ବଡ଼ ବାତ୍ୟା ଆଶଙ୍କା କ୍ଷୀଣ
ଭୁବନେଶ୍ୱର,୩ା୫(ବୁ୍ୟରୋ): ଫନି ବାତ୍ୟାକୁ ୩ ବର୍ଷ ପୂରିଛି । ମେ’ ମାସରେ ଆସିଥିବା ଏହି ବାତ୍ୟା ଉପକୂଳ ଓଡ଼ିଶାକୁ ଛାରଖାର କରିଦେଇଥିଲା । ଏହାରି ଭିତରେ ପୁଣି ଖରାଦିନିଆ ସମ୍ଭାବ୍ୟ ବାତ୍ୟାକୁ ନେଇ ଉପକୂଳବାସୀ ଆତଙ୍କିତ । ହେଲେ ବାତ୍ୟାର ତୀବ୍ରତା ଓ ଗତିପଥ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରୁନି । ବିଭିନ୍ନ ପାଣିପାଗ ମଡେଲ୍ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି । ତେବେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ବାତ୍ୟା ଚିତ୍ର ସ୍ପଷ୍ଟ ହୋଇଯିବ ।
ଆକଳନ କରାଯାଉଛି ଯେ ସମ୍ଭାବ୍ୟ ବାତ୍ୟା ବେଶି ବଡ଼ ଧରଣର ନୁହେଁ । ବାତ୍ୟା ପାଇଁ ବର୍ତ୍ତମାନ ପାଗ ଅନୁକୂଳ ରହିଥିବାରୁ ସମ୍ଭାବ୍ୟ ଲଘୁଚାପ ଅଧିକ ଘନୀଭୂତ ହୋଇ ବାତ୍ୟା ରୂପ ନେବ । ହେଲେ ଏହା ସେତେଟା ଉଗ୍ର ହୋଇନପାରେ । ସ୍ଥଳଭାଗ ଛୁଇଁଲା ବେଳକୁ ପବନର ବେଗ ଘଣ୍ଟାପ୍ରତି ୭ଠ କିମି ରହିପାରେ ବୋଲି ମଧ୍ୟ ପାଣିପାଗ ବିଜ୍ଞାନୀ ଆକଳନ କରୁଛନ୍ତି ।
ଦକ୍ଷିଣ ଆଣ୍ଡାମାନସାଗର ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ବାଦଲ ଭାସମାନ ହେଲାଣି । ବୁଧବାର ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ୫ରେ ଲଘୁଚାପ ଓ ୮ରେ ବାତ୍ୟାରେ ପରିଣତ ହେବ । ପାଣିପାଗ ବିଭାଗର ଆକଳନ ଅନୁସାରେ, ବୁଧବାର ଦକ୍ଷିଣ ଆଣ୍ଡାମାନସାଗର ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ପ୍ରଭାବରେ ୬ ତାରିଖରେ ସମାନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି । ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହା ଅଧିକ ଚିହ୍ନିତ ହୋଇପାରେ ।
କୃଷି ପାଣିପାଗ ବିଜ୍ଞାନୀ ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି, ଘୂର୍ଣ୍ଣିବଳୟ ସୃଷ୍ଟି ହେବା ପରେ ୫ ତାରିଖରେ ଏହା ଲଘୁଚାପ ରୂପ ନେଇପାରେ । ଏହ ଅଧିକ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ତେବେ ଏହା ବିଶେଷ ବଡ଼ ବାତ୍ୟା ନହୋଇପାରେ । ବାତ୍ୟା ରୂପ ନେବା ପରେ ସ୍ଥଳଭାଗ ଛୁଇଁଲା ବେଳକୁ ପବନର ବେଗ ଘଣ୍ଟାପ୍ରତି ୭୦ କିମି ରହିପାରେ । ଏହା ୧୦ ତାରିଖ ସକାଳେ ଲ୍ୟାଣ୍ଡଫଲ କରିବା ବେଳକୁ ଦୁର୍ବଳ ହୋଇଯିବ ବୋଲି ଆକଳନ କରାଯାଇଛି । ସମ୍ଭାବ୍ୟ ବାତ୍ୟା ଗୋପଳପୁରରୁ ଦୀଘା କିମ୍ବା ଏହାର ସଲଂଗ୍ନ ଅଞ୍ଚଳ ଅଥବା ପୁରୀରୁ ପାରାଦୀପରେ ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି ।
ଆସନ୍ତା ୮ ତାରିଖ ସନ୍ଧ୍ୟାରୁ ପାଗରେ ପରିବର୍ତ୍ତନ ହେବ । ୯ରୁ ୧୦ ତାରିଖ ଭିତରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ପୁରୀ, ଖୋର୍ଦ୍ଧା, କଟକ, ନୟଗଡ଼, ଗଜପତି, ଗଞ୍ଜାମ, ରାୟଗଡ଼ା, ଫୁଲବାଣୀ ଓ କଳାହାଣ୍ଡି ଆଦି ଜିଲ୍ଲାରେ ଅଧିକ ବର୍ଷା ହୋଇପାରେ । କେତେକ ସ୍ଥାନରେ ବର୍ଷାର ପରିମାଣ ୧୫୦ ମିମି ପର୍ଯ୍ୟନ୍ତ ହୋଇପାରେ । ଏହାସହ ଉତ୍ତର ଉପକୂଳ ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ତେବେ ୧୧ ତାରିଖରେ ହାଲୁକା ବର୍ଷା ହୋଇପାରେ । କିନ୍ତୁ ଏହି ଆକଳନ ବି ପରିବର୍ତ୍ତନ ହୋଇପାରେ । ୫ ତାରିଖରେ ଲଘୁଚାପ ସୃଷ୍ଟି ହେଲା ପରେ ହିଁ ଚିତ୍ର ସ୍ପଷ୍ଟ ହେବ ବୋଲି ଶ୍ରୀ ପଶୁପାଳକ କହିଛନ୍ତି ।