ବାସହୀନଙ୍କୁ ମିଳିବ ପଟ୍ଟା

ଭୁବନେଶ୍ୱର (ବୁ୍ୟରୋ): ଓଡ଼ିଶା ଜମି ସେଟେଲ୍ମେଣ୍ଟ୍ ଆକ୍ଟ-୧୯୮୩ରେ ସଂଶୋଧନ କରାଯାଇଛି । ଗତ ୨ ତାରିଖରେ ଏନେଇ ରାଜସ୍ୱ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରତ୍ୟେକ ଗ୍ରାମରେ ଆବଶ୍ୟକ ହେଉଥିବା ଗୋଚର ଜମିର ପରିମାଣକୁ ସରକାର ଶତକଡା ୫ ଭାଗରୁ ୩ ଭାଗକୁ କମେଇ ଦେଇଛନ୍ତି । ପୂର୍ବରୁ କିଛି ଗ୍ରାମରେ ବାସହୀନ ଲୋକ ଏହି ଜମିରେ ବାସ କରୁଥିଲେ ମଧ୍ୟ ଗୋଚର ଜମିର ଆଇନଗତ ଆବଶ୍ୟକତା ଦୃଷ୍ଟିରୁ ସେହି ଲୋକଙ୍କୁ ଆବଶ୍ୟକ ଘରଡିହ ଯୋଗାଇ ହେଉନଥିଲା ।
ଗ୍ରାମର ଗୋଚର ଜମିର ପରିମାଣକୁ କମାଇ ଅଣସଂରକ୍ଷିତ କରିବା ପାଇଁ ଜିଲ୍ଲାପାଳଙ୍କୁ କ୍ଷମତାପ୍ରାପ୍ତ କରାଯାଇଛି । ମାତ୍ର ଏହି ଅଣସଂରକ୍ଷିତ କରିବାର ବ୍ୟବସ୍ଥା ସଂରକ୍ଷିତ ଜଙ୍ଗଲର ୩ କିଲୋମିଟର ଅଞ୍ଚଳ ମଧ୍ୟରେ ଥିବା ଗ୍ରାମ ପାଇଁ ପ୍ରଯୁଜ୍ୟ ହେବନାହିଁ । ଗ୍ରାମକଣ୍ଠ ପରମ୍ବୋକ, ନଜୁଲ, ଆବାଦୀ ଓ ଖାସମାହାଲ ଜମିରେ ବସବାସ କରୁଥିବା ଲୋକ ୨ଠ୧୮ ଅକ୍ଟୋବର ୨୨ ପୂର୍ବରୁ ବସବାସ କରୁଥିଲେ ପଟ୍ଟା ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ । ପୂର୍ବରୁ ୨ଠଠ୬ ଫେବ୍ରୁଆରୀ ୨୬ ମସିହା ପୂର୍ବରୁ ବସବାସ କରୁଥିଲେ, ଏହି ସବୁ ଜମିର ପଟ୍ଟା ପାଇଁ ଆବେଦନ କରିପାରୁଥିଲେ । ସରକାର ଏହାର ଅବଧିକୁ ଏହି ସଂଶୋଧନରେ ବଢ଼ାଇଛନ୍ତି । ଏହି ସଂଶୋଧନ ପରେ ବନୀକରଣ ଓ ବୃକ୍ଷରୋପଣ ସହିତ ଅନ୍ୟାନ୍ୟ ଉଦେ୍ଦଶ୍ୟ ଯଥା କୌଣସି ନଦୀ, ନାଳ, କେନାଲ ଉପରେ ପୋଲ ତିଆରି ଇତ୍ୟାଦି କାର୍ଯ୍ୟ ନିମନ୍ତେ ଦଖଲ ଅନୁମତି ଦିଆଯାଇପାରିବ । ଏହା ଦ୍ୱାରା ଜାତୀୟ ରାଜପଥ, ରେଳପଥ ତଥା ଅନ୍ୟାନ୍ୟ ରାସ୍ତା ତ୍ୱରିତ ବେଗରେ ଆଗେଇ ପାରିବ । ନକ୍ସଲ ବିରୋଧୀ କାର୍ଯ୍ୟାନୁଷ୍ଠାନରେ ପ୍ରାଣ ହରାଇଥିବା ପାରା-ମିଲିଟାରୀ ଫୋର୍ସ ଓ ପୁଲିସ ପରିବାର ଲୋକଙ୍କୁ ଭୁବନେଶ୍ୱର ବ୍ୟତୀତ ଅନ୍ୟ ସହରାଞ୍ଚଳରେ ୪ ଡେସିମିଲ ଓ ଗ୍ରାମାଞ୍ଚଳରେ ୧୦ ଡେସିମିଲ ଜମି ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଇଛି ।
ଏହି ସଂଶୋଧନ ପରେ ଜନସାଧାରଣ ସରକାରଙ୍କ ରାଜସ୍ୱ ଦେୟକୁ ଇଲେକ୍ଟ୍ରୋନିକ ଉପାୟ ମାଧ୍ୟମରେ ଦେଇପାରିବେ । ବିଭିନ୍ନ ସରକାରୀ ଓ ସରକାରୀ ଅନୁମୋଦନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆୟତ୍ତରେ ଥିବା ସହରାଞ୍ଚଳରେ ୧୦ ଏକର ଓ ଗ୍ରାମାଞ୍ଚଳରେ ୧୫ ଏକର ପର୍ଯ୍ୟନ୍ତ ସରକାରୀ ଜମିକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନାମରେ ସମ୍ପୃକ୍ତ ବିଦ୍ୟାଳୟକୁ ମାର୍ଫତ ରଖି ବିନା ମୂଲ୍ୟରେ ରେକର୍ଡ କରିବା ପାଇଁ ଜିଲ୍ଲାପାଳଙ୍କୁ କ୍ଷମତା ପ୍ରଦାନ କରାଯାଇଛି । ସେହିପରି ମହାବିଦ୍ୟାଳୟ ଅଧୀନରେ ଥିବା ଜମିକୁ ଉଚ୍ଚଶିକ୍ଷା ବିଭାଗ ମାର୍ଫତ ସମ୍ପୃକ୍ତ ମହାବିଦ୍ୟାଳୟ ନାମରେ ରେକର୍ଡ କରିବାକୁ ଜିଲ୍ଲାପାଳଙ୍କୁ କ୍ଷମତା ପ୍ରଦାନ କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *