ଜଷ୍ଟିସ୍ ଆଟ୍ ଡୋର୍ ପାଇଁ ପ୍ରୟାସ
୪ ସିଭିଲ ଜଜ୍ କୋର୍ଟ ଉଦ୍ଘାଟିତ
କଟକ/ କଣାସ(ବୁ୍ୟରୋ): ରାଜ୍ୟରେ ୪ଟି ସିଭିଲ ଜଜ୍ (ଜୁନିୟର ଡିଭିଜନ) ଜେଏମଏଫସି କୋର୍ଟ ହାଇକୋର୍ଟର ମୁଖ୍ୟ ବିଚାରପତି ଡ଼କ୍ଟର ଜଷ୍ଟିସ ଏସ୍ ମୁରଲୀଧରଙ୍କ ଦ୍ୱାରା ଭର୍ଚୁଆଲ ମୋଡ୍ÿରେ ଉଦ୍ଘାଟିତ ହୋଇଯାଇଛି । ପୁରୀ ଜିଲ୍ଲାର କଣାସ, ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର, ହେମଗିରି ଏବଂ କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁରରେ କୋର୍ଟ ଉଦ୍ଘାଟିତ ହୋଇଛି । ରାଜ୍ୟରେ ୩୪ଟି ନୂଆ କୋର୍ଟ ସ୍ଥାପନ ପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଥିବାରୁ ମୁଖ୍ୟ ବିଚାରପତି ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଉଦ୍ଘାଟନୀ ଭାଷଣରେ ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍ ମୁରଲୀଧର କହିଥିଲେ, କୋର୍ଟ ଲୋକଙ୍କୁ ନ୍ୟାୟ ପ୍ରଦାନ ପାଇଁ ଉଦ୍ଦିଷ୍ଟ । ଜଷ୍ଟିସ୍ ଆଟ୍ ଡୋର ଷ୍ଟେପ ବା ଲୋକଙ୍କ ନିକଟରେ ନ୍ୟାୟ ପହଞ୍ଚାଇବା ପାଇଁ ଏଭଳି ଅଧିକରୁ ଅଧିକ କୋର୍ଟ ସ୍ଥାପନର ଆବଶ୍ୟକତା ରହିଛି । ଏଥିପାଇଁ ଉଭୟ ବିଚାରପତି ଓ ଆଇନଜୀବୀମାନଙ୍କର ସହଯୋଗ ନିହାତି ଦରକାର । ଓଡ଼ିଶାର ଜେଲଗୁଡ଼ିକରେ ବିଚାରଧୀନ ବନ୍ଦୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସେଥିପାଇଁ ମାମଲାଗୁଡ଼ିକର ତ୍ୱରିତ ଶୁଣାଣି ଆବଶ୍ୟକ । ସମ୍ବେଦନଶୀଳ ମାମଲାର ଶୁଣାଣି କରି ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଉଭୟ ବିଚାରପତି ଓ ଆଇନଜୀବୀ ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଛନ୍ତି । ଉପାନ୍ତ ଅଞ୍ଚଳରେ ସ୍ଥାପିତ ଏହି କୋର୍ଟଗୁଡ଼ିକ ସ୍ଥାନୀୟ ଅଧିବାସୀଙ୍କୁ ନ୍ୟାୟ ପାଇବାରେ ସମର୍ଥ ହେବ ବୋଲି ମୁଖ୍ୟ ବିଚାରପତି ଆଶାବ୍ୟକ୍ତ କରିଥିଲେ ।
କାର୍ଯ୍ୟକ୍ରମରେ ଜଷ୍ଟିସ ବିଶ୍ୱଜିତ ମହାନ୍ତି ଯୋଗ ଦେଇ କହିଛନ୍ତି ଯେ ଲୋକଙ୍କୁ ନ୍ୟାୟ ନିକଟତର କରିବା ପାଇଁ ହାଇକୋର୍ଟ ନିରନ୍ତର ପ୍ରୟାସ ଜାରି ରଖିଛି । ଏପରିକି ଦୂରଦୂରାନ୍ତରେ ରହୁଥିବା ଲୋକଙ୍କ ପାଇଁ ନ୍ୟାୟ ସୁନିଶ୍ଚିତ କରିବାକୁ ନୂତନ କୋର୍ଟ ପ୍ରତିଷ୍ଠା କରାଯାଇଛି । ଜଷ୍ଟିସ କେ. ଆର ମହାପାତ୍ର ବାର୍ ଏବଂ ବେଞ୍ଚ ମଧ୍ୟରେ ପାରସ୍ପରିକ ସହଯୋଗ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଉଦ୍ଘାଟନୀ ସଭାରେ ଅନ୍ୟମାନଙ୍କ ମଧ୍ୟରେ ଜଷ୍ଟିସ ବି.ପି ରାଉତରାୟଙ୍କ ସମେତ ହାଇକୋର୍ଟଙ୍କ ରେଜିଷ୍ଟ୍ରାର, ପଦାଧିକାରୀ, ପୁରୀ, ସୁନ୍ଦରଗଡ଼, କଳାହାଣ୍ଡି ଜିଲ୍ଲା ଜଜ୍ ଏବଂ ସ୍ଥାନୀୟ ବାର ଆସୋସିଏସନ କର୍ମକର୍ତ୍ତା ସାମିଲ ହୋଇଥିଲେ ।
କାର୍ଯ୍ୟକ୍ରମରେ ଜିଲ୍ଲା ଜଜ୍ ଏ. ଦାଶ, ଅତିରିକ୍ତ ଜିଲ୍ଲାପାଳ, ଅତିରିକ୍ତ ଏସ୍ପି, ସ୍ଥାନୀୟ ବିଡିଓ ଲୋଚନ ଦାସ, ତହସିଲଦାର ଲକ୍ଷ୍ମୀନ୍ଧର ମହାରଣା, ପିପିଲି ଏସ୍ଡିପିଓ, କଣାସ ଥାନା ଅଧିକାରୀ ସୁଜିତ ଦାସ, ପିପିଲି, ପୁରୀ, କଣାସ ଅଞ୍ଚଳର ଆଇନଜୀବୀ ସଂଘ କର୍ମକର୍ତ୍ତା ଯୋଗ ଦେଇଥିଲେ ।