଇପାରୁଛନ୍ତି ସାଧାରଣ ଲୋକ ନା ଯାଇପାରୁଛନ୍ତି ବିଦ୍ୟାଳୟର ଛାତ୍ରଛାତ୍ରୀ । ଏଭଳି ରାସ୍ତାର ସ୍ଥିତି ଯୋଗୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯୋଡ଼ା ଖଣି ମଣ୍ଡଳ ତଥା ଯୋଡ଼ା ପୌରପାଳିକା ମଧ୍ୟଦେଇ ଯାଇଥିବା ରଣାଶାଳ-ବାଂଶପାଣି ରାଜ୍ୟ ରାଜପଥ ରାସ୍ତା ଏବେ ମରଣଯନ୍ତା ପାଲଟିଛି । ରାସ୍ତାଟି ସ୍ଥାନେ ସ୍ଥାନେ ବଡ଼ ଗର୍ତ୍ତ ସୃଷ୍ଟି ହେବା ସହ ରାସ୍ତା ସାରା କାଦୁଅରେ ଭର୍ତ୍ତି । କାର୍ଯ୍ୟରତ ଠିକାଦାରଙ୍କ ମନଇଚ୍ଛା ଓ ଦାୟିତ୍ୱହୀନତା ଯୋଗୁ ସାଧାରଣ ଲୋକେ ଗମନାଗମନ କ୍ଷେତ୍ରରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ଖଣିଜ ସମ୍ପଦରେ ଭରପୁର କେନ୍ଦୁଝର ଜିଲ୍ଲାର ଯୋଡ଼ା ସହରର ରାସ୍ତାଘାଟ ଏବେ ମରଣଯନ୍ତା ପାଲଟିଛି । ଜାତୀୟ ରାଜପଥ ୫୨୦ନଂ ଜଙ୍କସନ୍ ରାସ୍ତାକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ ନଂ-୨ର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି । ରାସ୍ତାଘାଟର ଦୁରାବସ୍ଥା ଯୋଗୁଁ ଏହି ରାସ୍ତାରେ ଦୁର୍ଘଟଣା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଛି । ବାରମ୍ବାର ଦୁର୍ଘଟଣା ଘଟି ଧନଜୀବନ କ୍ଷୟ ହେଉଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ନ ଦେବାରୁ ସାଧାରଣ ଜନତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।
ଯୋଡ଼ା ସହରଦେଇ ବିଜୁ ପଟ୍ଟନାୟକ ଏକ୍ସପ୍ରେସ୍ -୨ କଡ଼ରେ ନିର୍ମାଣଧୀନ ଫ୍ଲାଏଓଭର କାର୍ଯ୍ୟ ଆରମ୍ଭ ହେବା ଦିନଠାରୁ ଯୋଡ଼ା ସହରବାସୀ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି । ଏହି ଫ୍ଲାଏଓଭର ନିର୍ମାଣରେ ୧୧୧ଟି ଖୁଣ୍ଟ ସ୍ଥାପନ କରିବାକୁ ଥିବାବେଳେ କମାରଯୋଡ଼ା ଠାରୁ ଏହି ଖୁଣ୍ଟ ନିର୍ମାଣର କାର୍ଯ୍ୟ ଆରମ୍ଭ କରାଯାଇଛି । ତେବେ ଏହି ନିର୍ମାଣ କାର୍ଯ୍ୟ ଯୋଗୁ ଯାନବାହନ ଯାତାୟାତରେ ଯେପରି ଅସୁବିଧା ନ ହୁଏ ସେଥିପାଇଁ ଅସ୍ଥାୟୀ ରାସ୍ତା ନିର୍ମାଣ କରିବା ପ୍ରାବଧାନ ରହିଛି । ହେଲେ ଠିକାସଂସ୍ଥା ନିର୍ମାଣ କାର୍ଯ୍ୟରୁ ବାହାରୁଥିବା ବର୍ଜ୍ୟବସ୍ତୁକୁ ରାସ୍ତାର ଉଭୟ ପାଶ୍ୱର୍ରେ ଖେଳାଇ ଦେଇ ସମତୁଲ କରିଦେବା ଫଳରେ ବର୍ଷା ଯୋଗୁ ତାହା କାଦୁଅ ହୋଇ ଯାତାୟାତ ଅନୁପଯୋଗୀ ହୋଇପଡ଼ିଛି । ଠାଏ ଠାଏ କୃତ୍ରିମ ପୋଖରୀର ଭ୍ରମ ସୃଷ୍ଟି କରୁଛି । ବାରମ୍ବାର ଜନସାଧାରଣ ଅଭିଯୋଗ କରିବା ପରେ ଠିକାଦାର ମେସିନ୍ ଲଗାଇ ସାମାନ୍ୟ ସମତୁଲ କରି ନିଜର ଦାୟିତ୍ୱ ସମ୍ପାଦନ କରୁଥିବା ଅଭିଯୋଗ ହୋଇଛି । ଏହି ରାସ୍ତାଟି ଉଭୟ ପାଶ୍ୱର୍ରେ ଦୋକାନ ବଜାର, ବିଦ୍ୟାଳୟ, ବ୍ୟାଙ୍କ୍ ରହିଥିବା ବେଳେ ମୁଖ୍ୟତଃ କମାରଯୋଡ଼ା ଠାରେ ଏକ ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି । ବିଶେଷ କରି ରାସ୍ତାର ଦୁରାବସ୍ଥା ଯୋଗୁଁ ଛାତ୍ରଛାତ୍ରୀ ବିଦ୍ୟାଳୟ ଯିବାରେ ଘୋର ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଘଣ୍ଟା ଘଣ୍ଟା ଧରି ଭାରିଯାନ ଏହି କାଦୁଅରେ ଫସି ରହୁଛି । ଫଳରେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ହିନ୍ଦୀ ଉଚ୍ଚ ବିଦ୍ୟାଳୟଠାରୁ କମାରଯୋଡା ଡାକ୍ତରଖାନା ପର୍ଯ୍ୟନ୍ତ ଲୋକେ ଏକପ୍ରକାର ଗୃହବନ୍ଦୀ ହୋଇ ପଡୁଛନ୍ତି । ତେଣୁ ଏହି ଫ୍ଲାଏଓଭର ନିର୍ମାଣ କାର୍ଯ୍ୟ ନେଇଥିବା ଓଡିଶା ବ୍ରିଜ୍ କନ୍ଷ୍ଟ୍ରକସନ୍ କର୍ପୋରେସନ୍ ଲିମିଟେଡ୍ (ଓବିସିସିଏଲ୍) ଏଥିପ୍ରତି ଦୃଷ୍ଟି ଦେବାକୁ ଯୋଡ଼ା ଜନସାଧାରଣ ଦାବି କରିଛନ୍ତି ।